ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ
ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶା ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସମନ୍ୱୟରେ ସମଗ୍ର ଓଡ଼ିଶାର 30 ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ପ୍ରସ୍ତୁତି ଆଗାମୀ ଅପ୍ରେଲ୍ 16 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯକ୍ରମରେ ଅପ୍ରେଲ୍ 16 ତାରିଖରୁ ମଇ 15 ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ । ଏହା ପୂର୍ବରୁ ଅପ୍ରେଲ୍ 1 ତାରିଖରୁ ଅପ୍ରେଲ୍ 15 ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସ୍ଵ-ଗଣନାର ପ୍ରାବଧାନ ରହିଛି । ଏହି କାର୍ଯକ୍ରମରେ Self-Enumeration Portal (SE) ପୋର୍ଟାଲ ମାଧ୍ୟମରେ ଜନସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରି ପାରିବେ । ଏହି ଗୃହ ଗଣନା ଏବଂ ଗୃହ ତାଲିକା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ସକାଶେ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ 67 ଜଣ ମାଷ୍ଟର ଟ୍ରେନର ତାଲିମ ଗ୍ରହଣ କରିଛନ୍ତି। ଏହି ତାଲିମ ପ୍ରାପ୍ତ ମାଷ୍ଟର ଟ୍ରେନରମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ 1552 କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ (Field Trainer) ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ଏହି କ୍ଷେତ୍ର ପ୍ରଶିକ୍ଷକମାନେ ରାଜ୍ୟର 30 ଟି ଜିଲ୍ଲାରେ 91 ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, 48 ଟି ପୌରପାଳିକା , 5 ଟି ମହାନଗର ନିଗମ ଓ 2 ଟି ଇନଡ଼ଷ୍ଟ୍ରିଆଲ ଟାଉନର 100875 ଗଣନାକାରୀ 17282 ସୁପରଭାଇଜାରମାନଙ୍କୁ ଏହି ମାସର 15 ତାରିଖରୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି, ଯେଉଁମାନଙ୍କ ଦ୍ଵାରା ମୋବାଇଲ ଆପ ମାଧ୍ୟମରେ ଗୃହଗଣନା ଏବଂ ଗୃହତାଲିକା କାର୍ଯକ୍ରମ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ଅନୁଷ୍ଠିତ ହେବ । ଜନଗଣନାର ଏହି କାର୍ଯକ୍ରମର ପ୍ରଚାର ପ୍ରସାର ସକାଶେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବ୍ରାଣ୍ଡ ଆମ୍ବାସାଡର ଭାବରେ କାର୍ଯ୍ୟ କରିବାକୁ ସ୍ଵୀକୃତି ପ୍ରଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ମହାନଗର ନିଗମର କମିଶନରମାନେ ପ୍ରମୁଖ ଜନଗଣନା ଅଧିକାରୀ ରହିଥିବା ସ୍ଥଳେ ଅତିରିକ୍ତ ଜିଲ୍ଲାପାଳମାନେ ଜିଲ୍ଲା ଜନଗଣନା ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଏଥି ସହିତ ଜିଲ୍ଲାପାଳଙ୍କ ଅଧିନରେ ପ୍ରତ୍ୟେକ ତହସିଲର ତହସିଲଦାର ଏବଂ ବୈଧାନିକ ସହରଗୁଡିକର କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଚାର୍ଜ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସରକାରଙ୍କର ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନୋଡାଲ ବିଭାଗ ଭାବରେ କାର୍ଯ୍ୟ କରୁଛି । ରାଜ୍ୟର ଗଣଶିକ୍ଷା ବିଭାଗର ପ୍ରାଥମିକ ଶିକ୍ଷକମାନଙ୍କୁ ଗଣନାକାରୀ ଭାବରେ ନିଯୁକ୍ତ କରାଯିବାର କାର୍ଯ୍ୟକ୍ରମ ରହିଛି ଏବଂ ହାଇସ୍କୁଲର ଶିକ୍ଷକମାନେ ସୁପରଭାଇଜର ଭାବରେ କାର୍ଯ୍ୟ କରିବେ ।ଭାରତୀୟ ଜନଗଣନାରେ ଏହା ହେଉଛି ପ୍ରଥମ ଡିଜିଟାଲ ଜନଗଣନା ଏବଂ ପ୍ରଥମ ଥର ପାଇଁ ଭାରତୀୟ ଜନଗଣନାରେ ସ୍ୱ-ଗଣନାର ପ୍ରାବଧାନ ରହିଛି, ଏବଂ ସ୍ୱ-ଗଣନାର ତଥ୍ୟକୁ ଗଣନାକାରୀଙ୍କ ଦ୍ୱାରା ପୁନରାୟ ଯାଞ୍ଚ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଜନଗଣନାରେ CMMS Portal ର ବ୍ୟବହାର ରହିବା ସହିତ ହାଉସ୍ ଲିଷ୍ଟିଙ୍ଗ ବ୍ଳକ ସୃଷ୍ଟି କରିବା ପାଇଁ ଡିଜିଟାଲ ମାଧ୍ୟମର ଉପଯୋଗ କରାଯାଇଛି ।ଏହି କାର୍ଯ୍ୟକ୍ରମ ଅପ୍ରେଲ୍ 1 ତାରିଖରୁ ମଇ 15 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଅପ୍ରେଲ୍ 16 ତାରିଖରୁ ତାଲିମପ୍ରାପ୍ତ ଗଣନାକାରୀମାନେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ।
