ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ଯୁବୋତ୍ସବ-୨୦୨୫ ର ଆୟୋଜନ

ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ଯୁବୋତ୍ସବ-୨୦୨୫ ର ଆୟୋଜନ: ପ୍ରତିଭାଧାରୀଙ୍କ ସମାବେଶନବରଙ୍ଗପୁର:୩୦.୧୧. ୨୦୨୫: କ୍ରୀଡା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ଗତ କାଲି ୨୯.୧୧.୨୦୨୫ ରିଖ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ-୨୦୨୫ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଯୁବ ଶକ୍ତିକୁ ଏକତ୍ର କରିବା ଏବଂ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶନ କରିବା ଏହି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ଥିଲା। ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ, ଶିକ୍ଷା ଅନୁଷ୍ଠାନ ଓ ଜନସାଧାରଣଙ୍କୁ କଳାକେନ୍ଦ୍ର ମୋଟ ୫୨୯ ଜଣ ଉଦୀୟମାନ ପ୍ରତିଯୋଗୀ ଅଂଶଗ୍ରହଣ କରି ଏହାକୁ ସଫଳ କରିଥିଲେ।ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ନବରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ଚନ୍ଦ୍ର ବର୍ମନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ତାଙ୍କ ବକ୍ତବ୍ୟରେ ସେ ଯୁବକମାନଙ୍କୁ ଦେଶର ଭବିଷ୍ୟତ ଭାବରେ ବର୍ଣ୍ଣନା କରି ସେମାନଙ୍କୁ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ସୁସାନ୍ତ କୁମାର ନାୟକ, ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ମିଶ୍ର ଓ ଶିକ୍ଷାବିତ୍ ବିଜୟ କୁମାର ଚୌଧୁରୀ, ନବରଙ୍ଗପୁର ସ୍ନାତକ ମହାବିଦ୍ୟାଳୟର ଅତିରିକ୍ତ ଅଧ୍ୟକ୍ଷା ସଙ୍ଗୀତା ତ୍ରିପାଠୀ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାସିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଅତିଥି ଯୁବକମାନଙ୍କର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଗୀତା ଦାସ ଏହି ସମସ୍ତ କାର୍ଯ୍ୟକ୍ରମର ସୂଚାରୁ ରୂପେ ସଂଚାଳନ କରିଥିଲେ।ଏହି ଯୁବ ଉତ୍ସବରେ ସଂସ୍କୃତି ଓ ଜ୍ଞାନର ଏକ ବିରଳ ସମନ୍ୱୟ ଦେଖିବାକୁ ମିଳିଥିଲା। ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ଭଳି ପାରମ୍ପରିକ କଳା ସହ ଭାଷଣ, କବିତା ରଚନା, ଗଳ୍ପ ଲେଖନୀ, ଚିତ୍ରାଙ୍କନ ଏବଂ ସର୍ବାଧିକ ଆକର୍ଷଣର କେନ୍ଦ୍ର ଇନୋଭେସନ (ବିଜ୍ଞାନ ପ୍ରଦର୍ଶନୀ) ଭଳି ବୈଜ୍ଞାନିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଗୋଷ୍ଠୀ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଦଳକୁ ଯଥାକ୍ରମେ ୧୦,୦୦୦, ୭,୫୦୦ ଏବଂ ୫,୦୦୦ ଟଙ୍କା ଏବଂ ଏକକ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ୩,୦୦୦, ୨,୦୦୦ ଏବଂ ୧,୦୦୦ ଟଙ୍କା ଆକର୍ଷଣୀୟ ପୁରସ୍କାର ରାଶି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଯୁବକମାନଙ୍କ ପାଇଁ ପ୍ରେରଣା ରୂପକ ଏହି ଉତ୍ସବ ନବରଙ୍ଗପୁରର ପ୍ରତିଭା ଏବଂ ସୃଜନଶୀଳତାରେ ଭରପୂର, ସାହିତ୍ୟ, ସଂସ୍କୃତି, କଳା ଏବଂ ବିଜ୍ଞାନ କ୍ଷେତ୍ରରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବା ସମସ୍ତ ଯୁବକ-ଯୁବତୀଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ଯୋଗାଇ ଦେଇଛି।ଜିଲ୍ଲା କ୍ରୀଡ଼ା ଅଧିକାରୀ ଉପସ୍ଥିତ ସମସ୍ତ ପ୍ରତିଯୋଗୀ, ଶିକ୍ଷକ ତଥା ଆୟୋଜକମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇ ଯୁବ ଉତ୍ସବ-୨୦୨୫ ର ସମାପ୍ତି ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *