ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ
ସାକ୍ଷୀଗୋପାଳ,୧୮/୬– ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯୟ ସମୟରେ ଜିରୋ କାଜୁୟାଲିଟି ନିମନ୍ତେ ସତ୍ୟବାଦୀ ପଞ୍ଚାୟତ ସମିତି ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧକ୍ଷ ସୁନୀଲ କୁମାର ପଣ୍ଡା ଙ୍କ ଅଧକ୍ଷତରେ ବୈଠକ ଅନୁଷ୍ଠିତ ହୋଇଥିଲା । ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷୀରୋଦ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମ୍ମାନିତ ଅତିଥି ଭାବରେ ତହସିଲଦାର ଜୟନ୍ତ କୁମାର ଜୟସିଂ ଯୋଗ ଦେଇଥିଲେ। ଏହି ପ୍ରସ୍ତୁତି ବୈଠକରେ କୃଷି, ଉଦ୍ୟାନ, ପ୍ରାଣୀ ସମ୍ପଦ, ଯୋଗାଣ, ଶିକ୍ଷା, ବିଦ୍ୟୁତ, ଆରକ୍ଷୀ, ଅଗ୍ନିଶମ, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ବିଭାଗ ଗୁଡିକର ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ଯୋଗ ଦେଇ ପ୍ରାକୃତିକ, ମନୁଷ୍ୟ କୃତ ବିପର୍ଯ୍ୟୟ ସମୟରେ ଓ ପରେ କିପରି ଭାବରେ ଲୋକ ମାନଙ୍କୁ ସେବା ଯୋଗାଇ ଦେବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିପର୍ଯୟ ସମୟରେ ଲୋକମାନଙ୍କୁ ସେବା ତତ୍ପରତା ପାଇଁ ସତ୍ୟବାଦୀ ବ୍ଲକ ରେ ରହିଥିବା ବିଦ୍ୟାଧରପୁର, ବଳରାମପୁର ଗଡ଼, ଅଳଗୁମ ଓ ଶୁକଳ ପଞ୍ଚାୟତ ର ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକରେ ୨ ଭାଗରେ ବିଭକ୍ତ କରାଯାଇ ଆସନ୍ତା କାଲି ୪ଟି ପର୍ଯ୍ୟାୟରେ ମକଡ୍ରିଲ ଅଭ୍ୟାସ କରାଯିବ। ଏହି ମକଡ୍ରିଲରେ ବ୍ଲକ ର ବିଭାଗୀୟ କର୍ମଚାରୀ ଙ୍କ ସହିତ ଟ୍ରେନିଙ୍ଗ ପ୍ରାପ୍ତ ଆପଦ ମିତ୍ର ମାନେ ଯୋଗ ଦେଇ ବିଭିନ୍ନ ବିପର୍ଯୟ ସମୟ ରେ ଉଦ୍ଧାର କାର୍ଯ୍ୟର ଅଭ୍ୟାସ କରିବେ । ବାତ୍ୟା ଆଶ୍ରୟ ସ୍ଥଳର ସମ୍ପୃକ୍ତ ପଞ୍ଚାୟତ ସରପଞ୍ଚ ଓ ସମ୍ପାଦକ ଏହି ଦାୟିତ୍ୱ ନିର୍ବାହ କରିବେ। ସ୍ଥାନୀୟ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ବ୍ଲକ କୃଷି ଅଧିକାରୀ କଲ୍ୟାଣ କୁମାର ରାୟ, ସିଡ଼ିପିଓ ବିଜୟଲଷ୍ମୀ ଦାସ, ଯୋଗାଣ ନିରୀକ୍ଷିକା ଜୟଶ୍ରୀ ହରିଚନ୍ଦନ, ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ ଅନିତାରାଜ ପଣ୍ଡା, ଜିପିଇଓ ସୌଭାଗ୍ୟରଞ୍ଜନ କର,ସତ୍ୟବାଦୀ ଥାନା ପକ୍ଷରୁ ଏଏସଆଇ କୃଷ୍ଣ ଚନ୍ଦ୍ର ବେହେରା,ଏବିଭିଓ, ଏବିଇଓ ମୂଷା ମଲିକ ଏବଂ ସରପଞ୍ଚ ଦୁଃଶାସନ ପ୍ରଧାନଙ୍କ ସହିତ ଶୁକଳ, ବଳରାମପୁର ଗଡ଼ ଓ ଅଳଗୁମ ରେ ରହିଥିବା ଆଶ୍ରୟ ସ୍ଥଳର ସଭାପତି ଓ ସମ୍ପାଦକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
