ମକର ମେଳା ମହା ସମାରୋହରେ ପାଳିତ

କୋଣାର୍କ,୧୫.୦୧- ପବିତ୍ର ମକର ସଂକ୍ରାନ୍ତି ପର୍ବ ଉପଲକ୍ଷେ ନିକଟସ୍ଥ ବାଲି ଦୋକାନ ରେ ଅବସ୍ଥିତ ବାବା ବଟେଶ୍ୱର ଙ୍କ ପବିତ୍ର ମକର ବୁଡ଼ ତଥା ମକର ମେଳା ମହା ସମାରୋହରେ ପାଳିତ ହୋଇଯାଇଛି। ପବିତ୍ର ସଂକ୍ରାନ୍ତି ଦିନ ପ୍ରାତଃ ରୁ ବାବାଙ୍କ ବିଭିନ୍ନ ନୀତି ପାଳନ ପୂର୍ବକ ପୂଜାର୍ଚ୍ଚନା କରାଯାଇ ଥିଲା। ନିକଟସ୍ଥ ୬ଟି ଗ୍ରାମ ଗୋଧନପଡା, ଛଡାସିଂହ, କାକରପୁଟ, ରଇତିଶାହି, ଗୟଳ ଓ ଖନ୍ଦୋଳ ଗ୍ରାମର ଆରାଧ୍ୟା ଦେବ ସୁସଜ୍ଜିତ ବିମାନରେ ମହାଦେବଙ୍କ ପ୍ରାଙ୍ଗଣରେ ପହଞ୍ଚି ଯଥା ବିଧି ଅନୁଯାୟୀ ପୂଜା ଆରମ୍ଭ ହୋଇଥିଲା।

ଅପରାହ୍ନରେ ମହାଦେବଙ୍କ ମକର ମିଳନ ନୀତି ଆୟୋଜିତ ହୋଇଥିଲା। ମନ୍ଦିର ଚୁଡାରେ ପୂଜା ପଣ୍ଡାମାନେ ନୂତନ ପତାକା ବାନ୍ଧିବା ସହିତ ଠାକୁରଙ୍କ ମକର ମିଳନ କରାଯାଇଥିଲା। ମକର ଭୋଗ ହେବା ପରେ ଠାକୁର ମାନେ ମନ୍ଦିର ପରିକ୍ରମା କରି ନିଜ ଆସ୍ଥାନ କୁ ବିମାନ ଯୋଗେ ଫେରିଥିଲେ। ଶ୍ରଦ୍ଧାଳୁ ମାନଙ୍କୁ ମକର ଚାଉଳ ବଣ୍ଟନ କରାଯାଇଥିଲା। ଏହି ଅବସରରେ ମନ୍ଦିର ପରିସରରେ ମକର ମେଳା ମଧ୍ୟ ପଡ଼ିଥିଲା। ନିକଟସ୍ଥ ଦୁଇଟି ପଞ୍ଚାୟତ ର ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ଆସିଥିବା ଦେଖିବାକୁ ମିଳିଥିଲା। ଏହି ମକର ଉତ୍ସବକୁ ଛଡା ସିଂହ ର ବ୍ରାହ୍ମଣ ମାନେ ପରିଚାଳନା କରିଥିବା ବେଳେ ବାବା ବଟେଶ୍ୱର ମନ୍ଦିର ଉନ୍ନୟନ କମିଟି ପକ୍ଷରୁ ସହଯୋଗ କରାଯାଇଥିଲା।

Leave a Reply

Your email address will not be published. Required fields are marked *