ଦୂରରୁ ଜୁହାର ହେ କଳାଠାକୁର

ଦୂରରୁ ଜୁହାର ହେ କଳାଠାକୁର
ଡ. ପ୍ରେମାନନ୍ଦ ବେହେରା

ନୀଳାଚଳ କନ୍ଦରରେ ବସିଥିବା ପ୍ରଭୁ
ମୋ ଛୋଟ ହୃଦୟର ନିରବ ଦୁଃଖକୁ
ତୁମେ ଶୁଣୁଛ ନ କି ?
ମୁଁ ଯାଇ ପାରିନି ଶ୍ରୀମନ୍ଦିର ଦ୍ୱାରେ
ନାହିଁ ମୋ ହାତରେ ଫୁଲ ନା ଭୋଗ
ତଥାପି ମୋ ଆଖିର ଲୁହ ବୁନ୍ଦେ
ତୁମ ପାଇଁ ହେଉ ଶୁଦ୍ଧ ଅର୍ପଣ ଯୋଗ
ଦୂରରୁ ଜୁହାର ହେ କଳାଠାକୁର ।।

ହେ କଳାମଣି !
ତୁମ ଚକା ଚକା ନୟନ ଦୁଇଟି
ସାଗର ତରଙ୍ଗ ଭଳି ଭରସା ଦେଉଛି
ଜୀବନର ଅନ୍ଧକାର ଗଳିଗଲେ
ତୁମ ହସରେ ଆଲୋକ ଖେଳୁଛି ।।

ବତାସେ ଆସେ ମହାପ୍ରସାଦର ଗନ୍ଧ
ଶଂଖ ଧ୍ୱନି ମୋ ହୃଦୟକୁ କମ୍ପାଏ
ତୁମର ରଥ ଚକ୍ରର ଘୂର୍ଣନ
ମୋ ଭାଗ୍ୟର ଚକ୍ରକୁ ମଧ୍ୟ ଘୁରାଏ ।।

ହେ ପ୍ରଭୁ !
ମୁଁ ତ ଏକ ଛୋଟ ମଣିଷ
ଭୁଲରେ ଭରିଥିବା ଏ ଜୀବନ
ତଥାପି ତୁମ ଦୟାର ଛାୟା ତଳେ
ଚାହେଁ ଶାନ୍ତିର ଆଶ୍ରୟ
ଚିରକାଳ ପାଇଁ ।।

ଦୂର ଥିଲେ ବି ଭକ୍ତି ଦୂର ନୁହେଁ
ମନରେ ତୁମେ ସଦା ନିକଟ
ଯେତେବେଳେ ଭାଙ୍ଗିଯାଏ ଆଶାର ସେତୁ
ତୁମ ନାମ ହେଉଛି
ମୋର ଶେଷ ସମ୍ବଳ ।।

ହେ କଳାଠାକୁର !
ମୋ ଜୀବନ ରଥର ସାରଥୀ ହୋଇ
ପଥ ଯେତେ ହେଉ ଦୁର୍ଗମ
ତୁମ ହସ ହେଉ ଦିଗଦର୍ଶକ
ତୁମ କୃପା ହେଉ
ମୋର ଶକ୍ତିର ଏକମାତ୍ର ଉତ୍ସ ।।

ଦୂରରୁ ଜୁହାର ହେ କଳାଠାକୁର
ମୋ ପ୍ରାଣର ପରମ ଆଧାର
ଜନ୍ମେ ଜନ୍ମେ ଥାଉ ଏ ଭକ୍ତି
ତୁମ ପାଦପଦ୍ମେ
ଅର୍ପିତ ନୈବେଦ୍ୟ ମୋ ସ୍ନେହର ।।

ଜୁହାର ହେ ପ୍ରଭୁ…
ମୋ ହୃଦୟର ଶ୍ରଦ୍ଧା ନିଅ
ଦୂରରୁ ଡାକୁଛି ଶୁଣ
ଏ ଅଧମକୁ
ମୋର ଭକ୍ରିକୁ ଆଶୀର୍ବାଦ କର ।।

ପଦ୍ମପୁର, ବରଗଡ଼

Leave a Reply

Your email address will not be published. Required fields are marked *