ପୁରୀରେ ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳିତ

ଆହ୍ୱାନପୁରୀ :୨୨/୧ପୁରୀ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ଆନୁକୂଲ୍ୟରେ ବେଟୀ ବଞ୍ଚାଓ ବେଟୀ ପଢ଼ାଅ ତଥା ମିସନ ବାତ୍ସଲ୍ୟ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ଅଧୀନରେ “ଜାତୀୟ କନ୍ୟା ସନ୍ତାନ ସପ୍ତାହ-୨୦୨୬” ମହାସମାରୋହରେ ପାଳିତ ହୋଇଯାଇଛି । ପୁରୀ ମହିଳା ମହାବିଦ୍ୟାଳୟ ଏବଂ ଉତ୍କଳ ବାଳାଶ୍ରମ ପରିସରରେ ଆୟୋଜିତ ଦୁଇଟି ପୃଥକ କାର୍ଯ୍ୟକ୍ରମରେ କନ୍ୟା ସନ୍ତାନମାନଙ୍କ ସୁରକ୍ଷା, ଶିକ୍ଷା ଏବଂ ସମ୍ମାନଜନକ ଜୀବନ ଉପରେ ଗୁରୁତ୍ୱାରୋପ କରାଯାଇଛି । ଉତ୍କଳ ବାଳାଶ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କନ୍ୟା ସନ୍ତାନ ମାନଙ୍କର ଅଧିକାର ସୁରକ୍ଷା ପାଇଁ ଯତ୍ନବାନ୍ ହେବାକୁ ଆହ୍ୱାନ ଦେଇଥିଲେ । କନ୍ୟାସନ୍ତାନ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଶିକ୍ଷା, ନିଯୁକ୍ତି କ୍ଷେତ୍ରରେ ସହଭାଗୀ କରାଇବାକୁ ମତ ପ୍ରକାଶ କରିଥିଲେ l ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ-ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ସେଠୀ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡକ୍ଟର ଅଜିତ କୁମାର ମହାପାତ୍ର, ସଦସ୍ୟ ଦେବଯାନୀ ହିମାଂଶୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା, ପ୍ରୋଟେକ୍ସନ ଅଫିସର ଚନ୍ଦ୍ରପ୍ରଭା ଦେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ କନ୍ୟା ସନ୍ତାନଙ୍କ ଅଧିକାର ଓ ସରକାରୀ ଯୋଜନା ବିଷୟରେ ଶିଶୁ ଓ କର୍ମକର୍ତ୍ତାମାନଙ୍କୁ ସଚେତନ କରାଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପୁରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ବିଶ୍ୱନାଥ ବଳିୟାରସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ସଂଯୋଜକ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା l ବାଳାଶ୍ରମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷା, କ୍ରୀଡା, ସମାଜସେବା, ନେତୃତ୍ୱ ଆଦି ଅନନ୍ୟ ପ୍ରତିଭା କ୍ଷେତ୍ରରେ ପାରଦର୍ଶୀତା ଅର୍ଜନ କରିଥିବା ପୁରୀ ଜିଲ୍ଲାର ୨୦ ଜଣ ବାଳିକାଙ୍କୁ ଟ୍ରଫି ସାର୍ଟିଫିକେଟ ଓ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ସହିତ ସମ୍ମାନିତ କରାଯାଇଥିଲା l ଏହାଛଡ଼ା ପୁରୀ ଜିଲ୍ଲାର ବାଳିକା ଅନ୍ତେବାସୀ ରହୁଥିବା ଶିଶୁ ଯତ୍ନ ଅନୁଷ୍ଠାନରେ କନ୍ୟା ସପ୍ତାହ ପାଳନ ଅବସରରେ ବକ୍ତୃତା, ସଙ୍ଗୀତ, ଏକକ ଅଭିନୟ, ନୃତ୍ୟ, ଯୋଗ ଆଦି ପ୍ରତିଯୋଗୀତା ଆୟୋଜନ କରାଯାଇ ପୁରସ୍କାର ବିତରଣ କରାଯାଉଛି l ଚାଇଲ୍ଡ ହେଲ୍ପଲାଇନ ୧୦୯୮ର ସଂଯୋଜକ ଶ୍ରୀ କୃଷ୍ଣଚନ୍ଦ୍ର ମିଶ୍ର ଶିଶୁଙ୍କ ଜରୁରୀକାଳୀନ ସେବା ଓ ପୁନର୍ବାସ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ପ୍ରଚାର ପତ୍ର ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଦ୍ଧ୍ଵ ବାଳିକା ଅଂଶଗ୍ରହଣ କରିଥିଲେ l ସେମାନେ ରାଲିରେ ଯୋଗ ଦେବା ସହିତ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ lସୁରକ୍ଷା ଅଧିକାରୀ ଶ୍ରୀ ଶୁଭନାରାୟଣ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରୋଜାଲିନ ପାତ୍ର, ହରେକୃଷ୍ଣ ସାହୁ, ପ୍ରିୟଙ୍କା ପ୍ରଧାନ, ଶ୍ରୀ ସୂର୍ଯ୍ୟକାନ୍ତ ପଣ୍ଡା ଏବଂ ଶ୍ରୀ ଭବାନୀ ଶଙ୍କର ପଲେଈ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *