ନବୋଦୟ ବିଦ୍ୟାଳୟରେ ଛାତ୍ର ସଂସଦ , ଡିଜିଟାଲ ପୁସ୍ତକାଳୟ ଓ ଟିଙ୍କେରିଂ ପ୍ରୟୋଗଶାଳା

*ନବୋଦୟ ବିଦ୍ୟାଳୟରେ ଛାତ୍ର ସଂସଦ , ଡିଜିଟାଲ ପୁସ୍ତକାଳୟ ଓ ଟିଙ୍କେରିଂ ପ୍ରୟୋଗଶାଳା – ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ।*ତା ୨୨ .୧୨. ୨୦୨୪ ରିଖ , ରବିବାର ଦିନ ନବୋଦୟ ବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି ଛାତ୍ର ସଂସଦ, ଡିଜିଟାଲ ପୁସ୍ତକାଳୟ ଓ ଟିଙ୍କେରିଂ ପ୍ରୟୋଗଶାଳା । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ଓଡ଼ିଶାର ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ , ସମ୍ମାନୀୟ ଅତିଥି ରୂପେ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଧାୟକ ମାନ୍ୟବର ଅଶୋକ କୁମାର ଦାସ , ଭଦ୍ରକ ଜିଲ୍ଲାପାଳ ଏବଂ ପି ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦିଲ୍ଲୀପ ରାଉତରାୟ ଏବଂ ସ୍ଥାନୀୟ ସାନକୃଷ୍ଣପୁରର ସରପଞ୍ଚ ମହୋଦୟା ଯୋଗ ଦେଇ ଥିଲେ। ବିଦ୍ୟାଳୟର ବ୍ୟାଣ୍ଡ ଟିମ୍ ଅତିଥି ମାନଙ୍କୁ ପରିସରକୁ ପାଛୋଟି ଆଣିଥିଲେ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭକ୍ତି ପୁଷ୍ପ ଅର୍ପଣ କରି ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ

ଏବଂ ଅନ୍ୟ ଅତିଥିଗଣ ବିଦ୍ୟାଳୟରେ ଟିଙ୍କେରିଂ , ମୃତ୍ତିକା ପରୀକ୍ଷଣ ପ୍ରୟୋଗଶାଳା ଏବଂ ଡିଜିଟାଲ ପୁସ୍ତକାଳୟର ଉଦ୍ଘାଟନ କରିଥିଲେ। ଟିଙ୍କେରିଂ ପ୍ରୟୋଗଶାଳାରେ ଅତିଥିଗଣ ପ୍ରକଳ୍ପ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀ ମାନଙ୍କର ଅନୁସନ୍ଧିତ୍ସୁ ମାନସିକତାକୁ ପ୍ରଶଂସା କରିଥିଲେ ଏବଂ ବିଜ୍ଞାନପ୍ରତି ନିଜର ରୁଚିକୁ ପିଲାମାନଙ୍କ ସମ୍ମୁଖରେ ଉଜାଗର କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ଵନାଥ ଖିଲାର ଅତିଥି ମାନଙ୍କୁ ମଞ୍ଚ ଉପରେ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ସ୍ଵାଗତ କରିବା ସହ ସ୍ଵାଗତ ଅଭିଭାଷଣ ରଖିଥିଲେ । ପାରମ୍ପରିକ ଢଙ୍ଗରେ ଦିପପ୍ରଜ୍ଵଳନ କରି ଅତିଥିଗଣ ଛାତ୍ର ସଂସଦ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ପାଇଁ ଅନୁମତି ଦେଇଥିଲେ।ପିଲାମାନଙ୍କର ସଂସଦ ପ୍ରକ୍ରିୟାରେ ଭାଗିଦାରିକୁ ଲକ୍ଷ୍ୟକରି ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀଙ୍କୁ ବେଶ୍ ପ୍ରଶଂସା କରିଥିଲେ। ସଂସଦର ଗରିମାକୁ ଅକ୍ଷୁର୍ଣ୍ଣ ରଖିବା ନିମିତ୍ତ ଛାତ୍ର ଛାତ୍ରୀଙ୍କୁ ଏହାର ପ୍ରକ୍ରିୟା ସମ୍ବନ୍ଧିତ ଜ୍ଞାନର ଉପଯୋଗୀତା ସମ୍ବନ୍ଧରେ ଜଣାଇଥିଲେ । ଜୀବନର ପ୍ରତିଟି କ୍ଷେତ୍ରରେ ନେତୃତ୍ୱ ଭଳି ଗୁଣର ଅଭିବୃଦ୍ଧି କରିବାକୁ କହିଥିଲେ। ମାନ୍ୟବର ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ନିଜ ବକ୍ତବ୍ୟରେ ଗଣତନ୍ତ୍ରର ମୂଲ୍ୟବୋଧ ସମ୍ପର୍କରେ ଆଲୋକପାତ କରିଥିଲେ। ଶାସକ ଏବଂ ବିପକ୍ଷ ଦଳର ଭୂମିକା ଉପରେ ମଧ୍ୟ ଜ୍ଞାନ ବର୍ଦ୍ଧନ କରିଥିଲେ। ଜିଲ୍ଲାପାଳ ଏବଂ ପି ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦିଲ୍ଲୀପ ରାଉତରାୟ ସଫଳତା ଏବଂ ଆନନ୍ଦ ମଧ୍ୟର ପାର୍ଥକ୍ୟକୁ ବୁଝିବା ସହ ଜୀବନରେ ଆନନ୍ଦକୁ ଉପଲବ୍ଧି କରି ସଫଳ ହେବା ପାଇଁ ସମସ୍ତଙ୍କୁ କହିଥିଲେ। ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ସୌରଭ ବାନାର୍ଜୀ , ବିଜ୍ଞାନ ଶିକ୍ଷକ ଦେବୀ ପ୍ରସନ୍ନ ଶତପଥୀ ମଞ୍ଚ ସଞ୍ଚାଳନ ଏବଂ ଅର୍ଥଶାସ୍ତ୍ର ଅଧ୍ୟାପକ ହୃଷୀକେଶ ସ୍ୱାଇଁ ସଂସଦ ପ୍ରକ୍ରିୟା ସଞ୍ଚାଳନ କରିଥିଲେ । ରାଷ୍ଟ୍ରୀୟ ଗଣିତ ଦିବସ ପାଳନରେ ମଧ୍ୟ ଅତିଥିମାନେ ଅଂଶ ଗ୍ରହଣ କରିଥିଲେ ଏବଂ ଗଣିତ ପ୍ରକଳ୍ପ ଗୁଡ଼ିକୁ ବହୁ ଉତ୍ସାହ ସହ ଦେଖି ପିଲାମାନଙ୍କୁ ପ୍ରଶଂସା କରିଥିଲେ। ପରିଶେଷରେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀରେ ଟପ୍ପର ହୋଇଥିବା ଛାତ୍ର ଛାତ୍ରୀମାନେ ଅତିଥି ମାନଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *