ଜିଲ୍ଲାସ୍ତରୀୟ ବର୍ଣ୍ଣବୋଧ ଦିବସ
ଭଦ୍ରକ ସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟ ଜିଲ୍ଲା ସ୍ତରୀୟ ବର୍ଣ୍ଣବୋଧ ଦିବସ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଅନୁକୂଳ୍ୟରେ ଆଜି ଭଦ୍ରକ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବର୍ଣ୍ଣବୋଧ ଦିବସ ଉତ୍ସାହ ଓ ଆନନ୍ଦର ସହିତ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷାର ମୂଳ ଅକ୍ଷର ଓ ବର୍ଣ୍ଣବୋଧ ବିଷୟରେ ସଚେତନ କରାଯାଇଥିଲା। ବିଭିନ୍ନ ଶିକ୍ଷାମୂଳକ କାର୍ଯ୍ୟକ୍ରମ, ପାଠ ପଢ଼ା ଓ ଆଲୋଚନା ମାଧ୍ୟମରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ବୃଦ୍ଧି କରାଯାଇଥିଲା।ଏହି ଉତ୍ସବ ପାଳନ ଅବସରରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେଠାରେ ଉପସ୍ଥିତ ଥିବା ପିଲାମାନଙ୍କୁ ବର୍ଣ୍ଣବୋଧର ଉପକାରିତା ଓ ଓଡ଼ିଆ ଭାଷାର ମହତ୍ତ୍ୱ ବିଷୟରେ କହିଥିଲେ।ଏହି କାର୍ଯ୍ୟକ୍ରମରେ ବର୍ଣ୍ଣବୋଧ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, ଭଦ୍ରକ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଶ୍ରୀ ଅଭୟ ଦାସ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଶ୍ରୀମତୀ ମନୋରମା ନାୟକ,

ସାହିତ୍ୟିକ ଅଭୟ ସୁତାର ଓ ହରେକୃଷ୍ଣ ମହତାବ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଦତ୍ତାତ୍ରେୟ ଦାଶ ପ୍ରମୁଖ ଯୋଗଦେଇ ବର୍ଣ୍ଣବୋଧର ଗୁରୁତ୍ୱ ଓ ଏହାର ସମସ୍ତ ଓଡ଼ିଆଙ୍କ ପ୍ରତି ଅବଦାନ ବିଷୟରେ ପିଲାମାନଙ୍କୁ ଅବଗତ କରାଇଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ଡା. ଜଗନ୍ନାଥ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜଗନ୍ନାଥ ସାହୁ, ବ୍ଲକ ଶିକ୍ଷା ଅଧିକାରୀ ଚକ୍ରଧର ମଲ୍ଲିକ ଏବଂ ଭଦ୍ରକ ଜିଲ୍ଲାର ବିଭିନ୍ନ ଗଣପ୍ରତିନିଧିମାନେ ଉପସ୍ଥିତ ରହି ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଏହି ପ୍ରୟାସକୁ ସଫଳ କରିବା ସହ ପିଲାମାନଙ୍କ ଉତ୍ସାହ ବଢ଼ାଇବା ସହ ପିଲାମାନକୁଂ ବର୍ଣବୋଧ ବଣ୍ଟା ଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସହାୟକ ଶିକ୍ଷକ ମନୋଜ କୁମାର ରାଉତ ପରିଚାଳନା କରିଥିବାବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକା ଶ୍ରୀମତୀ ହିମାଦ୍ରୀ ନନ୍ଦିନୀ ବିଶ୍ୱାଳ ସହଯୋଗ କରିଥିଲେ।
