ଅବିଭକ୍ତ ଜଗତସିଂହପୁର(ନିଆଳି )ର ପ୍ରଥମ ବିଧାୟକ ସଂଗ୍ରାମୀ ନୀଳମଣି ପ୍ରଧାନଙ୍କ ସ୍ମାରକୀ ନିର୍ମାଣ ପାଇଁ ଦାବୀ

ଜଗତସିଂହପୁର-୨୩/୬-ଓଡିଶାର ସ୍ୱାଧୀନତା ଆନ୍ଦୋଳନରେ ଜଗତସିଂହପୁର ଅଞ୍ଚଳର ଭୂମିକା ଅନନ୍ୟ। ନିଆଳି ଅଞ୍ଚଳଟି ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିଲା।ସ୍ୱାଧୀନତା ଆନ୍ଦୋଳନର ଶୀର୍ଷ ନେତୃତ୍ୱ ନବକୃଷ୍ଣ ଚୌଧୁରୀ,ମାଳତୀ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ,ରମା ଦେବୀ, ଭାଗିରଥି ମହାପାତ୍ର,ନିତ୍ୟାନନ୍ଦ କାନୁନଗୋ,ନୀଳମଣି ପ୍ରଧାନ ପ୍ରମୁଖ ଜଗତସିଂହପୁରଠିରେ ଅଳକା ଆଶ୍ରମ ସ୍ଥାପନ କରି ସ୍ୱାଧୀନତା ଆନ୍ଦୋଳନକୁ କ୍ରିୟାଶୀଳ କରିଥିଲେ। ଅଳକା ଆଶ୍ରମରେ ସଂଗ୍ରାମୀମାନଙ୍କୁ ତାଲିମ ଦିଆଯାଉଥିଲା।ସତ୍ୟବାଦୀର ବନବିଦ୍ୟାଳୟ ସହିତ ଅଳକା ଆଶ୍ରମର ଯୋଗସୁତ୍ର ରହିଥିଲା। ଅଳକା ଆଶ୍ରମର ପରିଚାଳକ ଭାବରେ ନୀଳମଣି ପ୍ରଧାନ କାମ କରିଛନ୍ତି।ପରବର୍ତ୍ତୀ ସମୟରେ ସେ ସ୍ଵରାଜ ଆଶ୍ରମର ପରିଚାଳକ କାମ ମଧ୍ୟ ତୁଲାଇଥିଲେ |ସେ କଂଗ୍ରେସ କମିଟି ସମ୍ପାଦକ,ରାଜ୍ୟ ରିଲିଫ କମିଟି ସମ୍ପାଦକ,ଅବିଭକ୍ତ କଟକ ଜିଲ୍ଲା ଯୋଜନା ବୋର୍ଡର ଚେୟାରମ୍ୟାନ ମଧ୍ୟ ଥିଲେ । ଗାନ୍ଧୀବାଦ ଆଦର୍ଶରେ ନିଜକୁ ସେ ଅନୁପ୍ରାଣିତ କରିଥିଲେ।୧୯୫୧ ମସିହାରେ ସେ ସ୍ୱାଧୀନ ଓଡିଶାର ପ୍ରଥମ ବିଧାୟକ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ଓ ପୁନଶ୍ଚ ୧୯୫୬ରେ ଦ୍ୱିତୀୟ ଥର ବିଧାୟକ ହୋଇ ୧୯୬୮ମସିହା ଡ଼ିସେମ୍ବର ୯ ତାରିଖ ରେ ବିଧାୟକ ଥିବା ସମୟରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ ।ସେ ଜୀବନ କାଳ ମଧ୍ୟରେ ଜଳ ସେଚନ,ଶିକ୍ଷା ଓ ଗମନା ଗମନର ବିକାଶ ପାଇଁ ବହୁ କାର୍ଯ୍ୟ କରିଛନ୍ତି।ଗୋସମ୍ପଦର ବିକାଶ ପାଇଁ ଜଗତସିଂହପୁରର ନାଲିବରଠାରେ ସେ ଏକ ଭେଟେନାରୀ ଟେକନି ସିଆନ ତାଲିମ କେନ୍ଦ୍ର ସ୍ଥାପନ କରିଥିଲେ ।ପରବର୍ତ୍ତୀ ସମୟରେ ଏହାକୁ କଟକ ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ଓ ଓଡିଶା କୃଷି ଓ ବୈଷୟିକ ମହା ବିଦ୍ୟାଳୟ ଓ ବର୍ତ୍ତମାନ ବିଶ୍ୱ ବିଦ୍ୟାଳୟ ନାମରେ ବିଦ୍ୟମାନ ।ଏହି ସଂଗ୍ରାମୀ ନିଆଳି ନିକଟ ବାହାରଣା ଗ୍ରାମରେ ଏକ ସାଧାରଣ ଚାଷୀ ପରିବାରରେ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ | ମାତ୍ର ଦୁଃଖର ବିଷୟ ନୀଳମଣି ପ୍ରଧାନଙ୍କ ଭଳି ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମାରକୀ କର୍ମସ୍ଥଳି ଜଗତସିଂହପୁର କିମ୍ବା ଜନ୍ମସ୍ଥାନ ନିଆଳୀରେ ଏପର୍ଯ୍ୟନ୍ତ ନିର୍ମାଣ କରାଯାଇ ନାହିଁ ।ବହୁବାର ଦାବୀ କରାଗଲେ ମଧ୍ୟ ଫଳ ଶୂନ।ନିଆଳି ସଦର ମହକୁମାରେ ଅବସ୍ଥିତ ନୀଳମଣି ସରକାରୀ ଉଚ୍ଚବାଳିକା ବିଦ୍ୟାଳୟଟି ଜାଗାଦେଇ ଥିବାରୁ ଡୋନର ହିସାବରେ ତାଙ୍କ ନାମରେ କରାଯାଇଛି ।ତାଙ୍କର ସମାଧିପୀଠ ଅବହେଳିତ ଅବସ୍ଥାରେ ପଡିଛି ।ନିଆଳି ପ୍ରଶାସନ ତୁରନ୍ତ ସ୍ମାରକୀ ନିର୍ମାଣ କରିବାକୁ ନିଆଳି ଆଞ୍ଚଳିକ ବିକାଶ ମଞ୍ଚ ତରଫରୁ ବିଦ୍ୟାଧର ରାଉତ,ବିପିନ ବାରିକ, ଯୋଗେନ୍ଦ୍ର ଦାସ,ନ୍ୟାୟବ୍ରତ ରାଉତ, ପିତାମ୍ବର ରାଉତ, ଅଶୋକ ରାୟ,ଉପକୂଳ ଓଡିଶା ବିକାଶ ପରିଷଦ ତରଫରୁ ସରୋଜ ନାୟକ,ଆର୍ତତ୍ରାଣ ପତି, ବେଣୁଧର ନାୟକ,ନୃସିଂହ ଚରଣ ବାରିକ,ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଦାବୀ କରିଛନ୍ତି |

Leave a Reply

Your email address will not be published. Required fields are marked *