ଭକତ ବନ୍ଧୁ ହେ କୃପାସିନ୍ଧୁ

          ଭକତ ବନ୍ଧୁ ହେ କୃପାସିନ୍ଧୁ
               ( ରାଗ — କାଳୀ )

    🖊️କବିରତ୍ନ ନୂତନ କୁମାର ବେହେରା

ଭକତ ବନ୍ଧୁ ହେ କୃପାସିନ୍ଧୁ
                          ତୁମେ ତ ଅନ୍ତର୍ଯ୍ୟାମୀ,
କରୁଛି ଅଳି ଦେବନି ଟାଳି
                          ହେ ଜଗନ୍ନାଥ ସ୍ବାମୀ ।
ତୁମେ ଶ୍ରୀଧର ବଡ଼ଠାକୁର
                            ସଂସାରରେ ପରମ,
କରୁଣା କରି ରଖ ଉଦ୍ଧରି
                       ଆରତେ ଡ଼ାକେ ଅଧମ ।
ହେ ଭାବଗ୍ରାହୀ ପାରୁନି ସହି
                               ଜଗତର ଜଞ୍ଜାଳ,
ଦୁଃଖରେ ପଡ଼ି ଯାଉଛି ସଢ଼ି
                              ହେଉଛି ଟଳମଳ।
ଭବ ସାଗର ଅତି ଗଭୀର
                               ଅଥଳ ଥଳ ଜଳ,
ଯାଉଛି ଭାସି ସୁଅରେ ପଶି
                          ପାଉନି ଖୋଜି କୂଳ ।
ବନ୍ଧୁ ମହାନ୍ତି ପାଇଲେ ଶାନ୍ତି
                               ତୁମକୁ କରି ସ୍ତୁତି,
ଭକ୍ତ ଦାସିଆ ଦେଲେ ନଡ଼ିଆ
                         ନେଲ ହେ ହାତପାତି ।
ଅଇଁଠା କରି ଫଳ ଶବରୀ
                        ଦେବାରୁ ହାତେ ଟେକି,
ଖାଇଲ ବସି ଆନନ୍ଦେ ହସି
                            ତାଙ୍କ ମହତ ରଖି ।
କେତେ ଭକତ ଦୁଃଖ ଆରତ
                               ଶୁଣିଛ ମହାପ୍ରଭୁ,
ସର୍ବଦା କର ତାଙ୍କୁ ଉଦ୍ଧାର
                        ତୁମେ ହେ ମହାବାହୁ ।
ଆଶା ମୁଁ ରଖି ସପନ ଦେଖି
                           ତୁମକୁ ମାଗେ ଆଜି,
କର ହେ ଦୟା ଘୁଞ୍ଚାଇ ମାୟା
                           ସ୍ଵଚ୍ଛେ ରହିବି ମଜି ।
ଦେଖାଅ ବାଟ ଘଞ୍ଚୁ ସଂକଟ
                        ଆଲୋକ ପଥେ ଚାଲି,
କର କରୁଣା ନ କର ଊଣା
                             ମିଛକୁ ଯିବି ଭୁଲି ।
ଭକତ ବନ୍ଧୁ ହେ କୃପାସିନ୍ଧୁ
                             ଆଶିଷ ଦିଅ ଢ଼ାଳି,
ନିର୍ମଳ ମନେ ପବିତ୍ର ପ୍ରାଣେ
                           ଦେଉଛି ପୁଷ୍ପାଞ୍ଜଳି ।

   ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
    ‘ ନବସୃଜନ ‘ ଇ-ପତ୍ରିକା,
  କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *