ଶ୍ରୀମନ୍ଦିରରେ ଆରମ୍ଭ ହେଲା ଦେବଦୀପାବଳି ନୀତି

ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ ସହ ଶ୍ରାଦ୍ଧ ମଧ୍ୟ ଦେଇଥାନ୍ତି। ଚତୁର୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ମହାପ୍ରଭୁ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବାର ପରମ୍ପରା ରହିଆସିଛି | ଆଜି ପ୍ରଥମ ଦିନ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ମହାପ୍ରଭୁ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପଦାନ ସହ ଓ ଶ୍ରାଦ୍ଧ ଦେବେ । ଆସନ୍ତାକାଲି ଦ୍ଵିତୀୟ ଦିନ ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ୟେଶ୍ୟରେ, ତୃତୀୟ ଦିନ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ,ବସୁଦେବ,ନନ୍ଦ,ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କ ଉଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି | ଏହିଦିନ ମାନଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶ ଧାରଣ କରିଥାନ୍ତି | ସଂଧ୍ୟାଧୂପ ପରେ ପୁଷ୍ପାଳକ ସେବାୟତ ମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ଵେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇଥାନ୍ତି।ଏହି ବେଶରେ ଶ୍ରୀବିଗ୍ରହମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ 16 ହାତ ,ଶ୍ରୀବଳଭଦ୍ର 14 ହାତ ଓ ଦେବୀ ସୁଭଦ୍ରା 12 ହାତ ଲମ୍ବ ବିଶିଷ୍ଟ ସୂତା ଶାଢୀ ବା ନାଗପୁରୀ ଶାଢୀ ପରିଧାନ କରିଥାନ୍ତି। ଶ୍ରାଦ୍ଧ ବେଶରେ ଠାକୁର ମାନେ ତଡଗୀ,ନଳୀଭୂଜ,ଚନ୍ଦ୍ର,ସୂର୍ଯ୍ୟ, କୁଣ୍ଡଳୀ,ଆଡକାନି,ହରିଡା ମାଳି, କମରପଟି ପ୍ରଭୃତି ସ୍ୱର୍ଣ୍ନ ଅଳଙ୍କାର ରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଆଜି ମଧ୍ୟ ନୀଳଚକ୍ର ନିକଟସ୍ଥ ଅଁଳା ବେଢାରେ ମହାଦୀପ ମଧ୍ୟ ପ୍ରଜ୍ବଳିତ ହୋଇଥାଏ | ମହାପ୍ରଭୁଙ୍କ ଏହି ପର୍ବକୁ ଦେବ ଦୀପାବଳି କୁହାଯାଏ |

Leave a Reply

Your email address will not be published. Required fields are marked *