ବିକଶିତ ଭାରତ ବିଲ୍ଡଥନ୍ 2025ବିଦ୍ୟାଳୟସ୍ତରୀୟ ଉଦ୍ଭାବକଙ୍କ ଲାଗି ଦେଶବ୍ୟାପୀ କାର୍ଯ୍ୟକ୍ରମ
ଭାରତର ସବୁଠୁ ବଡ଼ ବିଦ୍ୟାଳୟ ହ୍ୟାକାଥନ 1 କୋଟି ଛାତ୍ରଛାତ୍ରୀ (ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ)ଙ୍କୁ ସ୍ୱଦେଶୀ, ଆତ୍ମନିର୍ଭର ଭାରତ, ଭୋକାଲ ଫର୍ ଲୋକାଲ ଏବଂ ସମୃଦ୍ଧ ଭାରତ ବିଷୟ ଉପରେ ପ୍ରୋଟୋଟାଇପ୍ ତିଆରି କରିବାରେ ସାମିଲ ହେବା ଲାଗି ଆହ୍ୱାନ କରାଯାଉଛି।13 ଅକ୍ଟୋବର, 2025ରେ ଲାଇଭ୍ ଦେଶବ୍ୟାପୀ କାର୍ଯ୍ୟକ୍ରମ: ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ସବୁ ବିଦ୍ୟାଳୟଗୁଡ଼ିକରେ ରାଷ୍ଟ୍ରବ୍ୟାପୀ ସିଂକ୍ରୋନାଇଜଡ୍ ଲାଇଭ୍ ବିଲ୍ଡଥନ୍।ଜାତୀୟ ସ୍ତରର 10 ଜଣ ବିଜେତା, 100 ରାଜ୍ୟସ୍ତରୀୟ ବିଜେତା ଏବଂ 1000 ଜିଲ୍ଲାସ୍ତରୀୟ ବିଜେତାଙ୍କ ସହିତ 1 କୋଟି ଟଙ୍କାର ପୁରସ୍କାର ରାଶି।ନୀତି ଆୟୋଗର ଅଟଳ ନବୋନ୍ମେଷ ମିଶନର ସହଭାଗିତାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ଦେଶବ୍ୟାପୀ ଏକ ନୂତନ ଉଦ୍ଭାବନ ଅଭିଯାନ ବିକଶିତ ଭାରତ ବିଲ୍ଡାଥନ୍ 2025 ଆୟୋଜନ କରାଯାଉଛି ।ଏହି ସର୍ବବୃହତ ସ୍କୁଲ ହାକାଥନର ଲକ୍ଷ୍ୟ ହେଉଛି, ସ୍କୁଲ ସ୍ତରରେ ନବସୃଜନର ସଂସ୍କୃତିକୁ ସୁଦୃଢ଼ କରିବା, ଛାତ୍ରଛାତ୍ରୀମାନଙ୍କୁ ଚାରୋଟି ବିଷୟବସ୍ତୁ: ଆତ୍ମନିର୍ଭର ଭାରତ, ସ୍ୱଦେଶୀ, ଭୋକାଲ୍ ଫର୍ ଲୋକାଲ ଏବଂ ସମୃଦ୍ଧ ଭାରତ ଉପରେ ନୂଆ ଉପାୟ କିମ୍ବା ପ୍ରୋଟୋଟାଇପ୍ ନିର୍ମାଣ କରିବାକୁ ଉତ୍ସାହିତ କରିବା। ବିଲ୍ଡଥନର ଲକ୍ଷ୍ୟ ହେଉଛି ଆମ ଯୁବପିଢ଼ିଙ୍କ ମଧ୍ୟରେ ନବସୃଜନ, ସୃଜନଶୀଳତା ଏବଂ ସମସ୍ୟା ସମାଧାନକୁ ପ୍ରୋତ୍ସାହିତ କରିବା ଯାହା ଦ୍ୱାରା ସେମାନେ ଏକ ସମୃଦ୍ଧ, ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତର ପ୍ରମୁଖ ବାହକ ହୋଇପାରିବେ।ବିଲ୍ଡଥନ୍ ଜାତୀୟ ଶିକ୍ଷା ନୀତି (ଏନଇପି) 2020 ଅନୁଯାୟୀ ବ୍ୟବହାରିକ, ଅଭିଜ୍ଞତାମୂଳକ ଶିକ୍ଷା ପ୍ରଦାନ କରିବ। ଏହା ଆକାଂକ୍ଷୀ ଜିଲ୍ଲା, ଜନଜାତୀୟ ଏବଂ ଦୂରବର୍ତ୍ତୀ ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦେବା ସହିତ ସମାବେଶୀ ଭାଗିଦାରୀ ସୁନିଶ୍ଚିତ କରିବ।କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ସେପ୍ଟେମ୍ବର 23 ତାରିଖରେ ଏହି ବିଲ୍ଡଥନ୍ର ଶୁଭାରମ୍ଭ କରିଥିଲେ। ବର୍ତ୍ତମାନ 11 ଅକ୍ଟୋବର ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ପଞ୍ଜୀକରଣ ଖୋଲା ରହିଛି । 11ରୁ 12 ଅକ୍ଟୋବର ମଧ୍ୟରେ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତି, ବିଷୟ ଚୟନ ଏବଂ ସମାଧାନ ପାଇଁ ସାହାଯ୍ୟ କରିବା ଲାଗି ଦଳ ଗଠନ, ପଞ୍ଜୀକରଣ, ପରାମର୍ଶ, ମାନସ ମନ୍ଥନ ଅଧିବେଶନ, ବିଚାରବିମର୍ଶ ଶିବିର ଏବଂ ନବସୃଜନ ମଣ୍ଡଳ ସମେତ ପ୍ରସ୍ତୁତି କାର୍ଯ୍ୟକଳାପ କରାଯିବ। 13 ଅକ୍ଟୋବରରେ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ସମସ୍ତ ସ୍କୁଲରେ ଦେଶବ୍ୟାପୀ ସମନ୍ୱିତ ହୋଇଥିବା ଲାଇଭ୍ ବିଲ୍ଡଥନ୍ ଆୟୋଜିତ ହେବ । 13ରୁ 31 ଅକ୍ଟୋବର ମଧ୍ୟମରେ ବିଦ୍ୟାଳୟ ଦ୍ୱାରା ପୋର୍ଟାଲରେ ଆବେଦନ କରାଯିବ। ନଭେମ୍ବର 1ରୁ ଡିସେମ୍ବର 31 ମଧ୍ୟରେ ବିଶେଷଜ୍ଞ ପାନେଲଗୁଡ଼ିକ ଦ୍ୱାରା ଆବେଦନର ମୂଲ୍ୟାଙ୍କନ କରାଯିବ। 2026 ଜାନୁଆରୀରେ ଶୀର୍ଷ ଦଳ ଘୋଷଣା କରାଯାଇ ସମ୍ମାନିତ କରାଯିବ।ଏହାର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ପଞ୍ଜୀକରଣ ଏବଂ ଅନ୍ତିମ ଆବେଦନ (ବିଚାର ଓ ପ୍ରୋଟୋଟାଇପ୍) ଲାଗି ଏକ ସମର୍ପିତ ଜାତୀୟ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। 3ରୁ 5 ଛାତ୍ରଛାତ୍ରୀଙ୍କ ଏକ ଦଳ ବିଲ୍ଡଥନରେ ଭାଗ ନେବ ଏବଂ ଭିଡିଓ ରୂପରେ ଆବେଦନ (ବିଚାର ଓ ପ୍ରୋଟୋଟାଇପ୍) ଉପସ୍ଥାପନ କରିବେ। ଗୋଟିଏ ବିଦ୍ୟାଳୟରୁ ଦଳଗୁଡ଼ିକର ସଂଖ୍ୟାର କୌଣସି ସୀମା ରହିବ ନାହିଁ।ସ୍କୁଲ ସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ପ୍ରକଳ୍ପ ନିର୍ମାଣ କରିବାରେ ସାହାଯ୍ୟ କରିବା ପାଇଁ ଇନକ୍ୟୁବେସନ୍ ସେଣ୍ଟର, ମେଣ୍ଟର ଅଫ୍ ଚେଞ୍ଜ ନେଟୱାର୍କ, ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ କର୍ପୋରେଟଗୁଡ଼ିକର ସ୍ୱେଚ୍ଛାସେବୀ ଏବଂ ପରାମର୍ଶଦାତାମାନଙ୍କ ଦ୍ୱାରା ଉତ୍ସର୍ଗୀକୃତ ପରାମର୍ଶ ସହାୟତା ଯୋଗାଇ ଦିଆଯିବ।

ସମସ୍ତ ବିଦ୍ୟାଳୟ (ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ) କୁ ସାମିଲ କରି ଜାତୀୟ ସ୍ତରରେ ଭର୍ଚୁଆଲ୍ ଲାଇଭ୍ ଷ୍ଟ୍ରିମିଂ ଅଧିବେଶନ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମଟି ଦେଶବ୍ୟାପୀ ଖବର ଏବଂ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକରେ ପ୍ରସାରିତ ହେବ। ଆକାଂକ୍ଷୀ ବ୍ଲକ, ଆଦିବାସୀ ଅଞ୍ଚଳ, ସୀମାନ୍ତ ଗ୍ରାମ ଏବଂ ଦୁର୍ଗମ ଅଞ୍ଚଳର ବିଦ୍ୟାଳୟଗୁଡ଼ିକୁ ସ୍ୱତନ୍ତ୍ର ଆଲୋଚନା ପରିସରଭୁକ୍ତ କରାଯିବ। ବିଦ୍ୟାଳୟଗୁଡ଼ିକ ନବସୃଜନ କାର୍ଯ୍ୟକଳାପ ପରିଚାଳନା କରିବେ। ରାଜ୍ୟଗୁଡ଼ିକୁ ଗୋଷ୍ଠୀସ୍ତରୀୟ ନବସୃଜନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଉତ୍ସାହିତ କରାଯାଉଛି, ଯେଉଁଥିରେ ଏକାଧିକ ବିଦ୍ୟାଳୟ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯିବ। କାର୍ଯ୍ୟକ୍ରମ ପରେ, ସ୍କୁଲଗୁଡ଼ିକ ସେମାନଙ୍କର ନବସୃଜନ ପ୍ରବେଶର ଭିଡିଓ (ବିଚାର କିମ୍ବା ପ୍ରୋଟୋଟାଇପ୍) ଦାଖଲ କରିବେ।ସାରା ଭାରତର ସବୁ ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିପାରିବେ। ଗୋଟିଏ ବିଦ୍ୟାଳୟର ଛାତ୍ରଛାତ୍ରୀ ତିନିରୁ ପାଞ୍ଚ ଜଣିଆ ଦଳ ଗଢ଼ିବା ଉଚିତ୍। ଛାତ୍ରଛାତ୍ରୀ ସେମାନଙ୍କର ଶିକ୍ଷକଙ୍କ ସହାୟତାରେ ପଞ୍ଜୀକରଣ କରିପାରିବେ। ବିଦ୍ୟାଳୟ/ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କର ଛାତ୍ରଛାତ୍ରୀଙ୍କୁ ବିକଶିତ ଭାରତ ବିଲ୍ଡଥନ ପୋର୍ଟାଲ – vbb.mic.gov.in ପଞ୍ଜୀକରଣ ଲାଗି ପ୍ରୋତ୍ସାହିତ କରିବା ଆବଶ୍ୟକ। ପ୍ରତ୍ୟେକ ଦଳ ଚାରିଟି ବିଷୟବସ୍ତୁ ମଧ୍ୟରୁ କୌଣସି ଗୋଟିଏକୁ ବାଛିବେ। ଦଳଗୁଡ଼ିକ ସେମାନଙ୍କର ସାମାଜିକ ସମସ୍ୟା ସମାଧାନ ଲାଗି ଦଳ ବାଛିବେ। ଦଳଗୁଡ଼ିକ ଦୁଇରୁ ପାଞ୍ଚ ମିନିଟର ଭିଡିଓ ପ୍ରସ୍ତୁତ କରିବେ ସମସ୍ୟା ସମାଧାନ ସମ୍ପର୍କରେ ନିଜର ବିଚାର/ପ୍ରୋଟୋଟାଇପ୍ ଉପସ୍ଥାପନ କରିବେ। ଅକ୍ଟୋବର 13ରୁ 31 ମଧ୍ୟରେ ପୋର୍ଟାଲରେ ଭିଡିଓ/ସମରୀ ଦାଖଲ କରାଯିବା ଆବଶ୍ୟକ।ବିଶେଷଜ୍ଞଙ୍କ ଏକ ଦଳ ଆବେଦନଗୁଡ଼ିକୁ ମୂଲ୍ୟାଙ୍କନ କରିବା ପରେ ଚୟନିତ ଶୀର୍ଷ ବିଦ୍ୟାର୍ଥୀ ଦଳକୁ ପୁରସ୍କାର ଦିଆଯିବ। ଏହିସବୁ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀମାନେ ସେମାନଙ୍କର ନବସୃଜନକୁ ଆହୁରି ସୁଦୃଢ଼ କରିବା ପାଇଁ କର୍ପୋରେଟ୍ ଗ୍ରହଣୀୟତା, ମାର୍ଗଦର୍ଶନ ଏବଂ ସମ୍ବଳ ମାଧ୍ୟମରେ ଦୀର୍ଘକାଳୀନ ସହାୟତା ପାଇବେ। 10 ଜଣ ଜାତୀୟ ସ୍ତରୀୟ ବିଜେତା, 100 ଜଣ ରାଜ୍ୟ ସ୍ତରୀୟ ବିଜେତା ଏବଂ 1000 ଜଣ ଜିଲ୍ଲା ସ୍ତରୀୟ ବିଜେତାଙ୍କୁ ଚୟନ କରାଯିବା ସହିତ 1 କୋଟି ଟଙ୍କାର ଏକ ପୁରସ୍କାର ପୁଲ୍ ପ୍ରସ୍ତୁତ କରାଯାଇଛି।
