ଚନ୍ଦ୍ରଭାଗା ମାଘମେଳା ନିମନ୍ତେ ସମନ୍ବୟ ବୈଠକ
ଚନ୍ଦ୍ରଭାଗା ମାଘମେଳା ନିମନ୍ତେ ସମନ୍ବୟ ବୈଠକ l ସପ୍ତାହ ମଧ୍ୟରେ ବୁଡ ନୀତି ନିର୍ଦ୍ଧାରଣ କୋଣାର୍କ- ଆସନ୍ତା ଜାନୁଆରୀ ୨୪ ଓ ୨୫ ତାରିଖରେ ଚନ୍ଦ୍ରଭାଗା ତୀର୍ଥରେ ଅନୁଷ୍ଠିତ ହେବ ପବିତ୍ର ମାଘ ସପ୍ତମୀ ବୁଡ଼। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଅପରାହ୍ନରେ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ରାଜକିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଜେନା, ଗୋପ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ, କାକଟପୁର ତହସିଲଦାର ଅଙ୍କିତା ଆନନ୍ଦିତା, ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ଗୋପ ବିଡ଼ିଓ ଛବିରାଣୀ ସାହୁଙ୍କ ସମେତ ତିନି ଆରାଧ୍ୟ ଠାକୁରଙ୍କ ସେବାୟତ ପ୍ରମୁଖ ଯୋଗଦେଇଥିଲେ। ଚନ୍ଦ୍ରଭାଗା ତୀର୍ଥରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳା ପଡ଼ିଆରେ ୱାଟକୋ ପକ୍ଷରୁ ପାନୀୟ ଜଳ ଯୋଗାଣ ନିମନ୍ତେ ୬୦ଟି ଷ୍ଟାଣ୍ଡ ପୋଷ୍ଟ ୪ଟି ପାଣି ଟ୍ୟାଙ୍କର, ଡ୍ରେନେଜ୍ ବିଭାଗ ପକ୍ଷରୁ ବୁଡ଼ ୩ଦିନ ପୂର୍ବରୁ ତୀର୍ଥ ପୁଷ୍କରିଣୀ ଜଳ ନିଷ୍କାସନ, ପଙ୍କ ଉଦ୍ଧାର ଓ ବିଶୋଧନ କରାଯିବ। ଆରଡବ୍ଲ୍ୟୁଏସଏସ ପକ୍ଷରୁ ୧୦୦ ଟି ଅସ୍ଥାୟୀ ପାଇଖାନା ବ୍ୟବସ୍ଥା, ପୋଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା, ଶାନ୍ତି ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥା ଓ ଯାନବାହାନ ନିୟନ୍ତ୍ରଣ କରାଯିବ ।କୋଣାର୍କ ଏନଏସି ପକ୍ଷରୁ ପାର୍କିଂ ବ୍ୟବସ୍ଥା, ମାଘ ଷଷ୍ଠି ଓ ସପ୍ତମୀ ଦୁଇଦିନ ବ୍ୟାପକ ସ୍ବଚ୍ଛତା, ପରିମଳ ଓ ଆଲୋକ ବ୍ୟବସ୍ଥା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା, ରାମଚଣ୍ଡୀ ଓ କୋଣାର୍କ ବସଷ୍ଟାଣ୍ଡରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଓ ଆମ୍ବୁଲାନ୍ସ ସେବା। ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ମରାମତି ସହ ସୂଚନା ଓ ପ୍ରସାରଣ ଆଦି ବ୍ୟବସ୍ଥାକୁ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ବୈଠକରେ ସୂଚନା ଦେଇଥିଲେ। ଶିକ୍ଷାବିତ୍ ରାମକୃଷ୍ଣ ମହାନ୍ତିଙ୍କ ଅଧକ୍ଷତାରେ ୩୦୦ ସ୍ବେଚ୍ଛାସେବୀ ମେଳାରେ ମୁତୟନ କରାଯାଇ ଶାନ୍ତି ଶୃଙ୍ଖଳାରେ ସହଯୋଗ କରିବେ। ସପ୍ତମୀ ଦୁଇ ଦିନ ପୂର୍ବରୁ ସୁଚାରୁରୂପେ କାର୍ଯ୍ୟ ତୁଲାଇବା ପାଇଁ ସମସ୍ତ ବିଭାଗକୁ ନିର୍ଦେଶ ଦିଆଯାଇଥିଲା। ମାଘ ଷଷ୍ଠୀ ଓ ସପ୍ତମୀ ଏହି ଦୁଇ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ରହିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମେଳାର ବ୍ୟବସ୍ଥା ସହ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ, କୋଣାର୍କର ସମସ୍ତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ବୁଡ ପୂର୍ବରୁ ପରମ୍ପରା ଅନୁଯାୟୀ ତିନି ଆରାଧ୍ୟ ଦେବତା ବାବା ତ୍ରିବେଣିଶ୍ୱର, ଐଶାନେଶ୍ୱର୍ ଓ ଦକ୍ଷିଣେଶ୍ୱର ମାହଦେବ ଙ୍କ ମନ୍ଦିର ସାଜସଜ୍ଜା, ମନ୍ଦିରରୁ ତୀର୍ଥ ପୁଷ୍କରିଣୀ ପର୍ଯ୍ୟନ୍ତ ଠାକୁରଙ୍କ ରୋଷଣୀ ଶୋଭାଯାତ୍ରା ଓ ନୀତି କିପରି ପାଳନ କରାଯିବ ତାହାର ଦାୟିତ୍ଵ ନିର୍ବାହ କରିବା ଆଦି ଆଲୋଚନା କରାଯାଇଥିଲା। ତିନି ଠାକୁର ଓ ବୁଡ ନିତିକାନ୍ତି ନିମନ୍ତେ ସେବାୟତ ମାନଙ୍କ କିଛି ଦାବି ଓ ପ୍ରଶାସନ ମଧ୍ୟରେ ସମନ୍ଵୟ ଅଭାବ ଯୋଗୁଁ ବୁଡ଼ର ନୀତି ନିର୍ଦ୍ଧାରଣ ହୋଈ ପାରି ନଥିବା ବେଳେ ଏକ ସପ୍ତାହ ମଧ୍ୟରେ ସେବାୟତଙ୍କ ସହ ଆଲୋଚନା କରାଯାଇ ବୁଡ ସମୟ ସ୍ଥିର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
