ନୃତ୍ୟ ଓ ସଙ୍ଗୀତରେ କମ୍ପିଲା ନାଟ୍ୟ ମଣ୍ଡପ
ନୃତ୍ୟ ଓ ସଙ୍ଗୀତରେ କମ୍ପିଲା ନାଟ୍ୟ ମଣ୍ଡପ
କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ପଦ୍ମଶ୍ରୀ ସ୍ବର୍ଗତ ଓଡିଶୀ ନୃତ୍ୟ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ମାନସ ସନ୍ତାନ କୋଣାର୍କ ନାଟ୍ୟ ମଣ୍ଡପ ଠାରେ ୪୦ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ମହା ଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ଅତିଥି ଭାବେ ବିଶିଷ୍ଟ ଓଡିଶୀ କଣ୍ଠଶିଳ୍ପୀ ବିଜୟ କୁମାର ଜେନା, ପ୍ରସିଦ୍ଧ ଓଡିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର, ଓଡିଶୀ କଣ୍ଠଶିଳ୍ପୀ ନିମାକାନ୍ତ ରାଉତରାୟ ପ୍ରମୁଖ ଯୋଗଦେଇ କୋଣାର୍କ ନାଟ୍ୟ ମଣ୍ଡପର ଗୁଣଗାନ କରିବା ସହ ସ୍ଵର୍ଗତ ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନଙ୍କ ଗାଥା ମନେ ପକାଇଥିଲେ। କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ପ୍ରାରମ୍ଭରେ କୋଣାର୍କ ନାଟ୍ୟ ମଣ୍ଡପ ଓ ନୃତ୍ୟାଲୟା ର କଳାକାର ମାନଙ୍କ ଦ୍ଵାରା ଘଣ୍ଟ ମର୍ଦ୍ଦଳ, ପଞ୍ଚଦେବ ସ୍ତୁତି ଓ ଗୁରୁ ଗଙ୍ଗାଧରଙ୍କ ଉଦ୍ଦେଶ୍ୟରେ ଗୁରୁବନ୍ଦନା ପରିବେଷିତ ହୋଇଥିଲା । ଭୁବନେଶ୍ବରର ବିଶିଷ୍ଟ ତାବଲା ବାଦକ ବିଶ୍ବ ରଂଜନ ନନ୍ଦ ଓ ସାଥି କଳାକାର ମାନଙ୍କ ଦ୍ଵାରା ତାବଲା ବାଦନ ପରିବେଷଣ କରିଥିଲେ। ମୁମ୍ବାଇର ଖ୍ୟାତନାମା ବାଦକ କୌଳାସ ପାତ୍ରଙ୍କ ଦ୍ବାରା ଭାଓଲିନ ପରିବେଷଣ କରାଯାଇଥିଲା। ଶେଷରେ ଭୁବନେଶ୍ବର ସ୍ଥିତ ଉତ୍କଳ ସଂଗୀତ ମହାବିଦ୍ୟାଳୟ ର କଳାକାରମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ ଓ ବାଙ୍ଗାଲୋର ସ୍ଥିତ ଶ୍ବେଥା ପ୍ରସନ୍ନ ଶିବ ରଞ୍ଜନୀ ହରିଶ ଓ ସାଥି କଳାକାର ମାନଙ୍କ ଦ୍ଵାରା କୁଚୀପୁଡ଼ୀ ଓ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ ହୋଇଥିଲା। କୋଣାର୍କ ନାଟ୍ୟ ମଣ୍ଡପର ସଭାପତି ରମଣୀ ରଂଜନ ଖଣ୍ଡାୟତରାୟ, ସଂପାଦକ ଶିବାଶିଷ ପ୍ରଧାନ, ସ୍ଵର୍ଗତ ଗୁରୁଙ୍କ ଧର୍ମପତ୍ନୀ ସୁଲୋଚନା ପ୍ରଧାନ, ଓଡ଼ିଶୀ ନୃତ୍ୟ ଗୁରୁ ବିଷ୍ଣୁ ଚରଣ ସାମଲ, ଗୋଟିପୁଅ ନୃତ୍ୟ ଜୟକୃଷ୍ଣ ନାୟକ ପ୍ରମୁଖ ଉତ୍ସବକୁ ସରସ ସୁନ୍ଦର ଭାବେ ପରିଚାଳନା କରିବା ସହ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ମହାକୁମ୍ଭର ଏହି ମହାର୍ଘ ମହୋତ୍ସବ ଓଡିଆ ଅସ୍ମିତା ଓ ସଂସ୍କୃତିର ପ୍ରତୀକ ବୋଲି ଅଭିହିତ କରିଥିଲେ।
