ଧାରଣାର ତିନି ଦିନ ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଲା ।

ଗଣିଆ – ଭାରତୀୟ ବିକାଶ ପରିଷଦ ତରଫରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବଡସିଲିଙ୍ଗା ପଞ୍ଚାୟତର ସମସ୍ୟାର ସମାଧାନ ପାଇଁ ଗତ ୩ ଦିନ ଧରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିଥିଲେ । ଏହି ଅନଶନକୁ ସମର୍ଥନ ଜଣାଇ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ସରପଞ୍ଚ ସଶ୍ମିତା ସାହୁ, ସମିତି ସଭ୍ୟ ଜାନକୀ ଦେହୁରୀଙ୍କ ସମେତ ବଡସିଲିଙ୍ଗା ପଞ୍ଚାୟତର ପ୍ରାୟ ୨ ଶହରୁ ଅଧିକ ପୁରୁଷ ଏବଂ ମହିଳା ରାତି ଦିନ ବ୍ଳକ ସମ୍ମୁଖରେ ବସି ରହିଥିଲେ । ଦୁଇ ଦିନ ଧରି ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଆସି ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ କାହା କଥା ଶୁଣିନଥିଲେ । ତେବେ ଗୁରୁବାର ଦିବା ୨ ଘଟିକା ସମୟରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ବ୍ଳକ ଅଧ୍ୟକ୍ଷା ଝୁନା ଜେନା,ତହସିଲଦାର ପ୍ରିତିବାଳା ରଣା, ବିଡ଼ିଓ ସାଗର କୁମାର ନନ୍ଦ, ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା, ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ,ଉପ ସଭାପତି ନିରଞ୍ଜନ ଦାସ,ଯୁବ ସଭାନେତ୍ରୀ ସୁନିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ । ଉପଜିଲ୍ଲାପାଳ ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏପରିକି ବିଡ଼ିଓଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇ ପ୍ରତି ମାସରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ଯାହା ଯାହା ସମସ୍ୟା ରହିଛି ସେଗୁଡ଼ିକୁ ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମବାସୀଙ୍କ ଦାବି ଅନୁସାରେ ମୁଷିଗୁଡା ଠାରେ ଏକ ପୋଷ୍ଟ ଅଫିସ ଖୋଲାଯାଇ ଗୁରୁବାର ଠାରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ପଚାରିବାରୁ ଅନଶନ ବନ୍ଦ କରାଯାଇ ନାହିଁ ଅନିର୍ଦ୍ଦିଷ୍ଟ କାଳପାଇଁ ସ୍ଥଗିତ ରଖାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ଉପଜିଲ୍ଲାପାଳଙ୍କ ପ୍ରତିଶୃତିକୁ ସମ୍ମାନ ଜଣାଇ ଏ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସେ ଜଣାଇଛନ୍ତି । ଅନଶନରେ ବସିଥିବା ୫ ଜଣ ମହିଳା ଅସୁସ୍ଥ ହୋଇପଡିଥିବାରୁ ଉପଜିଲ୍ଲାପାଳ ସେମାନଙ୍କୁ ମେଡିକାଲ ପରିସରରେ ଭେଟି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ତେବେ ପ୍ରତିଶୃତି ପାଳନ ହେଉଛି କି ପୁଣିଥରେ ପ୍ରତିଶୃତିରେ ରହି ଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।

ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *