ଏକ୍ସପ୍ରେସ୍ ଓ ଦ୍ରୁତଗାମୀ ଟ୍ରେନ୍ରେ ଅଧିକ ସାଧାରଣ ବୋଗି ଯୋଗ କରିବାକୁ ଦାବି
ବ୍ରହ୍ମପୁର, ତା.୧୦.୧୧.୨୦୨୫ରିଖ,ଭାରତୀୟ ରେଳରେ ପର୍ଯ୍ୟାପ୍ତ ବସିବା ବ୍ୟବସ୍ଥା ନଥିବା ଏବଂ ବିଶେଷକରି ଦ୍ରୁତ ଗାମୀ ଟ୍ରେନ୍ ମାନଙ୍କରେ ସାଧାରଣ ବୋଗି ମାନଙ୍କରେ ଅତ୍ୟଧିକ ଭିଡ଼ ସମସ୍ତ ଯାତ୍ରୀଙ୍କ ପାଇଁ ଗୁରୁତର ଚିନ୍ତାର କାରଣ ହୋଇଛି। ଟିକେଟ୍ ଥିଲେ ମଧ୍ୟ ଅନେକ ଯାତ୍ରୀ ବସିବା ସ୍ଥାନ ନ ମିଳିବାରୁ ଅସମ୍ଭବ ଭିଡ ଓ ଅସୁବିଧାପୂର୍ଣ୍ଣ ପରିସ୍ଥିତିରେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି ଅଥଚ ରେଲ୍ଓେ ଟ୍ରେନ୍ ଭିତରେ “ଆବଶ୍ୟକ ଥିବା ଲୋକଙ୍କୁ ଆସନ ଦିଅନ୍ତୁ” ବୋଲି ସୂଚନାଟି ଲେଖାଯାଇଛି ହେଲେ ସେଠାରେ ପର୍ଯ୍ୟାପ୍ତ ବସିବା ବ୍ୟବସ୍ଥା ନ ଥିବା ନିଶ୍ଚୟ ଏକ ଦୁଃଖଦ ଓ ବିଚିତ୍ର ଅବସ୍ଥା। ଏହା ଜନ ସେବା ଭାବନା ଓ ପ୍ରକୃତ ଅବସ୍ଥା ମଧ୍ୟରେ ବ୍ୟାପକ ପାର୍ଥକ୍ୟ ରହିଥିବା ସ୍ପଷ୍ଟ ଜଣାପଡ଼ୁଛି l ଗତ ଦଶବର୍ଷ ଧରି ନିରନ୍ତର ଦାବି ହେଉଥିଲେ ମଧ୍ୟ ଦ୍ରୁତ ଗାମୀ ଟ୍ରେନ୍ଗୁଡ଼ିକରେ ଅଧିକ ସାଧାରଣ ବୋଗି ଯୋଡ଼ାଯାଇନାହିଁ ବୋଲି ଅଧିକାଂଶ ଯାତ୍ରୀ କ୍ଷୋଭ ପ୍ରକାଶ କରୁଥିବା ସାଧାରଣରେ ଜଣା ପଡୁଛି l

ଅଲ୍ ଇଣ୍ଡିଆ ଖେତ ମଜଦୁର କିଶାନ ସଭା, ଗଞ୍ଜାମ ଜିଲ୍ଲା କମିଟି ସଭାପତି ତଥା ଆଇନଜୀବି ଅବନୀ ଗୟା ଦାବି କରିଛନ୍ତି ଯେ ଫାଲକନୁମା ଏକ୍ସପ୍ରେସ୍, କୋଣାର୍କ ଏକ୍ସପ୍ରେସ୍ ଏବଂ ହାୱଡ଼ା–ଚେନ୍ନାଇ ମେଲ୍ ଭଳି ଦ୍ରୁତ ଗାମୀ ଟ୍ରେନ୍ ଗୁଡିକରେ ଅଧିକ ସାଧାରଣ ବୋଗି ଯୋଡ଼ାଯାଉ। ଏତଦ୍ ସହ ସାଧାରଣ ଯାତ୍ରୀଙ୍କ ସୁବିଧା ଓ ଆତ୍ମସମ୍ମାନ, ନିରାପତ୍ତା ଓ ସୁନିଶ୍ଚିତ କରାଯିବା ଉଚିତ୍ ବୋଲି ଶ୍ରୀ ଗୟା ଦାବି କରିଛନ୍ତି l
