ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ କାର୍ଯ୍ୟକ୍ରମ
ପୁରୀ ୨/୪ ଆଜି ଜିଲ୍ଲାସ୍ତରୀୟ ଓ ପୁରୀ ସଦର ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ କାର୍ଯ୍ୟକ୍ରମ ପୋଲିସ ହାଇସ୍କୁଲ ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ଶରତ ଚନ୍ଦ୍ର ବେହେରା ଶୁଭାରମ୍ଭ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର, ହିମାଂଶୁ ଭୂଷଣ ସମରଥ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡା,ଦେବସ୍ମିତା ମହାପାତ୍ର, ରତିକାନ୍ତ ସାହୁ, ସ୍ଵାଧୀନ କୁମାର ପ୍ରଧାନ, ରାମକୃଷ୍ଣ ଦାସ, ଅମିୟ ରଞ୍ଜନ ପରିଡା , ପୁରୀ ସଦର ମଣ୍ଡଳ ଶିକ୍ଷା ଅଧିକାର ପ୍ରମୋଦ କୁମାର କର ଓ କର୍ମକର୍ତ୍ତା, ଜିଲ୍ଲା ସାଧନ ସଂଯୋଜକ ରମେଶ ଚନ୍ଦ୍ର ସାହୁ, ଅନୁସୂଚିତ ଜାତି ଓ ଜନଜାତି ସଂଯୋଜକ ବରଦା ପ୍ରସନ୍ନ ରାଉତ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବରାମ ମିଶ୍ର ଓ କର୍ମକର୍ତ୍ତା, ସଦର ବ୍ଲକର ସମସ୍ତ CRCC ଓ ଶିକ୍ଷକ ଅଂଶଗ୍ରହଣ କରି ଏହାର ସଫଳ ରୂପାୟନ ଦିଗରେ କମ କରିଥିଲେ।ରାଜ୍ୟର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ। ଏହି ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ନୂତନ ଶିକ୍ଷନୀତି, NEP-୨୦୨୦ ଅନୁଯାୟୀ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ଆରମ୍ଭ କରାଯାଇଅଛି।

ଏଥିରେ ପାଞ୍ଚ ବର୍ଷରୁ ଅଧିକ ବର୍ଷର ପିଲା ମାନଙ୍କୁ ଏକ ଉତ୍ତମ, ସଂଗଠିତ ଏବଂ ଅନୁଭୂତି ମୂଳକ ଶିକ୍ଷଣ ପରିବେଶ ପ୍ରଦାନ କରାଯିବ। ଏହି କ୍ରମରେ ପୁରୀ ଶିକ୍ଷା ଜିଲ୍ଲା ତରଫରୁ ଅପ୍ରେଲ ୨ ତାରିଖରେ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଅଛି। ଏହି ଶୁଭ ଅବସରରେ ପିଲାମାନଙ୍କୁ ମା ମାନେ ମଞ୍ଚ ଉପରେ ଖଡିଛୁଆଁ କରାଇ ପିଲାଙ୍କର ଶିକ୍ଷାର ଅୟମାରମ୍ଭ କରିଥିଲେ। ପିଲାଙ୍କର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ଶିକ୍ଷଣ ସାମଗ୍ରୀ, ବାଲୁକା କୋଣ ( sand corner ), ଯାଦୂପେଡି ଇତ୍ୟାଦିର ପ୍ରଦର୍ଶନ ସହ ବିଭିନ୍ନ ଛାଯା ନାଟକ ଓ ଛୋଟ ଛୋଟ ପିଲାଙ୍କ ଦ୍ୱାରା ନାଚ ଗୀତ କାର୍ଯ୍ୟକ୍ରମକୁ ଅଧିକ ମନୋରମ ଓ ଆକର୍ଷଣୀୟ କରିଥିଲା। ଶିଶୁବାଟିକାରେ ନାମଲେଖା ଓ ଅଭିଭାବକଙ୍କ ସଚେତନତା ପାଇଁ ଏକ ଶିକ୍ଷା ସଚେତନ ରଥ ଉଦଘାତନ କରାଯାଇଅଛି। ଏହି ସଚେତନତା ରଥ ପୁରୀସଦର ବ୍ଲକ ଓ ମୁନିସିପାଲିଟିରେ ପ୍ରାୟ ୯ ଦିନ ଧରି ଗଡି ଅଭିଭାବକ ମାନଙ୍କୁ ସଚେତନ କରାଇବ।
