ଆତ୍ମୀୟ ସ୍ଵଜନଙ୍କ ସାନ୍ତ୍ଵନା

        ଆତ୍ମୀୟ ସ୍ଵଜନଙ୍କ ସାନ୍ତ୍ଵନା

🖊️ କବିରତ୍ନ ନୂତନ କୁମାର ବେହେରା

ଜୀବନର ଉଠା ପକା ଖେଳ ଖେଳୁ ଖେଳୁ
ଜିତିବାରେ ଆସେ ଅସୀମ ଆନନ୍ଦ
ଅନୁଭବ ହୁଏ ଆକାଶକୁ ଛୁଇଁ ଗଲା ପରି
ସେ ସଫଳତାର ସମ୍ଵର୍ଦ୍ଧନା
ହୃଦୟକୁ କରେ ତୃପ୍ତ ରଖେ ଶାନ୍ତ
ଆଗକୁ ପୁଣି
ବଢ଼ିବାକୁ ଦିଏ ଶକ୍ତି
ହୁଏ ଅସୁମାରି ଆଶା ସଞ୍ଚାର
ଯେବେ ବିଫଳତା ଆସେ
ଆକସ୍ମିକ ଭାବେ
ସ୍ଵଚ୍ଛ ମନ ମଉଳିଯାଏ
ବିକଶିତ ସୁମନ ପ୍ରାୟେକ
ମହକ ତାର ମରି ମରି ଯାଏ ନିରାଶାରେ
ମୃଦୁ ମଳୟ ବି ହୁଏ ବିବଶ ଉଦାସ
ଜଡ଼ବତ୍ ଲାଗେ ଶୂନ୍ୟତାର ଗ୍ଳାନିରେ
ଆଲୋକିତ ପଥ ଆଖିକୁ ଦିଶେ ଅନ୍ଧକାର
ଦୁଶ୍ଚିନ୍ତା ଆଚ୍ଛାଦିତ ହୁଏ
ନୈରାଶ୍ୟର ଘନ କୁହୁଡ଼ିରେ
ପାଲଟେ ସବୁ ମରୁଭୂମିର ମରୀଚିକା
ଜୀବନକୁ ବିଶ୍ଳେଷଣ କଲେ ନିସ୍ତବ୍ଧରେ
ମିଳେ ଖାଲି ମେଞ୍ଚା ମେଞ୍ଚା ଦୁଃଖ
ସୁଖର ପସରାରୁ ଉଡ଼ିଯାଏ
ସଞ୍ଚିତ କର୍ପୂର’ର ବାସ୍ନା
ନିସ୍ତେଜ ଜରାଜୀର୍ଣ୍ଣ ହୁଅନ୍ତି ଅବୟବ ସବୁ
ଜୀଇଁ ରହିବାକୁ ରହେନା ଆସକ୍ତି
ଆଶ୍ରିତ ଛାୟା ଉପରେ ଭାଙ୍ଗିପଡ଼େ ଡ଼ାଳ
ମନପକ୍ଷୀ ଉଡ଼ି ଯିବାକୁ ହୁଏ ଫଡ୍ ଫଡ୍
ପ୍ରାଣର ପଞ୍ଜୁରିରୁ
ପ୍ରତିଟି ମୁହୂର୍ତ୍ତ ହୁଏ ଘଡ଼ିସନ୍ଧି
ଏଇ ଅବେଳର ଅବଧିରେ ମିଳେ ଯଦି
ଆତ୍ମୀୟ ସ୍ଵଜନଙ୍କ ସାନ୍ତ୍ଵନା
ହୁଏ ତା’ ଅନାବିଳ ସେବା ତ୍ୟାଗର
ଜୀବନ ପାଇଁ ମୃତ୍ୟୁ ସଞ୍ଜୀବନୀ
ପୁଣି କିଛିଦିନ ବଞ୍ଚିବାର ରାହା ଫିଟେ
ଅନୁକମ୍ପା ସହାନୁଭୂତି ଦେଖାଇବା
ସମ୍ବେଦନଶୀଳ ରହିବା
ମାନବୀୟ ସ୍ଵଭାବର ପରମାର୍ଥ ଏ
ଏଇ ତ ଆତ୍ମୀୟତା…ସଂପର୍କ ବାନ୍ଧିବାର
ସଂଜ୍ଞାକୁ କରିଥାଏ ପ୍ରମାଣିତ
ଜୀବନରେ ଆଉ ଆସେନା ନୈରାଶ୍ୟ
ଫିକା ରଙ୍ଗ ପୁଣି ସତେଜରେ
ଗାଢ଼ ହୋଇ ଚହଟି ଯାଏ
ଦେଖାଯାଏ ଆଉ କିଛି ନୂଆ ସମ୍ଭାବନା
ଜୀଇଁବାର ବାସ୍ତବ କ୍ଷେତ୍ରରେ ମିଳେ ଯେବେ
ଆତ୍ମୀୟ ସ୍ଵଜନଙ୍କ ସାନ୍ତ୍ଵନା……।

    କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *