ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା

ରାୟଗଡା-୧୫/୬-ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ନୂଆ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଇଥିବା ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ ସୃଷ୍ଟି କରିବା ନିମନ୍ତେ ରାଜ୍ୟ ବ୍ୟାପୀ ଜୁନ ୧୨ ତାରିଖରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି lଏହି ମେଳରେ ସାଧାରଣ ସଭା, ଷ୍ଟଲ ପ୍ରଦର୍ଶନ,ଆଲୋଚନା ଚକ୍ର, ବିଭିନ୍ନ ବିଭାଗ ଦ୍ଵାରା ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ସହାୟତା ପ୍ରଦାନ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ,ନୂତନ ରେସନ୍ କାର୍ଡ, ନିର୍ମାଣ ଶ୍ରମିକ କାର୍ଡ ପ୍ରଦାନ ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଅଛି। ରବିବାର ଦିନ ଜିଲ୍ଲାପାଳ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବିକାଶ ମେଳାର ୪ର୍ଥ ଦିବସର ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା,ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣୀ ବିଭାଗ ଓଡିଶା ଯୋଗଦେଇ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ନୂଆ ସରକାର କଥା ଦେଇ କଥା ରଖି ରାଜ୍ୟର ଜନସାଧାରଣଙ୍କ ହିତ ଉଦ୍ଦେଶ୍ଯରେ କାର୍ଯ୍ୟକାରୀ କରିଥିବା ଓ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ବିକାଶମୁଖୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।

ରାୟଗଡ଼ ଜିଲ୍ଲାର ପ୍ରଭାରୀ ଦାୟିତ୍ଵ ତୁଲାଉ ଥିବାରୁ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ ଆବଶ୍ୟକ ସମସ୍ତ ପଦେକ୍ଷପ ସରକାରଙ୍କ ତରଫରୁ ନିଆଯିବ ଓ ଏଥିପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ମାନ୍ୟବର ମନ୍ତ୍ରୀ ଦର୍ଶାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସହାୟତା ବଣ୍ଟନ ସହ ହିତାଧିକାରୀଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଯଥା ନିର୍ମାଣ ଶ୍ରମିକ ସହାୟତା ରାଶି,ଆୟୁଷ୍ମାନ କାର୍ଡ, ବୟୋ ବନ୍ଦନା କାର୍ଡ, ଅନ୍ତୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ଇତ୍ୟାଦି ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀଙ୍କ କରକମଳରେ ପ୍ରଦାନ କରାଯାଇଥିଲା। ଜିଲ୍ଲାରେ ଅନୂସୁଚିତ ଜନଜାତିଙ୍କ ସଂଖ୍ୟା ସର୍ବାଧିକ ତଥା ଡଙ୍ଗରିଆ କନ୍ଧ ଓ ଲାଞିଆ ସୌରା ଭଳି ଆଦିମ ଜନଜାତି ବସବାସ କରୁଛନ୍ତି ।

ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ବିକାଶର ଧାରାକୁ ପୁରପଲ୍ଲୀରେ ପହଞ୍ଚାଇବାରେ ବଳିଷ୍ଠ ପଦକ୍ଷେପ ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ । ଆଜି ଆପଣଙ୍କ ଘର ପାଖକୁ ସରକାର ବିକାଶ ପହଂଚାଇଛନ୍ତି । ଅପାର ସମ୍ଭାବନାର ଜିଲ୍ଲା ପାଇଁ ପୁଣି ଅନେକ ସଂକଳ୍ପ ବାକି ରହିଛି । ଦଳମତ ନିର୍ବିଶେଷରେ ସେଗୁଡିକୁ ସଫଳ କରିବାକୁ ହେବ ବୋଲି ସେ ଆହ୍ବାନ କରିଥିଲେ । ନିଜ ବକ୍ତବ୍ଯରେ କାଶିପୁର ଲିଚୁ ଓ ଆମ୍ବ, ନୀୟମଗିରୀ ସପୁରୀ ଓ ଜିଲ୍ଲାର ମାଣ୍ଡିଆ ଚାଷର ଓ ସ୍ବାଦର ଭୂୟସୀ ପ୍ରଶଂସା କରିବାକୁ ଭୁଲିନଥିଲେ । ମୁଖ୍ଯ ଉନ୍ନୟନ ଅଧିକାରୀ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ ଓ ଅତିରିକ୍ତ ଜିଲ୍ଳାପାଳ ନବୀନ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ମାନ୍ୟବର ମନ୍ତ୍ରୀ ପଡିଆରେ ସମସ୍ତ ଷ୍ଟଲ ବୁଲି ଦେଖିଥିଲେ ଓ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ଯଙ୍କ ସହ ଆଲୋଚନା କରିଥିଲେ । ମାଁ ପାଇଁ ଗଛଟିଏ ଯୋଜନାରେ ଜିସିଡି ପଡିଆରେ ବୃକ୍ଷ ରୋପଣ କରିଥିଲେ । ପରେ ମଞ୍ଚରେ ସାଂସ୍କତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *