ଦୀପାବଳୀ
ଦୀପାବଳୀ
( ରାଗ — ଆନନ୍ଦ )
🔹କବିରତ୍ନ ନୂତନ କୁମାର ବେହେରା
ଦୀ ( ଦ )
ଦିନ ଯାଏ ବିତି’ ଦୁଃଖେ କି ସୁଖେ’
ଦୀପ ସମ ଜଳି’ ଜୀବନ ଦେଖେ’,
ଦିଗନ୍ତ’ ଯାଏଁ’ ରହିଛି ଅମା’
ଦୂରେଇ ଯାଏନା’ ତା’ ପରିସୀମା’।
ଦୀର୍ଘ ଜୀବନର କରି କାମନା
ଦକ୍ଷତାର ସହ କରେ ସାଧନା,
ଦିବ୍ୟ ଶକ୍ତିର ଶରଣେ ରହି
ଦେଖାଏ ଭକତି ଯନ୍ତ୍ରଣା ସହି।
ପା ( ପ )
ପୂଜା ଅର୍ଚ୍ଚନାରେ ଜାଳଇ ଦୀପ
ପାଏ ସୁଖ ଶାନ୍ତି ଘୁଞ୍ଚେ ସନ୍ତାପ,
ପରୀକ୍ଷା ଦିଏ ହୃଦୟେ ଭାବି
ପାହିଯାଉ ରାତି ଉଦୟେ ରବି।
ପ୍ରତ୍ୟୁଷ ଆସିଲେ ମିଳେ ନିସ୍ତାର
ପ୍ରକାଶି ଆଲୋକ ନାଶେ ଅନ୍ଧାର,
ପ୍ରାଣ ସୁରକ୍ଷା କରଇ ଜ୍ଞାନ
ପ୍ରକୃତି ବଞ୍ଚାଏ କରି ଯତନ।
ବ (ବ )
ବିଦ୍ୟା ବୁଦ୍ଧି ଜ୍ଞାନ ଆଲୋକ ସମ
ବୃଦ୍ଧି ହୁଏ ଶିରୀ କରିଲେ ଶ୍ରମ,
ବକ୍ଷରୁ ଝରେ ଅମିୟ ଧାରା
ବିଶେଷ ଭାବରେ ହସଇ ଧରା।
ବିଶ୍ଵ ମାତା କାଳୀ ମର୍ତ୍ତ୍ୟକୁ ଆସି
ବିବଶ ପ୍ରାଣୀଙ୍କୁ ଦିଅନ୍ତି ଖୁସି,
ବସୁଧାବାସୀ ହୋଇ ଆଶ୍ରିତ
ବିନୟେ ଜଣାନ୍ତି ଦୀପେ ସ୍ଵାଗତ।
ଳୀ ( ଲ )
ଲକ୍ଷ୍ୟ ଏକ ରଖି କଲେ କରମ
ଲୋଭ ମୋହ କ୍ଷୟେ ରହେ ଧରମ,
ଲାଭ ହୁଅଇ ସାତ୍ତ୍ୱିକ ସୁଖ
ଲାଞ୍ଛିତେ ହୁଏନା ଜନ ବିମୁଖ।
ଲାଖି ଥିଲେ ମନ ସତ୍ୟକୁ ଭାଳି
ଲଲାଟେ ହୁଅଇ ସେ ଦୀପାବଳୀ,
ଲୁଚଇ କ୍ଳେଶ ଦୁଃଖ ଅଜ୍ଞାନ
ଲାଲିମା ଆଭାରେ ହସେ ଜୀବନ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
କୋହି,ବାରିପଦା,ମୟୂରଭଞ୍ଜ,
