ଆହେ ଆର୍ତ୍ତତ୍ରାଣ କର ପରିତ୍ରାଣ
ଆହେ ଆର୍ତ୍ତତ୍ରାଣ କର ପରିତ୍ରାଣ
( ରାଗ — କଳହଂସ କେଦାର )
🖊️କବିରତ୍ନ ନୂତନ କୁମାର ବେହେରା
ଆହେ ଆର୍ତ୍ତତ୍ରାଣ କର ପରିତ୍ରାଣ
ଶରଣେ ତୁମର କରୁଛି ଜଣାଣ ଯେ,
ତୁମେ ଦୀନନାଥ ତୁମେ ଜନାର୍ଦ୍ଦନ
ଆକୁଳେ କରୁଛି ମିନତି ମୋ ଘେନ ଯେ।୧।
ଜୀବନ ଜଞ୍ଜାଳ ସହି ମୁଁ ପାରୁନି
ସାହା ହୁଅ ପ୍ରଭୁ ଗୁହାରି ମୋ ଶୁଣି ଯେ,
ତୁମରି ଆଶ୍ରାରେ ହୋଇଛି ଆଶ୍ରିତ
ଇଚ୍ଛାରେ ତୁମର ଚାଲେ ତ ଜଗତ ଯେ।୨।
ତୁମେ ଦୟାମୟ କରୁଣା ସାଗର
ଭବ ଦୁଃଖ କ୍ଳେଶରୁ କର ଉଦ୍ଧାର ଯେ,
ତୁମେ ଭାବଗ୍ରାହୀ ହେ ବଡ଼ ଠାକୁର
ତୁମରି ଇଙ୍ଗିତେ ଚାଲେ ଏ ସଂସାର ଯେ।୩।
ଶ୍ରୀକ୍ଷେତ୍ର ଧାମରେ ତୁମେ ଜଗନ୍ନାଥ
ଅନାଥର ନାଥ ଦେଖାଅ ସୁପଥ ଯେ,
ଆତ୍ମା ରୂପେ ଚଳାଅ ଶରୀର ରଥ
ଦୁଷ୍ଟ ନାଶି ତୁମେ ରଖ ସାଧୁ ସନ୍ଥ ଯେ।୪।
ତୁମ ବିନା ନାହିଁ ତ ଗତି ମୁକତି
ସକଳ ହୃଦେ ଭରି ଦିଅ ଶକତି ଯେ,
ମାନବ ଲଭୁ ତା’ ମନେ ତୃପ୍ତି ଶାନ୍ତି
ଜୀବନ ପଥେ ତା’ କରୁ ସେ ପ୍ରଗତି ଯେ।୫।
ଦୂର ହେଉ ମନୁ ତାର ହିଂସା ଘୃଣା
ଚାଲିଥାଉ ଖୋଜି ସତ୍ୟର ଠିକଣା ଯେ,
ସବୁରି ହୃଦେ ଭରି ଦିଅ ପ୍ରେରଣା
ନହେଉ କେବେ ସେ ବାଟେ ବାଟବଣା ଯେ।୬।
ଏତିକି ମୋ ଅଳି ହେବ ନାହିଁ ଟାଳି
ଜୀବନ ଦୀପକୁ ରଖ ମୋର ଜାଳି ଯେ,
ତୁମରି ଆଲୋକ ଦିଅ ବାରେ ଢ଼ାଳି
ତୁମ ନାମ ଗାଇ ଥିବି ସତ୍ୟ ପାଳି ଯେ।୭।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
