ବିକଶିତ ଓଡ଼ିଶା-୨୦୪୭

‘ବିକଶିତ ଓଡ଼ିଶା-୨୦୪୭’ ପାଇଁ ସରକାରଙ୍କ ରଣନୈତିକ ରୋଡମ୍ୟାପ୍ ‘ସକ୍ଷମ ଓଡ଼ିଶା’ ଶୀର୍ଷକ ଆଲୋଚନାଚକ୍ର
ଭୁବନେଶ୍ୱର, ୨୮ ଫେବୃଆରୀ, ୨୦୨୬ :
ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଓଡ଼ିଶା ସେଣ୍ଟର ଫର ଇଣ୍ଡିଗ୍ରେଟେଡ୍ ଡେଭେଲପମେଣ୍ଟ (ଓସିଆଇଡି) ର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ବିକାଶ ମନ୍ଥନ ୧.୦ – ଗଭର୍ଣ୍ଣାନ୍ସ ଇନ୍ ଆକ୍ସନ’ର ଦ୍ୱିତୀୟ ଦିବସର ଦ୍ଵିତୀୟ ଅଧିବେଶନରେ ‘ସକ୍ଷମ ଓଡ଼ିଶା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାକୁ ୨୦୪୭ ସୁଦ୍ଧା ଅଭିନବ ଚିନ୍ତାଧାରା, ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ଏହି ଐତିହାସିକ ଅଧିବେଶନରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଅବସରରେ ଓଡ଼ିଶାର ଅର୍ଥନୀତିକୁ ୧.୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବା ପାଇଁ ପାଞ୍ଚଟି ମୁଖ୍ୟ ସ୍ତମ୍ଭ ଉପରେ ଆଧାରିତ ଏକ ବହୁମୁଖୀ ରୋଡମ୍ୟାପ୍ ଉନ୍ମୋଚିତ ହୋଇଛି ।
ଆଲୋଚନା ଚକ୍ରରେ ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର(ଓରସାକ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ରଶ୍ମିତା ପଣ୍ଡା ଗବେଷଣା ଓ ଜ୍ଞାନଭିତ୍ତିକ ଅର୍ଥନୀତି ଉପରେ ୩୦୦ କୋଟି ଟଙ୍କାର ପ୍ରାରମ୍ଭିକ ପାଣ୍ଠି ସହିତ ‘ଓଡ଼ିଶା ରିସର୍ଚ୍ଚ ଆଣ୍ଡ ଇନୋଭେସନ ଫଣ୍ଡ (ଓଆରଆଇଏଫ)’ ର ଆରମ୍ଭ ନେଇ ପ୍ରକାଶ କରିଛନ୍ତି । ରାଜ୍ୟର ଅନୁସନ୍ଧାନ ଓ ବିକାଶ ଖର୍ଚ୍ଚକୁ ଜିଏସଡିପିର ୩.୫% କୁ ବୃଦ୍ଧି କରିବା ସହ ବାର୍ଷିକ ୫୦,୦୦୦ରୁ ଅଧିକ ପେଟେଣ୍ଟ ଦାଖଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏରୋସ୍ପେସ୍, ବାୟୋଟେକ୍ ଏବଂ ସ୍ୱଚ୍ଛ ଶକ୍ତି ଉପରେ ଏଥିରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ ।
ଉଚ୍ଚଶିକ୍ଷାର ରୂପାନ୍ତରଣ କ୍ଷେତ୍ରରେ ଉଚ୍ଚଶିକ୍ଷା ବିଭାଗର ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସ୍ମିତା ପାଣି କହିଥିଲେ ଯେ, ରାଜ୍ୟରେ ସମୁଦାୟ ନାମଲେଖା ଅନୁପାତ ୬୦%କୁ ବୃଦ୍ଧି କରିବା ଏବଂ ‘ମଲ୍ଟି-ଡିସିପ୍ଲିନାରୀ ଏଜୁକେସନ ଆଣ୍ଡ ରିସର୍ଚ୍ଚ ୟୁନିଭରସିଟି ’ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି । ‘କାଳିଆ’ ସ୍କଲାରସିପ୍ ଏବଂ ଶିକ୍ଷା ଋଣ ଉପରେ ୧୦୦% ସୁଧ ରିହାତି ମାଧ୍ୟମରେ ଆର୍ଥିକ ପ୍ରତିବନ୍ଧକ ଦୂର କରାଯାଉଛି ।
ଗୁଣାତ୍ମକ ଶିକ୍ଷା ପ୍ରଦାନ ସଂପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଡଃ ଏନ୍. ତିରୁମାଲା ନାୟକ ଶୂନ୍ୟ ଡ୍ରପଆଉଟ୍ ହାର ଏବଂ ୧୦୦% ସାକ୍ଷରତା ହାସଲ କରିବାକୁ ରାଜ୍ୟର ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି । ରାଜ୍ୟରେ ୪୪,୦୦୦ ‘ଶିଶୁ ବାଟିକା’ କାର୍ଯ୍ୟକ୍ଷମ ହେବା ସହ ୨୨,୦୦୦ ନୂତନ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ୧,୨୦୦ ବିଦ୍ୟାଳୟରେ ବୈଷୟିକ ଶିକ୍ଷା କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରାଯାଉଥିବା ସେ ପ୍ରକାଶ କରିଥିଲେ ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ‘ସ୍କିଲ୍‌ଡ-ଇନ୍-ଓଡ଼ିଶା’ ଅଭିଯାନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ସେମିକଣ୍ଡକ୍ଟର ଏବଂ ଏରୋସ୍ପେସ୍ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ‘ନାନୋ ୟୁନିକର୍ଣ୍ଣ’ ସୃଷ୍ଟି କରିବା ଏବଂ ଯୁବପିଢ଼ିଙ୍କୁ ଚାକିରି ଖୋଜିବା ପରିବର୍ତ୍ତେ ‘ନିଯୁକ୍ତିଦାତା’ ଭାବେ ଗଢିବାକୁ ଲକ୍ଷ୍ୟ ରଖାଯାଇଛି ।
କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଭାବେ ଶ୍ରୀ ପୁନିଆ ‘ଯୁବ ଓଡ଼ିଶା’ ଆନ୍ଦୋଳନ ପଦକ୍ଷେପକୁ ଉପସ୍ଥାପନ କରିଥିଲେ । ଏଥିରେ ୩୦ଟି ସମନ୍ୱିତ ଜିଲ୍ଲା କ୍ରୀଡ଼ା କେନ୍ଦ୍ର ଏବଂ ବିଶ୍ୱସ୍ତରୀୟ ପ୍ରତିଭା ଅନ୍ୱେଷଣ ପାଇଁ ‘ଖେଳ ରତ୍ନ ଖୋଜ ଅଭିଯାନ’ ଆରମ୍ଭ କରାଯାଇଛି ।

Leave a Reply

Your email address will not be published. Required fields are marked *