ଦିବ୍ୟ ଆଲିଙ୍ଗନ
ଦିବ୍ୟ ଆଲିଙ୍ଗନ
✍🏼କବିରତ୍ନ ନୂତନ କୁମାର ବେହେରା
କଳ କଳ ନାଦେ ବହିଯାଏ କଲ୍ଲୋଳିନୀ
ଦୁର୍ଗମ ବନ୍ଧୁର ଶିଳା ଗିରି ବନ ଭେଦି
ଦୁର୍ବାର ଅକ୍ଳାନ୍ତ ତାର ସେ ଗତି
ପ୍ରତିରୋଧ କରି ପାରେନା ବାଧା ବନ୍ଧନ
ମନେ ଅଭିଳାଷ ହୃଦୟେ ଅଭିପ୍ସା
ରଖିଥାଏ ଅଗାଧ ଅସରନ୍ତି
ହୁଏ ତା’ ଚରିତାର୍ଥ ଲଭେ ଶାନ୍ତି ତୃପ୍ତି
ଯେବେ ସରାଗରେ ସାଗର ତାକୁ
ବକ୍ଷ ବିସ୍ତାରି କରେ ଦିବ୍ୟ ଆଲିଙ୍ଗନ
ଭେଳା ଭେଳା ମେଘ ଅମ୍ବରେ ବସାଇ ମେଳା
ବଜ୍ରନାଦ କମ୍ପାଇ ଖେଳେ ବିଜୁଳି
ଫଟାଇ ବାଦଲ ଯାଏ ଅସରା ଅସରା ବର୍ଷି
ନିରସ ରୁକ୍ଷ ମୃତ୍ତିକାର ଶୂନ୍ୟ କୋଳ
ଦାରୁଣ ନିଦାଘର ତୀକ୍ଷ୍ମ ତାତିରେ ଜଳି ଜଳି
ସୃଷ୍ଟି ପାଳିବାକୁ ବୃଷ୍ଟିକୁ କରେ ଆଲିଙ୍ଗନ
ବିଧିର ବିଧାନେ ଏ ମହାମିଳନ
ଆଣିଦିଏ ଜୀବ ଜୀବନର ପରିପୂର୍ଣ୍ଣତା
ଉପବନେ ବିକଶିତ ହୋଇ ସୁମନ
ସୁବାସ ବିଞ୍ଚେ ମୃଦୁ ମଳୟରେ
ତାର କମନୀୟ ଲାବଣ୍ୟର ଶୋଭାଶିରୀ
ଦେଖି ମଧୁପ ଗୁଞ୍ଜେ ବିଭୋରରେ
ଉଡ଼ି ଆସି ଦୂରୁ ଆନନ୍ଦେ କରେ ଆଲିଙ୍ଗନ
ପ୍ରେମର ଜୟଗାନ ହୁଏ ଭୂମିରୁ ଭୂମା
ହୃଦୟର ତଲ୍ଲୀନ ଅମ୍ଳାନ ସ୍ଵଚ୍ଛ ଭାବାଚ୍ଛ୍ଵାସ
ଆଉ ଏକ ହୃଦୟକୁ କଲେ ମୁଗ୍ଧ
ମନ ମନ ଆତ୍ମା ଆତ୍ମାର ହୁଅଇ ସଂଯୋଗ
ଭାବନାର ରଙ୍ଗେ ଅଙ୍ଗେ ଅଙ୍ଗେ
ନିରନ୍ତର ନାଚେ ଶାଶ୍ଵତ ପ୍ରେମର ତରଙ୍ଗ
ବିରହୀ ପ୍ରାଣ ଝୁରେ ପ୍ରିୟଜନର ସଙ୍ଗ
ଆଶା ସ୍ବପ୍ନକୁ କରିବା ପାଇଁ ସାର୍ଥକ
ପ୍ରୀତିର ପୀୟୂଷ ପାନ ପିପାସା
ଜାଗି ଉଠେ ତୀବ୍ର ଅନ୍ତରର ଅନୁରାଗେ
କାନ୍ତ କାନ୍ତାକୁ ବାହୁ ବିସ୍ତାରି କରେ ଆଲିଙ୍ଗନ
ପ୍ରେମରେ ଜୀବନ ହୁଏ ଋଦ୍ଧିମନ୍ତ
ତନୁତୀର୍ଥର ମିଳନ ସଂସାରରେ ମହନୀୟ
ପବିତ୍ର ପରାକାଷ୍ଠାର ଦିଏ ପ୍ରମାଣ
ଆଲିଙ୍ଗନରେ ମନ ପ୍ରାଣ ହୁଏ ଏକାକାର
ଜୀବନ ଲାଗେ ନାହିଁ ଆଉ ରିକ୍ତ…।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
