କୋଣାର୍କ ହସ୍ତଶିଳ୍ପ ବ୍ୟବସାୟୀଙ୍କ ସ୍ଥାୟୀ ଥଇଥାନ ପାଇଁ ଦାବିପତ୍ର

କୋଣାର୍କ – ହସ୍ତଶିଳ୍ପ ବ୍ୟବସାୟୀ ମହାସଂଘର ଶତାଧିକ ବ୍ୟବସାୟୀ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ହସ୍ତଶିଳ୍ପ ବ୍ୟବସାୟ କରି ଦୀର୍ଘବର୍ଷ ହେବ ପରିବାର ପ୍ରତିପୋଷଣ କରି ଆସୁଛନ୍ତି। କୋଣାର୍କ ସୌନ୍ଦର୍ଯ୍ୟକରଣ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଓ ଜିଲ୍ଲା ପ୍ରଶାସନଙ୍କ ଆଲୋଚନା କ୍ରମେ ୨୦୦୩ ମସିହାରେ ଦୁଇ ରୁ ତିନି ବର୍ଷ ମଧ୍ୟରେ ସ୍ଥାୟୀ ଥଇଥାନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଏହାକୁ ସରସ ସୁନ୍ଦର କରିବା ପାଇଁ ମୁଖ୍ୟ ଶାସନ ସଚିବ ଉନ୍ନତ କ୍ରାଫ୍ଟ ମାର୍କେଟ କରିବା ପାଇଁ ୧୬.୪.୨୦୧୦ ରେ ନିର୍ଦେଶ ଦେଇଥିଲେ । ବିଭିନ୍ନ ସମୟରେ ଜିଲ୍ଲାପାଳ, ସବ କଲେକ୍ଟର, ଗୋପ ତହସିଲଦାର ଓ କୋଣାର୍କ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନେଇ ମାର୍କେଟର ସ୍ଥାୟୀ ଥଇଥାନ କରିବା ପାଇଁ ଚେଷ୍ଟା କରି ଆସୁଛନ୍ତି । ଉଚ୍ଚ ନ୍ୟାୟାଳୟ W.P C -14273 କେସ ଅନୁଯାୟୀ ସ୍ଥିତାବସ୍ଥା ନିର୍ଦ୍ଦେଶ ଅନୁସାରେ 27.08.2021 ତାରିଖରେ ଜିଲ୍ଲାପାଳ ପୁରୀଙ୍କ ଆଲୋଚନା କ୍ରମେ ସୂର୍ଯ୍ୟ ମନ୍ଦିର ପରିସରରୁ ବ୍ୟବସାୟୀ ମାନେ ଆସି ମଙ୍ଗଳା ମନ୍ଦିର ଗଳିରେ ଦୁଇଟି ଅସ୍ଥାୟୀ କ୍ରାଫ୍ଟ ମାର୍କେଟ କମ୍ପ୍ଲେକ୍ସ ବ୍ଲକ ଏନଏସି ଦ୍ଵାରା ନିର୍ମାଣ କରାଯାଇ ଥଇଥାନ କରାଯାଇଥିଲା। କିନ୍ତୁ ଜିଲ୍ଲାପାଳ ଙ୍କର ବୈଠକ ଆଲୋଚନାରେ ଜଗନ୍ନାଥ ମନ୍ଦିର ଠାରୁ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପର୍ଯ୍ୟନ୍ତ ନୋ ଭେଣ୍ଡିଂ ଜୋନ୍ ଘୋଷଣା କରାଯାଇଥିଲା । ପ୍ରଶାସନର ନିଷ୍କ୍ରିୟତା ପାଇଁ ତା ସମ୍ପୂର୍ଣ ବିଫଳ ହୋଇଥିଲା।

ଏକ ବର୍ଷ ର ଅପେକ୍ଷା ପରେ ନିଜ ନିଜ ପରିବାରର ଗୁଜୁରାଣ ପାଇଁ ଜିଲ୍ଲାପାଳ ପୁରୀଙ୍କ ସହିତ ମୌଖିକ ଆଲୋଚନା କରି ସୂର୍ଯ୍ୟ ମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟରେ ଯାଇଥିବା ରାସ୍ତାର ଦୁଇ ପାର୍ଶ୍ଵରେ ବସି ବ୍ୟବସାୟ କରି ଆସୁଛନ୍ତି ବ୍ୟବସାୟୀ । ଯାହା ବର୍ତ୍ତମାନ ମାନ୍ୟବର ଉଚ୍ଚ ନ୍ୟାୟାଳୟ W.P.C No-4974/2023 ବିଚାରଧୀନ ରହିଅଛି । କିନ୍ତୁ କିଛି ଦିନ ତଳେ ଦୋକାନ ଉଚ୍ଛେଦ ପାଇଁ ଗୋପ ତହସିଲଦାରଙ୍କ ନୋଟିସ ବ୍ୟବସାୟୀଙ୍କୁ ମର୍ମାହତ କରିଛି । ବ୍ୟବସାୟୀଙ୍କ ପରିବାରର ଜୀବନ ଜୀବିକା ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାର ପୁନଃ ବିଚାର ପାଇଁ ଆପତ୍ତି କରିଛନ୍ତି ବ୍ୟବସାୟୀ ମାନେ। ଏନେଇ ହସ୍ତଶିଳ୍ପ ବ୍ୟବସାୟୀ ସଙ୍ଘ ସୁବାସ ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଶତାଧିକ ବ୍ୟବସାୟୀ ମାନେ ନୀରବ ପ୍ରତିବାଦ କରିବା ସହ କୋଣାର୍କ ଜଗନ୍ନାଥ ମନ୍ଦିର ନିକଟରୁ ବଜାର ପରିକ୍ରମା କରି କୋଣାର୍କ ଏନଏସି ପର୍ଯ୍ୟନ୍ତ ନୀରବ ପଦଯାତ୍ରା କରିଥିଲେ। ସେଠାରେ ପୁରୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏନଏସି ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନାଙ୍କୁ ପ୍ରଦାନ କରିଥିଲେ। ଏଥି ସହିତ କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ଓ ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ଙ୍କୁ ମଧ୍ୟ ନକଲ କପି ପ୍ରଦାନ କରିଥିଲେ। ତା ସହିତ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜଗସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କାକଟପୁର ବିଧାୟକ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଙ୍କ ଉଦ୍ଦେଶ୍ୟରେ ଚିଠି ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *