ଦୁଗ୍ଧଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ଦିଆଯାଉ।

ରଘୁନାଥପୁର.)ଗତ ଜୁନ ୧ ବିଶ୍ବ ଦୁଗ୍ଧ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଗ୍ଧଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ଦେବାପାଇଁ ଘୋଷଣା କରିଥିଲେ।ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅଣଦେଖା କରାଯାଇ ଓମଫେଡ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରି ରାବିବାର ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ତାରପୁର ବାଇପାସ ସ୍ଥିତ ମା ନାରାୟଣୀ ମନ୍ଦିର ପରିସରରେ ଓଡିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଶତାଧିକ ଦୁଗ୍ଧଚାଷୀଙ୍କ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ବୈଠକରେ ଓଡିଶା ଦୁଗ୍ଧଚାଷୀ ମହାସଂଘର ରାଜ୍ୟ ସଭାପତି ରବି ବେହେରା ଅଧ୍ୟକ୍ଷତା କରିଥିଲେ।ସୂଚନାଯୋଗ୍ୟ କି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଓମଫେଡ ପକ୍ଷରୁ ପ୍ରକାଶ ପାଇଥିବା ରେଟ ଚାଟରେ ଚାଷୀଙ୍କୁ ଲିଟର ପିଛା ୧ ଟଙ୍କା ପ୍ରଦାନ କରାଯାଇ ବାକି ୨ ଟଙ୍କା ପ୍ରୋତ୍ସାହନ ଆକାରରେ ଦିଆଯିବ ବୋଲି ପ୍ରକାଶ ପାଇଛି।ଯାହାକୁ ନେଇ ଚାଷୀମାନେ ବିରୋଧ କରିବା ସହ ଓମଫେଡ ସିଧାସଳଖ ଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ପ୍ରଦାନ କରୁ ବୋଲି ମତ ପ୍ରକାଶ ପାଇଥିଲା।ଏଥିସହ ପ୍ରତି ସମିତିକୁ ପ୍ରଶାସନିକ ଖର୍ଚ୍ଚ ବାବଦରେ ସମ୍ପାଦକମାନଙ୍କୁ ଲିଟର ପିଛା ୧ ଟଙ୍କା ଦିଆଯାଉ ବୋଲି ଦାବୀ ଉଠିଥିଲା।ଏହାଛଡା ଓମଫେଡ ଶୂନ୍ୟ ସହନଶୀଳତା ଗୁଣ ଆପଣେଇବା ଓ ପ୍ରାଇଭେଟ ଡାଏରୀ ଠାରୁ ଓମଫେଡରେ କାହିଁକି କମ ଦୁଗ୍ଧ ସଂଗ୍ରହ ହେଉଛି ଏହାର ତର୍ଜମା କରିବା, ସମିତି ସଂପାଦକଙ୍କ ଇନସେଣ୍ଟିଭ ବୃଦ୍ଧି କରିବା ଓ ବାଛୁରୀ ଦାନା ସମ୍ପୂର୍ଣ ମାଗଣାରେ ଦେବା ପାଇଁ ଚାଷୀମାନଙ୍କ ପକ୍ଷରୁ ମତ ପ୍ରକାଶ ପାଇଥିଲା।ସଭାପତି ବେହେରା ତାଙ୍କ ବକ୍ତବ୍ୟରେ ଗତ ଜୁନ ୧୧ ତାରିଖରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିବାର ପ୍ରକାଶ କରିଥିଲେ। ଏହାଛଡା ପୁର୍ବରୁ ସାରା ରାଜ୍ୟରେ ଦୁଗ୍ଧର ବନ୍ୟା ସୃଷ୍ଟି କରିଥିବା ଓମଫେଡ ସଂସ୍ଥା ଅଧୋପତନ ଆଡକୁ ଗତି କରୁଛି ଏବଂ ଏଥିପାଇଁ ଦାୟୀ କିଏ ଏହାର ତଦନ୍ତ କରାଯିବା ଅତ୍ୟନ୍ତ ଜରୁରୀ ବୋଲି ସଭାପତି ବେହେରା ଚିନ୍ତାବ୍ୟକ୍ତ କରିଥିଲେ। ଆଗାମୀ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାନଗଲେ ବାଧ୍ୟ ହୋଇ ରାଜ୍ୟର ୧୫ ଲକ୍ଷ ଦୁଗ୍ଧଚାଷୀ ରାଜରାସ୍ତାକୁ ଓହ୍ଲାଇବା ସହ ବିଧାନସଭା ସମ୍ମୁଖରେ କ୍ଷୀର ଢାଳି ବିକ୍ଷୋଭ କରିବେ ବୋଲି ଦୁଗ୍ଧଚାଷୀ ମହାସଂଘ ସଭାପତି ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *