ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ୧୫୬ ତମ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ

ଜଗତସିଂହପୁର, ତା ୦୨.୧୦.୨୦୨୫ -ସତ୍ୟ ଅହିଂସା ର ପୂଜାରୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୬ ତମ ଜନ୍ମ ଜୟନ୍ତୀ , ତଥା ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଆଜି ଜିଲ୍ଲାରେ ମହାସମାରୋହରେ ପାଳିତ ହୋଇଯାଇଅଛି।ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଙ୍କ ସଭାପତିତ୍ବ ରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ଉପସ୍ଥିତ ସମସ୍ତଙ୍କୁ ଗାନ୍ଧିଜୀଙ୍କ ସତ୍ୟ ଅହିଂସା, କର୍ତ୍ତବ୍ୟ ପରାୟଣତା ର ମାର୍ଗ ରେ ଅଗ୍ରସର ହେବା ପାଇଁ ବାର୍ତ୍ତା ଦେଇଥିଲେ। ଗାନ୍ଧୀଜୀ ଙ୍କ ଚିନ୍ତନ ଓ ଆଦର୍ଶ କୁ ଅତି ସରଳ ଭାଷାରେ ଉପସ୍ଥାପିତ କରିଥିଲେ । ଶାସ୍ତ୍ରୀ ଜୀ ଙ୍କୁ ଶାନ୍ତି ର ଦୂତ ଭାବେ ଅଭିହିତ କରିଥିଲେ। ଉପସ୍ଥିତ ଛାତ୍ର ଛାତ୍ରୀ ତଥା ଅନ୍ୟମାନଙ୍କୁ ଗାନ୍ଧିଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ସ୍ଵଭାବ ରେ ସ୍ଵଚ୍ଛତା ଆଣିବା ପାଇଁ ଉପଦେଶ ଦେଇଥିଲେ। ଶ୍ରୀ ଦାସ ସମୟାନୁବର୍ତ୍ତିତା, ଶୃଙ୍ଖଳା, ତ୍ୟାଗ, ଏବଂ ଅହିଂସା ପରମ ଧର୍ମ କୁ ଜୀବନର ବ୍ରତ କରିବା ସହ ଶାସ୍ତ୍ରୀ ଙ୍କ ଶାନ୍ତ ସ୍ଵଭାବ ଆଣି କର୍ତ୍ତବ୍ୟ ପଥରେ ଆଗେଇ ଯିବା ପାଇଁ ଉପଦେଶ ଦେଇଥିଲେ। ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ଜନତାଙ୍କୁ ଗାନ୍ଧିଜୀଙ୍କ ଆଦର୍ଶରେ ବାଟ ଚାଲିବାକୁ କହିଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ଗାନ୍ଧିଜୀ ଙ୍କ ସତ୍ୟନିଷ୍ଠ ଭାବନା ଏବଂ ଶାସ୍ତ୍ରୀଜୀ ଙ୍କ ନିରାଡମ୍ବର ସରଳତା କୁ ଜୀବନ ରେ ପାଥେୟ କରି ବାଟ ଚାଲିଲେ ସଫଳତା ହାସଲ ହୋଇପାରିବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ।ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଗାନ୍ଧି ତଥା ଶାସ୍ତ୍ରୀଜୀଙ୍କ ଜୀବନ ସମ୍ବନ୍ଧିତ ବହୁ ତଥ୍ୟ ଉପସ୍ଥାପନ କରି ଉପସ୍ଥିତ ଜନତାଙ୍କୁ ଚରିତ୍ର ଗଠନ ଦିଗରେ ଯତ୍ନବାନ ହେବାକୁ ଉଦବୋଧନ ଦେଇଥିଲେ। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ। ଏହି ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭା ରେ ଜିଲ୍ଲାର ବରିଷ୍ଠ ବୁଦ୍ଧିଜୀବୀ, ଆଇନଜିବୀ, ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ, ଅଭିଭାବକ ତଥା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ର ପ୍ରାରମ୍ଭ ରେ କ୍ରିଷ୍ଣା କଲଚୁରାଲ ଗ୍ରୁପ ଦ୍ଵାରା ରାମଧୁନ ପରିବେଷଣ କରା ଯାଇଥିଲା।ବରିଷ୍ଠ ଶିକ୍ଷାବିତ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ ସଭାକାର୍ଯ୍ୟ ପରିଚାଳନା କରିଥିଲେ।ଗାନ୍ଧୀ ଜୟନ୍ତୀ ପରିପ୍ରେକ୍ଷୀରେ ଆଜି ପ୍ରାତଃ ୪ଘ.୩୦ ମିି ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡ଼ାକବାଜି ସାହାଯ୍ୟରେ ପୌରାଞ୍ଚଳରେ ରାମଧୂନ ପରିବେଷଣ କରାଯାଇଥିଲା।ପରେ ବିଦ୍ୟାଳୟ ଗୁଡିକରେ ପ୍ରଭାତ ଫେରିର ଆୟୋଜନ କରାଯାଇଥିଲା। ଥାନା ପରିସର ତଥା ଗାନ୍ଧୀ ଛକ ରେ ଥିବା ଗାନ୍ଧୀଜୀ ଙ୍କ ପ୍ରତିମୂର୍ତ୍ତୀ ରେ ମୁଖ୍ୟ ଅତିଥି, ଏବଂ ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *