ଜିଲ୍ଲା ସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ

ଗଞ୍ଜାମ ଜିଲ୍ଲାରେ ଡିସୋମ୍ବର ୨୩ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବଛତ୍ରପୁର ,ଚଳିତ ବର୍ଷ ଖରିଫ୍ ଋତୁର ଧାନ କିଣା ପ୍ରକ୍ରିୟା ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖସଡା ପ୍ରସ୍ତୁତ କରାଯାଇଅଛି । ଏନେଇ ଜିଲ୍ଲା ସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାରକ ପାଣିଗ୍ରାହୀ, ଆସ୍କା ସାଂସଦ ଅନୀତା ଶୁଭଦର୍ଶନୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଖରିଫ୍ ବର୍ଷ ୨୦୨୪-୨୫ ର ଧାନ କ୍ରୟ ସମ୍ପର୍କରେ କରାଯାଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ଅବଗତ ହୋଇଥିଲେ । କିଭଳି ଚଳିତ ବର୍ଷ କୃଷକଗଣ ବିନା ଦ୍ବିଧାରେ ନିଜର ଧାନ ମଣ୍ଡିକୁ ଆଣି ବିକ୍ରି କରିବେ ତାହା ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଧାନ କିଣାର ତାରିଖ କଣ ରହିବ, କଣ ସବୁ ବ୍ୟବସ୍ଥା କରାଯାଇଛି, କିଭଳି ସମନ୍ବୟରେ ଏବଂ କାହା ଦ୍ବାରା ଧାନ ନିର୍ଦ୍ଧାରିତ ସମୟରେ କିଣା ହେବ, କଟନି ଛଟନି ବ୍ୟବସ୍ଥା ଓ ନିର୍ଦ୍ଧାରିତ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଜମା ଖାତାକୁ ଟଙ୍କା ଯିବ, ଧାନ ସଂଗ୍ରହ ପ୍ରକ୍ରିୟାରେ ସ୍କ୍ବାଡର ପ୍ରସ୍ତୁତି ଓ ଚଢାଉ, ଏଫ୍ଏ କ୍ବ ( ଫେୟାର ଆଭରେଜ୍ କ୍ବାଲିଟି) କଣ ସବୁ ରହିବା ଦରକାର ସେ ସମ୍ପର୍କରେ ବୈଠକକୁ ଅବଗତ କରାଇଥିଲେ । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଧାନ ସଂଗ୍ରହର ପ୍ରସ୍ତୁତି କିଭଳି କରାଯାଇଛି ସେଗୁଡିକର ସବିଶେଷ ତଥ୍ଯ ଉପସ୍ଥାପନ କରିଥିଲେ । ଧାନ ସଂଗ୍ରହ ସକାଶେ ଚାଷୀଙ୍କ ଠାରୁ ଧାନ କିଣିବା ସମୟରେ ଏଫ୍.ଏ.କ୍ୟୁ ମାନର ଧାନ କିଣାଯିବ । ଚାଷୀଗଣ ଯେଭଳି ସଠିକ ଏଫ.ଏ.କ୍ୟୁ ଧାନ ବିକ୍ରିକରିବା ସକାଶେ ମଣ୍ଡି କୁ ଧାନ ଆଣିବେ, ସେଥି ସକାଶେ ସଚେତନତା ପ୍ରକ୍ରିୟା କରିବାକୁ ବ୍ୟାପକ କରାଯିବ । ଧାନ କ୍ରୟ ସମୟରେ କଟନି ଛଟନି ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ । ଚାଷୀକୁଳକୁ ସଚେତନ କରାଇ କିଭଳି ଉନ୍ନତମାନର ଧାନ ବିକ୍ରି କରିବାକୁ ମଣ୍ଡିକୁ ଧାନ ଆଣିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଗୁରୁତ୍ବ ଆରୋପ କରାଯାଇଛି । ବିଗତ ବର୍ଷର ଗଚ୍ଛିତ ଚାଉଳ ଏଫ୍.ସି.ଆଇ. ଉଠାଇ ନଥିବା ସମ୍ପର୍କରେ ଆଲୋଚନା ହୋଇ ଧାନ ସଂଗ୍ରହ ପୂର୍ବରୁ ଏଫ୍.ସି.ଆଇ. କୁ କୁହାଯାଇଛି । ଯାହା ଫଳରେ ଏଫ୍.ସି.ଆଇ. ଗୋଦାମର ସ୍ଥାନ ଖାଲିହେବ ଚଳିତ ବର୍ଷର ସଂଗୃହୀତ ଧାନ ସେହିଠାରେ ରହିବ । ଗତ ବର୍ଷ ୩୩୧୦୦୦ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟକୁ ଆଧାର କରି ୪୪୪୮୫୬. ୫୬୯ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଥିଲା । ଯାହାକି ଶତକଡା ୯୦. ୦୫ । ଚଳିତ ଖରିଫ୍ ୨୦୨୪-୨୫ ଧାନ ବିକ୍ରୟ କରିବା ନିମନ୍ତେ ୧୪୬୫୦୪ ଚାଷୀ ପଞ୍ଜିକରଣ କରିଛନ୍ତି । ସମସ୍ତ ଚାଷୀଙ୍କୁ ଏଫ୍.ଏ.କ୍ବୁ ସମ୍ପର୍କରେ ପ୍ରତି ୧୦୦ ଜଣ ଚାଷୀଙ୍କୁ ନେଇ ସଚେତନତା କରାଇବା ସକାଶେ ବ୍ୟବସ୍ଥା କରାଯାଇଛି । ତତ୍ ସହିତ ଏଫ୍.ଏ.କ୍ୟୁ ସମ୍ପର୍କରେ ବିପୁଳ ପ୍ରଚାର ପ୍ରସାର କରାଯିବ । ଚଳିତ ବର୍ଷର ଧାନ ଆସନ୍ତା ଡିସେମ୍ବର ୨୩ ତାରିଖ ଠାରୁ ଧାନ ସଂଗ୍ରହ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା । କୌଣସି ଠାରେ କିଛି ସମସ୍ୟା ଦେଖାଦେଲେ ହେଲ୍ପ ଲାଇନ୍ ନମ୍ବର ଦ୍ବାରା କଣ୍ଟ୍ରୋଲ ରୁମ୍ କୁ ଜଣାଇବା ପାଇଁ ବ୍ୟବସ୍ଥା କରାଯିବ । ଏଥି ସକାଶେ ହେଲ୍ପ ଲାଇନ୍ ନମ୍ବର ସମସ୍ତଙ୍କ ଅବଗତି ନିମନ୍ତେ ବିଭିନ୍ନ ମିଡିଆରେ ପ୍ରଚାର ପ୍ରସାର କରାଯିବ । ମଣ୍ଡି ପ୍ରସ୍ତୁତି, ନୋଡାଲ ଅଫିସର ନିଯୁକ୍ତି/ମଣ୍ଡି ସୁପରଭାଇଜର ଅଫିସର, ବ୍ଲକ୍ ନୋଡାଲ ଅଫିସର, ସ୍କ୍ବାଡ ପ୍ରସ୍ତୁତି , ଟୋକେନ୍ , ଧାନ ଗଚ୍ଛିତ ରଖିବା ସକାଶେ ସ୍ଥାନ, ଧାନର ମାନ ଯାଂଚ୍ କରିବା ଇତ୍ଯାଦି ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା । ପରିଶେଷରେ ଅତିରିକ୍ତ ଜିଲ୍ଲପାଳ ଡ ପ୍ରମୋଦ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା ମଞ୍ଚାସୀନ ଥିଲାବେଳେ ଚାଷୀ, ମିଲର, ଏଫ୍.ସି. ଆଇ. ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *