ଚନ୍ଦ୍ରଭାଗା “ଜାଗା ମିଶନ”ରେ କୋଟି କୋଟି ଟଙ୍କା ହରିଲୁଟ୍

କୋଣାର୍କ — କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ( ଏନଏସି) ୱାର୍ଡ ନମ୍ବର ୮ ଚନ୍ଦ୍ରଭାଗା ନୋଳିଆସାହିରେ ୨୦୨୧ ମସିହାରେ ହୋଇଥିବା “ଜାଗା ମିଶନ” ଅଧୀନରେ କରାଯାଇଥିବା “ସମନ୍ନିତ ଜଳ ଯୋଗାଣ, ରାସ୍ତା ଏବଂ ସ୍ୱେରେଜ ବ୍ୟବସ୍ଥା” ଶୀର୍ଷକ ପ୍ରକଳ୍ପ କାର୍ଯ୍ୟରେ ମିଥ୍ୟା ତଥ୍ୟ, ନିମ୍ନମାନର କାର୍ଯ୍ୟ ଏବଂ ପାଣ୍ଠିର ସନ୍ଦେହଜନକ ଅପବ୍ୟବହାର ସମ୍ପର୍କରେ ଅଭିଯୋଗ ହୋଇଛି। ଉକ୍ତ କାର୍ଯ୍ୟ ରାଜ୍ୟ ସରକାରଙ୍କ ଷ୍ଟେଟ ପ୍ଲାନ୍ ଜରିଆରେ ୱାଟକୋ ମାଧ୍ଯମରେ ପ୍ରାୟ ୧୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅପବ୍ୟବହାର କରାଯାଇଛି। ଏହି ପ୍ରକଳ୍ପ ପାଇଁ ୧୮.୧୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା ବେଳେ ୧୪.୩୪ କୋଟି ଟଙ୍କା ଏଷ୍ଟିମେଟ୍ ହୋଇଥଲା। ୧୨.୧୯ କୋଟି ଟଙ୍କା ଏଗ୍ରିମେଣ୍ଟ କରାଯାଇଥିବା ବେଳେ ୧୫.୩୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ଏହି ପ୍ରକଳ୍ପକୁ ବାହାର ରାଜ୍ୟର ଏକ ଠିକା ସଂସ୍ଥା ସହ ବର୍ତ୍ତମାନର କାର୍ଯ୍ୟରତ ସହକାରୀ ପରିଚାଳକ, ସେତବେଳର ସହାୟକ ଯନ୍ତ୍ରୀ ଓ ଅଧିକାରୀ ମାନେ ଏଷ୍ଟିମେଟ ଅନୁଯାୟୀ ଅନେକ ନିର୍ମାଣ କାର୍ଯ୍ୟ ନକରି ମିଳିମିଶି କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି। ଏନେଇ ଆରଟିଆଇ ତଥ୍ୟ ମିଳିବା ପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ କାଉନସିଲର ତଥା ବିଜେପି ନେତା ଦିଲୀପ କୁମାର ଦାସ।

ଆରଟିଆଇ ସୂଚନା ଅନୁଯାୟୀ ଚନ୍ଦ୍ରଭାଗା ଜାଗା ମିଶନରେ ନିର୍ମାଣ କରାଯାଇଥିବା କଂକ୍ରିଟ ରାସ୍ତା 3853 ମିଟର, 818 ଟି ନିରୀକ୍ଷଣ ଚାମ୍ବର, 212 ଟି ମାନହୋଲ୍ ଚାମ୍ବର, 20ଟି ସେପ୍ଟିକ୍ ଟାଙ୍କି, 15,280 ବର୍ଗମିଟର ପେଭର ବ୍ଲକ୍ ରାସ୍ତା କାର୍ଯ୍ୟ ହୋଇଛି। ଏଵଂ ସମସ୍ତ ସିଷ୍ଟମ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉଥିବା ଦର୍ଶାଯାଇଛି। କିନ୍ତୁ କ୍ଷେତ୍ରୀୟ ବାସ୍ତବତା ଉପରେ ଆଧାର ଓ ତଦନ୍ତ ପରେ ଜଣା ପଡ଼ିଛି ଯେ 3853 ମିଟର କଂକ୍ରିଟ ରାସ୍ତା ମଧ୍ୟରୁ କେବଳ 1457 ମିଟର ସମ୍ପୂର୍ଣ୍ଣ ହୋଇଛି। 818 ରୁ କେବଳ 80 ଟି ଯାଞ୍ଚ ଚାମ୍ବର ଅଛି। 212 ରୁ କେବଳ 50 ଟି ମ୍ୟାନହୋଲ୍ ଚାମ୍ବର ରହିଛି।20 ରୁ କେବଳ 14 ଟି ସେପ୍ଟିକ୍ ଟ୍ୟାଙ୍କ ସ୍ଥାପିତ ହୋଇଛି। ଏବଂ 15,280 ବର୍ଗମିଟର ମଧ୍ୟରୁ କେବଳ 9000 ବର୍ଗମିଟର ପେଭର ବ୍ଲକ୍ ବିଛାଯାଇଛି ଯାହାର କୌଣସି ଭିତ୍ତିଭୂମି କାର୍ଯ୍ୟକ୍ଷମ ନାହିଁ। ନିର୍ମାଣର ଗୁଣବତ୍ତା ଅତ୍ୟନ୍ତ ଖରାପ ଏବଂ ସମୟ ପୂର୍ବରୁ ଖରାପ ହେଉଛି। ଏହା ସ୍ପଷ୍ଟ ଯେ ଭୁଲ୍ ତଥ୍ୟ ଉପସ୍ଥାପନା, ନିମ୍ନମାନର କାର୍ଯ୍ୟ ଗୁଣବତ୍ତା ଏବଂ ସାଧାରଣ ପାଣ୍ଠିର ସନ୍ଦେହଜନକ ଆତ୍ମସାତକୁ ସୂଚିତ କରୁଛି। ୱାର୍ଡର ନିର୍ବାଚିତ ପ୍ରତିନିଧି ଭାବରେ କାଉନସିଲର ଦିଲୀପ କୁମାର ଦାସ ଏହି ପ୍ରସଙ୍ଗ ଉଠାଇବାକୁ ଏବଂ ଏହି ବିଷୟରେ ଏକ ସମ୍ପୂର୍ଣ୍ଣ ବୈଷୟିକ ଏବଂ ଆର୍ଥିକ ତଦନ୍ତ ପାଇଁ ଦାବି କରିଛନ୍ତି। ଏନେଇ ସେ ରାଜ୍ୟ ସରକାରଙ୍କ ଭିଜିଲାନ୍ସ ବିଭାଗ, ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ବିଭାଗୀୟ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅଭିଯୋଗ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦୃଢ଼ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଚନ୍ଦ୍ରଭାଗା ନୋଳିଆ ସାହିର ହଜାର ହଜାର ଜନ ସାଧାରଣ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *