ଆଭାସୀ ମାଧ୍ୟମରେ ଅନ୍ତୋଦୟ ଗୃହ ବଣ୍ଟନ।
ରଘୁନାଥପୁର,୩୦/୩(ପିଏନ୍ ଏସ) ରାଜ୍ୟରେ ଆଭାସୀ ମାଧ୍ୟମରେ ରବିବାର ଦିନ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହିତାଧିକାରୀ ମାନଙ୍କୁ ଅନ୍ତୋଦୟ ଗୃହ ବଣ୍ଟନ କରିଛନ୍ତି। ଏହି ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ ପକ୍କା ଘର ନିର୍ମାଣ କରିବା ପାଇଁ ସରକାର ୧ଲକ୍ଷ୨୦ ହଜାର ଟଙ୍କା ଅନୁଦାନ ରାଶି ଯୋଗାଇ ଦେଉଥିବାବେଳେ ୪ମାସ ମଧ୍ୟରେ ଘର ନିର୍ମାଣ ସଂପୂର୍ଣ୍ଣ କଲେ ୨୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ଏବଂ ୬ମାସ ମଧ୍ୟରେ ସଂପୂର୍ଣ୍ଣ କଲେ ୧୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ସଂପୃକ୍ତ ହିତାଧିକାରୀ ମାନଙ୍କୁ ଯୋଗାଇ ଦିଆ ଯିବାର ବ୍ୟବସ୍ଥା ରହିଥିବା ଜଣାଯାଇଛି। ଏହି ଯୋଜନାରେ ପକ୍କା ଘର ନଥିବା ଭିନ୍ନକ୍ଷମ ବ୍ୟକ୍ତି, ନାବାଳକ ସନ୍ତାନ ଥିବା ବିଧବା ମହିଳା ଓ ଦୁରାରୋଗ୍ୟରେ ପିଡୀତ ଥିବା ବ୍ୟକ୍ତିବିଶେଷ ମାନଙ୍କୁ ସାମିଲ କରାଯାଇ ଥିବା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ରବିବାର ଦିନ ରଘୁନାଥପୁର ବ୍ଲକର ୧୯ଟି ପଞ୍ଚାୟତର ୧୦୪ଜଣ ହିତାଧିକାରୀ ମାନଙ୍କୁ ଚିହ୍ନଟ କରା ଯାଇ ସେମାନଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯିବା ପୂର୍ବକ ବିଡିଓ ବିରେଞ୍ଚି ନାରାୟଣ ବେହେରା ଏକ ବର୍ଣ୍ଣାଢ଼୍ୟ ପରିବେଶରେ ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଡିଓ ଶ୍ରୀ ବେହେରାଙ୍କ ସମେତ ଏବିଡିଓ ଜ୍ଞାନଦା ନାୟକ,ଜିପିଇଓ ସ୍ମାରକ ରଂଜନ ମହାନ୍ତି, ଜିଲ୍ଲା ନୋଡାଲ ଅଫିସର ଦୀପକ ପରିଡ଼ା ଯୋଗ ଦେଇଥିବା ବେଳେ ବ୍ଲକ ଯୋଗାଣ ଅଧିକାରୀ ସନ୍ଦିପା ଦାସ,ବିପିସି(ଗୃହ) ଅନିତା ମହାପାତ୍ର,ବିପିଏମ ଲିପିକା ଷଡଙ୍ଗୀ,ବିପିସି ଶଶାଙ୍କ ଶେଖର ସ୍ଵାଇଁ,ସିପି ସୁନିଲ କୁମାର ମହାପାତ୍ର, କୁଞ୍ଜବିହାରୀ ପ୍ରଧାନ, ମନୋଜ ଭୋଇ, ସୁଚିତ୍ରା ନନ୍ଦ ପାଲ, ମୀନାରାଣୀ ଦାସ,ବିଶ୍ବଜିତା ଦାଶ,ତ୍ରୀନାଥ ଦାସ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ। କ୍ୟାସିୟର ଭବେଶ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ ହିତାଧିକାରୀ ମାନେ ଯୋଗଦେଇ ଥିଲେ। ରଘୁନାଥପୁର ପୋଲିସ ପକ୍ଷରୁ ଆଇନଶୃଙ୍ଖଳା ରକ୍ଷା କରା ଯାଇଥିଲା ଏବଂ ପ୍ରଚଣ୍ଡ ତାତିକୁ ଲକ୍ଷ କରି ଅଗ୍ନିଶମ ବିଭାଗର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ମୁତୟନ ରହିଥିଲେ।
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ
