ବୃତ୍ତଙ୍ଗ ନଦୀରେ କୁମ୍ଭୀର ଆତଙ୍କ, ଗ୍ରାମବାସୀ ଭୟଭୀତ
ଗଣିଆ -ସାରା ରାଜ୍ୟରେ ମହାନଦୀର ବିଭିନ୍ନ ଅଞ୍ଚଳରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି, ଯାହା ଫଳରେ ନଦୀକୂଳିଆ ଗାଁମାନଙ୍କରେ ଘୋର ଭୟର ବାତାବରଣ ସୃଷ୍ଟି ହୋଇଛି ।ଗଣିଆ ବ୍ଲକ ଛାମୁଣ୍ଡିଆ ଠାରେ ଥିବା ବୃତ୍ତଙ୍ଗ ନଦୀରେ ଏକ ବିଶାଳକାୟ କୁମ୍ଭୀର ଦେଖାଯାଇଛି। ଏହି ଘଟଣାଗୁଡ଼ିକ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଚିନ୍ତା ବଢ଼ାଇ ଦେଇଛି ।ଲୋକମାନେ ନଦୀକୁ ଯିବାକୁ ଭୟ କରୁଛନ୍ତି। କୁମ୍ଭୀରଟି ଲୁଣାଜାତିର ହୋଇଥିବା ସନ୍ଦେହ କରାଯାଉଛି। ନଦୀ ଉପରେ ନିର୍ଭର କରୁଥିବା ଲୋକମାନେ ବର୍ତ୍ତମାନ ଭୟ ଓ ସତର୍କତାର ସହ ନଦୀ ପାଖକୁ ଯାଉଛନ୍ତି। ଏହି ପରିସ୍ଥିତି କେବେ ଶେଷ ହେବ, ତାକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି l ଯଦି ତୁରନ୍ତ ଏହି ସମସ୍ୟାର ସମାଧାନ କରାନଯାଏ, ତେବେ ଏକ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି ବୋଲି ଗ୍ରାମର ମୁଖିଆ କହିଛନ୍ତି। ଛାମୁଣ୍ଡିଆ ରେଞ୍ଜର ଲକ୍ଷ୍ମୀନାରାୟଣ ପଣ୍ଡା ନଦୀକୂଳିଆ ଗାଁଗୁଡ଼ିକୁ ପରିଦର୍ଶନ କରି ଲୋକଙ୍କୁ କୁମ୍ଭୀରଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଉଛନ୍ତି।ସେ ଲୋକଙ୍କୁ ବୁଝାଇଛନ୍ତି ଯେ କୁମ୍ଭୀର ସାଧାରଣତଃ ମଣିଷକୁ ଖାଏ ନାହିଁ, କିନ୍ତୁ ବିପଦ ଅନୁଭବ କଲେ ଆକ୍ରମଣ କରିପାରେ।ନଦୀକୂଳରେ କାମ କରୁଥିବା ମତ୍ସ୍ୟଜୀବୀ ଏବଂ ଅନ୍ୟାନ୍ୟ ଲୋକଙ୍କୁ ସତର୍କ ରହିବାକୁ ସେ କହିଛନ୍ତି।କୁମ୍ଭୀର ଦେଖିଲେ ତୁରନ୍ତ ବନ ବିଭାଗକୁ ଖବର ଦେବାକୁ ପରାମର୍ଶ ଦେଇଛନ୍ତି।ବନ ବିଭାଗ ଏହି ଘଟଣାଗୁଡ଼ିକୁ ଗୁରୁତର ସହ ନେଇ ବିଭିନ୍ନ ଅଞ୍ଚଳରେ ସଚେତନତା ଅଭିଯାନ ଆରମ୍ଭ କରିଛି। ବିଭାଗୀୟ ଅଧିକାରୀମାନେ ନଦୀକୂଳିଆ ଗାଁମାନଙ୍କୁ ଯାଇ ଲୋକଙ୍କୁ ନଦୀ ଭିତରକୁ ନ ଯିବାକୁ ପରାମର୍ଶ ଦେଉଛନ୍ତି। ଯଦି କେହି ବି କୁମ୍ଭୀରଟିକୁ ଦେଖନ୍ତି ତେବେ ତୁରନ୍ତ ବିଭାଗକୁ ଜଣାଇବାକୁ ରେଞ୍ଜର ଅନୁରୋଧ କରିଛନ୍ତିl
