ନୂତନ ଭାବେ ତାଲିମ ନେଉଥିବା ସବ୍-ଇନ୍ସପେକ୍ଟର ମାନଙ୍କୁ ସାଇବର ସଚେତନତା
ଗତ ୩୦ ସେପ୍ଟେମ୍ବରରୁ ରାଜ୍ୟ ବ୍ୟାପୀ ଆରମ୍ଭ କରାଯାଇଥିବା ସାଇବର ସୁରକ୍ଷା ଅଭିଯାନ କ୍ରମରେ ଗତ କାଲି ଭୁବନେଶ୍ବର ସହରାଞ୍ଚଳର ସାଇବର ସୁରକ୍ଷା ରଥ ତମାଣ୍ଡୋ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡ଼େମୀରେ ନୂତନ ଭାବେ ତାଲିମ ନେଉଥିବା ସବ୍-ଇନ୍ସପେକ୍ଟର ମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ ସେମାନଙ୍କୁ ସାଇବର ଠକେଇ ବିଷୟରେ ସଚେତନ କରିଥିଲା । ନୀତିଦିନର କାର୍ଯ୍ୟ ସାରଣୀ ଭଳି ଗତ କାଲି ସନ୍ଧ୍ୟାରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଫରେଷ୍ଟ ପାର୍କରୁ ଏୟାରପୋର୍ଟ ଥାନା ପର୍ଯ୍ୟନ୍ତ ଏକ ସାନ୍ଧ୍ୟ ଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପୁଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶି, ଆଇପିଏସ ଫ୍ଲାଗ ଅଫ କରିଥିଲେ ।
ସାଧାରଣତଃ ସଚେତନତା ଓ ସତର୍କତାର ଅଭାବରେ ସାଇବର କ୍ରାଇମ ମାମଲା ଦିନକୁଦିନ ବୃଦ୍ଧି ପାଉଥିବା ବେଳେ, ସାଇବର ଠକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସତ୍ତ୍ୱେ ମଧ୍ୟ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ପ୍ରକାରର ସାଇବର ଅପରାଧ ଏବଂ ଡିଜିଟାଲ ଦୁନିଆରେ ଜନସାଧାରଣ ମାନେ କିପରି ସୁରକ୍ଷିତ ରହିବେ, ସେ ସମ୍ବନ୍ଧରେ ସମାଜରେ ସଚେତନତା ନିତ୍ୟାନ୍ତ ଆବଶ୍ୟକ ହୋଇପଡିଛି । ଏଠି ନିମନ୍ତେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ସହ ମିଳିତ ଭାବେ ଓଡିଶା ପୋଲିସ, ଏସବିଆଇ ବ୍ୟାଙ୍କ ତଥା ଅନ୍ଯାନ୍ଯ ବ୍ୟାଙ୍କର ସହଭାଗୀତାରେ ଗତ ୩୦ ସେପ୍ଟେମ୍ବରରୁ ଏକ ରାଜ୍ୟ ବ୍ୟାପୀ ସାଇବର ସୁରକ୍ଷା ଅଭିଯାନର ଆୟୋଜନ କରାଯାଇଥିଲା । ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଥିଲା ସାଇବର ଅପରାଧ ସମ୍ପର୍କରେ ସମାଜର ସମସ୍ତ ବିଭାଗ, ବୟସ, ବର୍ଗ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କୁ ସାଇବର ସୁରକ୍ଷା ବିଷୟରେ ଶିକ୍ଷା ଦେବା । ଭୁବନେଶ୍ୱର ସହରାଞ୍ଚଳ ପୁଲିସ ମଧ୍ୟ ଏଥିରେ ସାମିଲ ହେବା ସହିତ ବିଭିନ୍ନ ସଂସ୍ଥା ଓ ଶିକ୍ଷାନୁଷ୍ଠାନ ଗୁଡିକୁ ଏହି ଅଭିଯାନରେ ସାମିଲ କରି ଅଭିଯାନକୁ ସଫଳ କରିବା ଲାଗି ପ୍ରୟାସ କରିଥିଲା ।
ଏହି କ୍ରମରେ ଗତ ୦୨ ତାରିଖ ଦିନ ଭୁବନେଶ୍ବର ସହରାଞ୍ଚଳ ପୁଲିସ ଜିଲ୍ଲାରେ ସାଇବର ସୁରକ୍ଷା ରଥ ଅଭିଯାନର ଶୁଭାରମ୍ଭ କରଯାଇଥିବା ବେଳେ, ଆଜି ଏହାର ଶେଷ ବା ଉଦଯାପନୀ ଦିବସ ଥିଲା । ଅଭିଯାନର ଶୁଭାରମ୍ଭ ଦିନଠାରୁ ଏହି ରଥ ପ୍ରତିଦିନ ଭୁବନେଶ୍ବର ସହର ମଧ୍ୟରେ ଥିବା ବିଭିନ୍ନ ସ୍ଥାନ ଗୁଡିକୁ ପରିଭ୍ରମଣ କରିବା ସହିତ ସାଇବର ସଚେତନତାର ବାର୍ତ୍ତା ପ୍ରସାର କରିଥିବା ବେଳେ ବିଭିନ୍ନ ସ୍ଥାନରେ ଉପସ୍ଥିତ ଥିବା ସ୍ଥାନୀୟ ଜନସାଧାରଣ ମାନେ ସାଇବର ରଥକୁ ଭବ୍ୟ ସ୍ଵାଗତ ଜଣାଇ ଥିଲେ ଏବଂ ସାଇବର ସୁରକ୍ଷା ଜନିତ ବିଭିନ୍ନ ପ୍ରସଙ୍ଗରେ ସଚେତନ ହୋଇଥିଲେ । ଏହି ସାଇବର ରଥ ଭ୍ରମଣ କାଳରେ ବିଭିନ୍ନ ଅଞ୍ଚଳର ବରିଷ୍ଠ ନାଗରିକ, ଅଙ୍ଗନବାଡି କେନ୍ଦ୍ର ଓ ଏସଏଚଜି ଗୋଷ୍ଠୀର କର୍ମକର୍ତ୍ତା ମାନେ ପ୍ରତ୍ଯକ୍ଷ ଭାବେ ଅଂଶଗ୍ରହଣ କରିବା ସହିତ ସାଇବର ସ୍ଵେଚ୍ଛାସେବୀ ମାନଙ୍କ ସହିତ ମିଶି ଘରଘର ବୁଲି ସାଧାରଣ ଜନତାଙ୍କୁ ସାଇବର ସୁରକ୍ଷା ବିଷୟରେ ସୂଚିତ କରିଥିଲେ, ତା ସହିତ ଭୁବନେଶ୍ବରର ବିଭିନ୍ନ ସ୍କୁଲ, କଲେଜ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ କୁଇଜ ଓ ଆର୍ଟ ପ୍ରତିଯୋଗୀତା ମାନ କରାଯାଇ ଶିକ୍ଷାର୍ଥୀ ମାନଙ୍କୁ ସାଇବର ଠକାମି ଓ ତାର ସୁରକ୍ଷା ବିଷୟରେ ଅବଗତ କରଯାଇଥିଲା । ପ୍ରତିଦିନ ସନ୍ଧ୍ୟା ସମୟରେ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ସାଇବର ସଚେତନା ସମ୍ପର୍କିତ ଫଟୋ ତଥା ଭିଡିଓ ପ୍ରସାର କରାଯାଇ ଲୋକଙ୍କ ମଧ୍ୟରେ ସାଇବର ସଚେତନତାର ବାର୍ତ୍ତା ପ୍ରସାର କରଯାଇଥିଲା, ତା ଛଡା ବିଭିନ୍ନ ଛକ ଜାଗା ମାନଙ୍କରେ ପଥପ୍ରାନ୍ତ ନାଟକ ସାହାଯ୍ୟରେ ମଧ୍ୟ ଲୋକଙ୍କ ମଧ୍ୟରେ ସାଇବର ସୁରକ୍ଷା ବିଷୟରେ ସଚେତନ କରାଯାଇଥିଲା । ସାଇବର ସୁରକ୍ଷା ସଚେତନତା ଅଭିଯାନକୁ ସାକାର କରିବା ଲାଗି ସାଇବର ସ୍ଵେଚ୍ଛାସେବି ମାନେ ସାହାଯ୍ୟର ହାତ ବଢାଇଥିବା ବେଳେ ଏହି ଅଭିଯାନ ବହୁ ମାତ୍ରାରେ ଫଳପ୍ରଦ ହୋଇଥିବା ଦେଖାଯାଇଥିଲା ।
ଭୁବନେଶ୍ବର ସହରାଞ୍ଚଳ ପୁଲିସ ତରଫରୁ ଏହି ଭଳି ଅଭିଯାନ ଆଗକୁ ମଧ୍ୟ ଜାରିରହିବ ।
