ପୁରୀ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତା
ପୁରୀ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ତିନି ଦିନ ଧରି ସ୍ପୋର୍ଟସ୍ କମ୍ପ୍ଲେକ୍ସ୍ ଓ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢ଼ୀ ଉଦ୍ଘାଟନ କରିଥିଲେ । ଜିଲ୍ଲାର ସମୁଦାୟ ୧୧ ଗୋଟି ବ୍ଲକ୍ ରୁ ୧୧ ଟି ୧୫ ଜଣିଆ ଦଳ ଏଥିରେ ଅଂଶଗ୍ରହଣ କରିଥିଲେ ଓ ଏହାକୁ ୨୦ ଜଣ ଶାରୀରିକ ଶିକ୍ଷା ଶିକ୍ଷକ ପରିଚାଳନା କରିଥିଲେ । ଉଦ୍ଜାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର ଓ ହିମାଂଶୁ ଭୂଷଣ ସମରଥ ଓ ମଣ୍ଡଳ ଶିକ୍ଷାଧିକାରୀ, ଗୋପ , ସୁଶୀଲ କୁମାର ବ୍ରହ୍ମା ଯୋଗଦାନ କରି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ ।ଅତିଥି ଗଣ ଏଥିରେ ଚାମ୍ପିଅନ ହୋଇଥିବା ପୁରୀ ସଦର ବ୍ଲକ୍ ଓ ରନର୍ସପ୍ ପାଇଥିବା ବ୍ରହ୍ମଗିରି ବ୍ଲକ୍ କୁ ପୁରସ୍କାର ପ୍ରଦାନ କରିଥିଲେ । ଶେଷ ଦିବସରେ ଶ୍ରୀ ଦିପକ କୁମାର ପାଢ଼ୀ ଙ୍କ କ୍ଯାପ୍ଟେନସିପ୍ ରେ ଜିଲ୍ଲା ଶିକ୍ଷାଳୟ ଏକାଦଶ ଓ ଶିକ୍ଷକ ଅଜୟ କୁମାର ମିଶ୍ର ଙ୍କ ନେତୃତ୍ବରେ ଜିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ଶିକ୍ଷାଳୟ ଏକାଦଶ ଚାମ୍ପିଅନ ଓ ଶାରୀରିକ ଶିକ୍ଷା ଶିକ୍ଷକ ଏକାଦଶ ରନର୍ସପ୍ ପାଇଥିଲେ । ୨୩ ବଲ୍ ରୁ ୪୫ ରନ୍ ସଂଗ୍ରହ କରି ଅପରାଜିତ ରହିଥିବା ଡି ଇ ଓ ଏକାଦଶ ଦଳର ଉପ ଅଧିନାୟିକ ହିମାଂଶୁ ଭୂଷଣ ସମରଥ “ମ୍ଯାନ୍ ଅଫ୍ ଦି ମ୍ୟାଚ୍” ରୂପେ ସମ୍ମାନିତ ହୋଇଥିଲେ । ଏହି ଅବସରରେ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ କ୍ରୀଡ଼ାରେ ପିଲାମାନଙ୍କ ଦ୍ଵାରା ପୁରୀ ଜିଲ୍ଲାକୁ ସମ୍ମାନିତ ଓ ଗର୍ବିତ କରାଇଥିବା ୧୨ ଜଣ କୃତୀ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ପକ୍ଷରୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଯାହା କି ଆଗାମୀ ପୀଢ଼ିର ଯୁବ ଶାରୀରିକ ଶିକ୍ଷା ଶିକ୍ଷକ ଭାଇଭଉଣୀ ମାନଙ୍କ ପାଇଁ ପ୍ରୋତ୍ସାହନର ବାର୍ତ୍ତା ଥିଲା । ଶେଷରେ ଏହାକୁ ସାମଗ୍ରିକ ରୂପେ ପରିଚାଳନା କରିଥିବା ପୁରୀ ଜିଲ୍ଲା ବିଦ୍ୟାଳୟ ସମୂହ ଶାରୀରିକ ଶିକ୍ଷା ଅଧିକାରୀ ମହେନ୍ଦ୍ର କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।
