ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ
ରାୟଗଡ଼ା-୮/୧୧-ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଶନିବାର ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଅଛି। ଉଦ୍ଘାଟନୀ ଉତ୍ସବରେ କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲାକା ଓ ଅପରାହ୍ଣରେ ରାୟଗଡ଼ ମାନ୍ୟବର ବିଧାୟକ କାଡ୍ରାକା ଆପାଲାସ୍ବାମୀ ମୁଖ୍ଯ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥିରୂପେ ଅତିରିକ୍ତ ଜିଲ୍ଳାପାଳ ନବୀନ ଚନ୍ଦ୍ର ନାଏକ, ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକ, ଏଡିଇଓ ଭଜନଲାଲ ମାଝୀ ଓ ଶାନ୍ତିଲତା ମୁନୀ, ଡିଆଇଇଟି ଅଧ୍ୟକ୍ଷ ଜଗନ୍ନାଥ ମେହେର , କୋଲନରା ବିଇଓ ମଞ୍ଜୁଲତା ଜେନା ପ୍ରମୂଖ ମଞ୍ଚାସୀନ ଥିଲେ। ରାୟଗଡାରେ ପ୍ରତିଭାର ଅଭାବ ନାହିଁ ।ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ନିଜର ପ୍ରତିଭାର ବିକାଶ କରନ୍ତୁ, କିନ୍ତୁ ନିଜ ମାଟିର ବିକାଶ ନିମନ୍ତେ ପ୍ରତିଭାଶାଳୀ ହୋଇ ନିଜମାଟିକୁ ଫେରିଆସି ମାଟିର ବିକାଶ ପାଇଁ ସମୟ ଦେବାକୁ ଅନୁରୋଧ କରିଥିଲେ । ନିଜ ଜୀବନୀର ଜ୍ବଳନ୍ତ ଦୃଷ୍ଟାନ୍ତ ଦେଇ ସାଂସଦ ଶ୍ରୀ ଉଲ୍ଲାକା ସମସ୍ତଙ୍କ ପ୍ରେରଣାର ଉତ୍ସ ପାଲଟିଥିଲେ । ବିଧାୟକ ଶ୍ରୀ କାଡ୍ରାକା ନିଜ ରାଜନୈତିକ ଜିବନୀର ଦୃଷ୍ଟାନ୍ତ ଦେଇ ପ୍ରଚେଷ୍ଟା ସର୍ବଦା ସଫଳତା ଆଡକୁ ପହଁଚାଇଥାଏ ବୋଲି କହିଥିଲେ। ପ୍ରତିଭା ଯେତେ ଛୋଟ ହେଉନା କାହିଁକି, ତା ମଧ୍ଯରେ ଅନେକ ସମ୍ଭାବନା ପୁରିରହିଥାଏ , ଏଣୁ, ନିଜ ଦକ୍ଷତା ପ୍ରତି ବିଶ୍ବାସ ରଖିବା ସହ ରାଜ୍ୟସ୍ତରରେ ସୁନାମ ଅର୍ଜନ ନିମନ୍ତେ ପ୍ରେରିତ କରିଥିଲେ ।

ମୋଟ ସତତିରିଷି ଗୋଟି ପ୍ରତିଯୋଗିତାରେ ଚାରିଶହ ପଚାଶ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଆଗାମୀ ଶିଶୁ ଦିବସ ଅବସରରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ରାଜ୍ୟସ୍ତରରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଞ୍ଚ ଦୁଲୁକି ଉଠିଥିଲା। ସୁରଭି ଲୁକ୍କାୟିତ ପ୍ରତିଭା ଅନ୍ବେଷଣର ଉପଯୁକ୍ତ ମଞ୍ଚ ତଥା ଏକ ମହାକୁମ୍ଭ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ନାଏକ କହିଛନ୍ତି।ସଂଯୋଜକ ଜ୍ଞାନରଂଜନ ସାହୁଙ୍କ ଆୟୋଜନରେ ଜିଲ୍ଲାର ସମସ୍ତ ବିଇଓ ଏବିଇଓ , ସିଆର୍ସିସି , ଶିକ୍ଷକ ସଂଘ କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟିତ୍ରୀ, ସମଗ୍ର ଶିକ୍ଷା କାର୍ଯ୍ୟାଳୟ କର୍ମକର୍ତ୍ତା ସହଯୋଗ କରିଥିଲେ।
