ଭକତ ବନ୍ଧୁ ହେ କୃପାସିନ୍ଧୁ
ଭକତ ବନ୍ଧୁ ହେ କୃପାସିନ୍ଧୁ
( ରାଗ — କାଳୀ )
🖊️କବିରତ୍ନ ନୂତନ କୁମାର ବେହେରା
ଭକତ ବନ୍ଧୁ ହେ କୃପାସିନ୍ଧୁ
ତୁମେ ତ ଅନ୍ତର୍ଯ୍ୟାମୀ,
କରୁଛି ଅଳି ଦେବନି ଟାଳି
ହେ ଜଗନ୍ନାଥ ସ୍ବାମୀ ।
ତୁମେ ଶ୍ରୀଧର ବଡ଼ଠାକୁର
ସଂସାରରେ ପରମ,
କରୁଣା କରି ରଖ ଉଦ୍ଧରି
ଆରତେ ଡ଼ାକେ ଅଧମ ।
ହେ ଭାବଗ୍ରାହୀ ପାରୁନି ସହି
ଜଗତର ଜଞ୍ଜାଳ,
ଦୁଃଖରେ ପଡ଼ି ଯାଉଛି ସଢ଼ି
ହେଉଛି ଟଳମଳ।
ଭବ ସାଗର ଅତି ଗଭୀର
ଅଥଳ ଥଳ ଜଳ,
ଯାଉଛି ଭାସି ସୁଅରେ ପଶି
ପାଉନି ଖୋଜି କୂଳ ।
ବନ୍ଧୁ ମହାନ୍ତି ପାଇଲେ ଶାନ୍ତି
ତୁମକୁ କରି ସ୍ତୁତି,
ଭକ୍ତ ଦାସିଆ ଦେଲେ ନଡ଼ିଆ
ନେଲ ହେ ହାତପାତି ।
ଅଇଁଠା କରି ଫଳ ଶବରୀ
ଦେବାରୁ ହାତେ ଟେକି,
ଖାଇଲ ବସି ଆନନ୍ଦେ ହସି
ତାଙ୍କ ମହତ ରଖି ।
କେତେ ଭକତ ଦୁଃଖ ଆରତ
ଶୁଣିଛ ମହାପ୍ରଭୁ,
ସର୍ବଦା କର ତାଙ୍କୁ ଉଦ୍ଧାର
ତୁମେ ହେ ମହାବାହୁ ।
ଆଶା ମୁଁ ରଖି ସପନ ଦେଖି
ତୁମକୁ ମାଗେ ଆଜି,
କର ହେ ଦୟା ଘୁଞ୍ଚାଇ ମାୟା
ସ୍ଵଚ୍ଛେ ରହିବି ମଜି ।
ଦେଖାଅ ବାଟ ଘଞ୍ଚୁ ସଂକଟ
ଆଲୋକ ପଥେ ଚାଲି,
କର କରୁଣା ନ କର ଊଣା
ମିଛକୁ ଯିବି ଭୁଲି ।
ଭକତ ବନ୍ଧୁ ହେ କୃପାସିନ୍ଧୁ
ଆଶିଷ ଦିଅ ଢ଼ାଳି,
ନିର୍ମଳ ମନେ ପବିତ୍ର ପ୍ରାଣେ
ଦେଉଛି ପୁଷ୍ପାଞ୍ଜଳି ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
