ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜିଲ୍ଲା ସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ
ଛତ୍ରପୁର ତା. ୧୭.୦୪.୨୦୨୫ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜିଲ୍ଲା ସ୍ତରୀୟ ଶ୍ରାଦ୍ଧ ଦିବସ ଜିଲ୍ଲା ସଦର ମହକୁମା ଠାରେ ଅନୁଷ୍ଠିତ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଏବଂ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତି ଚାରଣ କରିଥିଲେ। ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ସୂଚନା ଓ ଲୋକସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ରବି ନାରାୟଣ ବେହେରାଙ୍କ ସଭାପତିତ୍ୱରେ ଏହି ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। । ଆକାଶବାଣୀର ଉଦ୍ଘୋଷକ ତଥା ସାମଜସେବୀ ଅରୁଣ କୁମାର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା ପୂର୍ବକ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଜଣାଇଥିଲେ ଯେ, ବିଜୁବାବୁ ଏକାଧାରାରେ ଜଣେ ବିଶିଷ୍ଟ ସାମ୍ବାଦିକ, ଜନନାୟକ, ପାଇଲଟ୍, ଶିଳ୍ପ ପ୍ରତିଷ୍ଠାତା ଓ ରାଜନୀତିଜ୍ଞ ବହୁ ପ୍ରତିଭା ଧାରି ବ୍ୟକ୍ତି ଥିଲେ। ସୁନାର ଓଡିଶା ଗଢି ତୋଳିବାର ସ୍ବପ୍ନ ତାଙ୍କର ଥିଲା । ଓଡିଶାକୁ ବିଶ୍ବ ଦରବାରରେ ପରିଚିତ କରାଇବାରେ ତାଙ୍କର ଭୂମିକା ରହିଛି । ମୁଖ୍ଯ ବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଡ ଭି. ରାଜେନ୍ଦ୍ର ରାଜୁ ତାଙ୍କ ବକ୍ତବ୍ୟରେ ସୂଚନା ଦେଇଥିଲେ ଯେ, ବିଜୁ ବାବୁଙ୍କ ବ୍ୟକ୍ତିତ୍ବ ଜଣେ ସ୍ବାଧୀନତା ସଂଗ୍ରାମୀ ହିସାବରେ ନୁହେଁ ଜଣେ ସାହସୀ, ଯୁଗଜନ୍ମା, ବିଶିଷ୍ଟ ଜନନାୟକ । ତାଙ୍କର ସାହସିକ ପ୍ରତିଭା ଯୋଗୁଁ ଇଣ୍ଡୋନେସିଆ ସରକାର ତାଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲେ ।

ନିର୍ଭିକ ହେବା ପାଇଁ ଓ ଜୀବନରେ ସବୁବେଳେ ବଡ ସ୍ବପ୍ନ ଦେଖିବା ପାଇଁ ସମସ୍ତଙ୍କୁ ସେ ପ୍ରବର୍ତ୍ତାଉ ଥିଲେ । ସମାଜକୁ ପରିବର୍ତ୍ତନ କରିବା ପାଇଁ ସମ୍ବାଦ ପତ୍ରର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଉପଲବ୍ଧି କରି ନିଜେ ଗୋଟିଏ ପତ୍ରିକା ପ୍ରକାଶିତ କରିଥିଲେ । ବିଜୁବାବୁଙ୍କ ମତଥିଲା “କଳିଙ୍ଗାଃ ସାହାସିକାଃ” । ପ୍ରତିଭା ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜଣାଇ ଥିଲେ ଯେ, ବିଜୁବାବୁ ସଦାସର୍ବଦା ଓଡିଶାର ଉନ୍ନତି କଥା ଚିନ୍ତା କରୁଥିଲେ । ଓଡିଶାର ନଦୀ ସଂଯୋଗୀକରଣ, ସଡକ ସଂଯୋଗୀକରଣ, ହୀରାକୁଦ ନଦୀବନ୍ଧ, ରାଉରକେଲା ଇସ୍ପାତ କାରଖାନା ଆଦି ତାଙ୍କର ଅବଦାନ ଥିଲା । ଷାଠିଏ ଦଶକରେ ପ୍ରଥମ ଶାସନ ଦାୟିତ୍ବ ଗ୍ରହଣ କରିବା ପରେ ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଉତ୍ସାହର ସହିତ ଯେଉଁ ପ୍ରୟାସ କରିଥିଲେ ତାହା ଆଜି ସ୍ମରଣୀୟ । । ମହିଳା ସଶକ୍ତିକରଣ କଥା ହେଉ କିମ୍ବା ପଞ୍ଚାୟତିରାଜ ନବ କଳେବର ତାଙ୍କରି ପ୍ରଚେଷ୍ଟା । ସେ ଜଣେ ବିଚକ୍ଷଣ ରାଜନେତା ଥିଲେ । ତାଙ୍କ ମତରେ ପଞ୍ଚାୟତିରାଜ ବ୍ୟବସ୍ଥା ହେଉଛି ଭାରତୀୟ ଗଣତନ୍ତ୍ରର ମୁଖ୍ୟ ଆଧାର । ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ, ତ୍ରି ସ୍ତରୀୟ ବ୍ୟବସ୍ଥାରେ ଗ୍ରାମ ପଞ୍ଚାୟତ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଗ୍ରାମ ହେଉଛି ଏକ ସମନ୍ବୀତ, ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଏବଂ ରାଜନୈତିକ ଏକତା । ଏହା ହେଉଛି ଜନଶକ୍ତିର ଏକମାତ୍ର ପ୍ରଭାବଶାଳୀ ଅଙ୍ଗ । ଏହାକୁ ଲକ୍ଷ୍ୟକରି ବିଜୁବାବୁ ଗ୍ରାମ ପଞ୍ଚାୟତକୁ ବିକାଶମୂଳକ କାର୍ଯ୍ୟକ୍ରମର ଯୋଜନାରେ ଅନ୍ତର୍ଭୁକ୍ତ କରିବା ଏବଂ କାର୍ଯ୍ୟକାରିତା ପାଇଁ ଅଧିକ କ୍ଷମତା, ଦାୟିତ୍ବ ଓ ଅର୍ଥ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇ ତାହାକୁ କାର୍ଯ୍ୟକାରୀ କରିଥିଲେ। ଉପନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବେହେରା କାର୍ଯ୍ୟକ୍ରମ ପରିଚାଳନା ପୂର୍ବକ ସୂଚନା ଦେଇଥିଲେ ଯେ, ବିଜୁ ବାବୁଙ୍କ ନେତୃତ୍ବ ତୃଣମୂଳ ସ୍ତରରୁ ଗଣତନ୍ତ୍ର ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ଯ ରହିଥିଲା । ବିଜୁବାବୁଙ୍କ ଦୃଷ୍ଟିରେ ବୀର ଓଡିଶାର ସେହି କଳିଙ୍ଗ ଆଭିଜାତ୍ୟ ଯେପରି ସମଗ୍ର ବିଶ୍ବରେ ପ୍ରଶଂସିତ ହେବ ସେଥିପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ । ସଂକୀର୍ଣ୍ଣତା ତାଙ୍କୁ ସ୍ପର୍ଶ କରିନଥିଲା । କେବଳ ଓଡିଶାକୁ ଉନ୍ନତ କରିବା ଏବଂ ଓଡିଆର ସ୍ବାଭିମାନକୁ ସୁପ୍ରତିଷ୍ଠା କରିବା ଥିଲା ତାଙ୍କର ଉଦ୍ଦେଶ୍ୟ । ସ୍ବପ୍ନ ଦେଖିବା ଏବଂ ସ୍ବପ୍ନକୁ ସାକାର କରିବା ଏ ଦୁଇଟିର ସମନ୍ବୟ କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ।କାର୍ଯ୍ୟକ୍ରମରେ ଛତ୍ରପୁର ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟକ୍ଷ, ଅଧ୍ୟକ୍ଷା, ଗଣ ମାଧ୍ୟମର ପ୍ରତିନିଧିଗଣ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଓ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗଞ୍ଜାମ, ଛତ୍ରପୁର
