ଭାର୍ଗବୀ ଉଚ୍ଚ ବିଦ୍ୟାଳୟ ର ହୀରକ ଜୟନ୍ତୀ ରାଜ୍ୟପାଳଙ୍କ ଦ୍ଵାରା ଉଦଘାଟିତ।

ଛାତ୍ରଛାତ୍ରୀ ମାନେ ଦେଶ ନିର୍ମାଣ ର ଧାରକ ସାଜନ୍ତୁ।ଶିକ୍ଷା ପ୍ରଗତିଶୀଳ ସମାଜର ଭିତ୍ତିଭୂମି : ରାଜ୍ୟପାଳ।ପୁରୀ ୯/୨ ଛାତ୍ରଛାତ୍ରୀ ମାନେ ବଡ ସ୍ବପ୍ନ ଦେଖିବା ସହ ଏହାକୁ ସାକାର କରିବା ପାଇଁ ଅଧ୍ୟବସାୟ ଜାରି ରଖନ୍ତୁ।ଶିକ୍ଷା ପ୍ରଗତିଶୀଳ ସମାଜର ଭିତ୍ତିଭୂମି।ଛାତ୍ରଛାତ୍ରୀ ମାନେ ଦେଶ ନିର୍ମାଣ ର ଧାରକ ସାଜନ୍ତୁ ବୋଲି କହିଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି।ଆଜି ପୂର୍ବାହ୍ନରେ ବୀର ନରସିଂହପୁର ସ୍ଥିତ ଭାର୍ଗବୀ ଉଚ୍ଚ ବିଦ୍ୟାଳୟ ର ହୀରକ ଜୟନ୍ତୀ ସମାରୋହ କୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ରାଜ୍ୟପାଳ ଡ.କମ୍ଭମପାଟି ବିଦ୍ୟାଳୟ ସମୟ ଛାତ୍ରଛାତ୍ରୀ ଙ୍କ ପାଇଁ ଶ୍ରେଷ୍ଠ ସମୟ।ଏହା ଏକ ସୁନ୍ଦର ଭବିଷ୍ୟତ ଗଢିବାର ସୁବର୍ଣ୍ଣ ସୁଯୋଗ।ଶିକ୍ଷା କେବଳ ପରୀକ୍ଷାରେ ଅଧିକ ନମ୍ବର ହାସଲ ପାଇଁ ନୁହେଁ ବରଂ ଏହା ଜ୍ଞାନ ଆହରଣ, ଜିଜ୍ଞାସା ଓ ଅନୁସନ୍ଧିତ୍ସୁ ଭାବନା ବଢାଇ ଏକ ଉତ୍ତମ, ଦାୟିତ୍ୱବାନ ନାଗରିକ ହେବାକୁ ପ୍ରେରଣା ଦିଏ ବୋଲି ରାଜ୍ୟପାଳ କହିଥିଲେ।ବର୍ତ୍ତମାନ ବିଶ୍ୱ ନୂତନ ସୁଯୋଗ, ସମ୍ଭାବନା ଓ ଆହ୍ୱାନ କୁ ନେଇ ଦ୍ରୁତ ଗତିରେ ବଦଳୁଛି।ଏହି ପରିପ୍ରେକ୍ଷୀରେ ଯେଉଁମାନେ ଦୃଢ ପ୍ରତିଜ୍ଞ, ଜ୍ଞାନୀ ଓ ନବ ସୃଜନର ଅଧିକାରୀ ହେବେ ସେହିମାନେ ହିଁ ଏହି ପରିବର୍ତ୍ତନ ରେ ସଫଳ ହେବେ।

ବିଦ୍ୟାଳୟ କେବଳ ପାଠ୍ୟ ବିଷୟ ଶିକ୍ଷା ଲାଭର ସ୍ଥାନ ନୁହେଁ ବରଂ କୋମଳମତି ପିଲାଙ୍କ ପାଇଁ ଜ୍ଞାନ ଆହରଣ, ମୂଲ୍ୟବୋଧ ଓ ଉତ୍କୃଷ୍ଟ ଚରିତ୍ର ଗଠନ ଏବଂ ଶୃଙ୍ଖଳା ଶିଖିବାର ପ୍ରକୃଷ୍ଟ ଓ ପବିତ୍ର ସ୍ଥାନ।ହୀରକ ଜୟନ୍ତୀ ପାଳନର ଐତିହାସିକ ମୂହୁର୍ତ୍ତରେ ବିଦ୍ୟାଳୟ ଶିକ୍ଷା ର ଦୃଶ୍ୟ ପଟରେ ଜାତୀୟ ଶିକ୍ଷାନୀତି ୨୦୨୦ ର ରୂପାନ୍ତରଣ ଦୃଷ୍ଟିଭଙ୍ଗୀ ପ୍ରତିଫଳିତ ହେବା ଗୁରୁତ୍ୱପୂର୍ଣ୍ଣ।ନୂତନ ଶିକ୍ଷା ନୀତି ଆମ ଶିକ୍ଷା ବ୍ୟବସ୍ଥା କୁ ଅଧିକ ଅନ୍ତର୍ନିବେଶୀ,ସ୍ବୟଂ ସମ୍ପୂର୍ଣ୍ଣ ଏବଂ ଦକ୍ଷତା ଅଭିମୁଖୀ କରିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ।ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆଁ ରେ ଏହା ପିଲା ମାନଙ୍କୁ ବୈଷୟିକ ଭାବେ ସୁଦକ୍ଷ କରିବା ସହ ବୌଦ୍ଧିକ ବିକାଶ ଓ ଉନ୍ନତ ଚରିତ୍ର ନିର୍ମାଣ ରେ ସହାୟକ ହେବ।ଶିକ୍ଷକ ମାନେ ପିଲା ମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ସହ ପରିବର୍ତ୍ତନର ଧାରା ଓ ବୈଷୟିକ ଜ୍ଞାନ ପ୍ରଦାନ ରେ ସହଯୋଗ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ବିଧାନସଭା ର ବାଚସ୍ପତି ସୁରମା ପାଢ଼ୀ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଓଡ଼ିଆ ବିଶ୍ବବିଦ୍ୟାଳୟ ସତ୍ୟବାଦୀ ର କୁଳପତି ସବିତା ପ୍ରଧାନ ପ୍ରମୁଖ ଯୋଗ ଦେଇ ଉତ୍କୃଷ୍ଟ ଛାତ୍ରଛାତ୍ରୀ,ଉତ୍ତମ ଓ ଶୃଙ୍ଖଳିତ ସମାଜ ଗଠନରେ ଶିକ୍ଷାନୁଷ୍ଠାନ ର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ହୀରକ ଜୟନ୍ତୀ ସ୍ମରଣିକା ଭାର୍ଗବୀ ସୌରଭ କୁ ରାଜ୍ୟପାଳ ଉନ୍ମୋଚନ କରିବା ସହ ପୁରାତନ ଛାତ୍ର ପଦ୍ମଶ୍ରୀ ଡା ଅଶୋକ ମହାପାତ୍ର, ଶଲ୍ୟ ଚିକିତ୍ସକ ଡା ବାଳକୃଷ୍ଣ କୁଅଁର, ଶିକ୍ଷାବିତ ସୁରେଶ୍ବର ମିଶ୍ର ଓ ଦିବାକର ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ହୀରକ ଜୟନ୍ତୀ କମିଟିର ଅଧ୍ୟକ୍ଷ ପଦ୍ମଶ୍ରୀ ପ୍ରଫେସର ଡା ଅଶୋକ ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶୈଳାଧିରାଜ ତନୟା ଶତପଥୀ ସମସ୍ତଙ୍କୁ ସ୍ବାଗତ କରିବା ସହ ବିଦ୍ୟାଳୟ ସମ୍ପର୍କରେ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *