ଦେଖଣାହାରୀଙ୍କ ମନ ମୋହିଲା ‘ଡଗ୍ ସୋ’*

ଭୁବନେଶ୍ଵର,: ଶ୍ଵାନ ସହ ମଣିଷର ସମ୍ପର୍କ ବହୁ ପୁରୁଣା । ବିଶ୍ଵସ୍ତ ପ୍ରାଣୀ ହୋଇଥିବାରୁ ଏହାର ଲାଳନପାଳନ ପାଇଁ ରହିଛି ଏକ ନିଆରା ଆକର୍ଷଣ । ଚୋର ଧରିବା ହେଉ ଅବା ବିଭିନ୍ନ ସୁରକ୍ଷା ବାହିନୀରେ ନିୟୋଜିତ ହୋଇ ନିଜର ରଣ କୌଶଳ ପ୍ରଦର୍ଶନ କରିବା ସହ ଏମାନେ ନିଜର ପାରଦର୍ଶିତା ଦେଖାଇ ଆସିଛନ୍ତି । ତେଣୁ ଆଜି ‘ଡଗ୍ ସୋ’ ଦେଖିବା ପାଇଁ ଦେଖଣାହାରୀଙ୍କ ଭିଡ଼ ଜମିଥିଲା । ସ୍ଥାନୀୟ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳପଡ଼ିଆଠାରେ ଆଜି ଆୟୋଜିତ ହୋଇଥିବା ‘ଡଗ୍ ସୋ’ରେ ଗ୍ରେଟ୍ ଡେନ୍, ଲାବ୍ରାଡର୍ ରିଟ୍ରିଭର୍, ଗୋଲ୍ଡେନ ରିଟ୍ରିଭର୍, ବିଗଲ୍, ଆକିତା ଇନୁ, ଇଣ୍ଡିଆନ ପରିହା, ସ୍ପିଜ୍, ଜର୍ମାନ ସେଫର୍ଡ, ଫ୍ରେଞ୍ଚ୍ ବୁଲଡଗ୍, ରୋଟୱିଲର୍ ଆଦି ୪୮ଟି ପ୍ରଜାତିର ଶ୍ଵାନ ଅଂଶଗ୍ରହଣ କରିଥିଲେ । ଶ୍ଵାନମାନଙ୍କ ଦକ୍ଷତାର ବୈଶିଷ୍ଟ୍ୟ, ଅନୁସରଣ କ୍ଷମତା ଏବଂ ନିଜସ୍ଵ ବ୍ୟବହାର ଶୈଳୀ ଦେଖଣାହାରୀଙ୍କୁ ଆକର୍ଷିତ କରିଥିଲା ।

ଶ୍ଵାନ ପ୍ରଶିକ୍ଷକ ଶ୍ରୀମତୀ ରଶ୍ମିତା ଗ୍ରେଟ୍ ଡେନ୍ ପ୍ରଜାତିର ଶ୍ଵାନ ଦ୍ୱାରା ଆଦର୍ଶ ନାଗରିକ ବିଧିକୁ ପ୍ରଦର୍ଶନ କରାଇଥିଲେ । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଏବଂ ଓଡ଼ିଶା କେନେଲ କ୍ଲବର ମିଳିତ ସହଯୋଗରେ ଆୟୋଜିତ ଏହି ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଉଦ୍ଘାଟନ କରିଥିଲେ । ଓଡ଼ିଶା କେନେଲ୍ କ୍ଲବର ସଭାପତି ଶ୍ରୀ ସୁବ୍ରତ ପୃଷ୍ଟି ସମସ୍ତ ପ୍ରଜାତିର ଶ୍ୱାନମାନଙ୍କ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ପ୍ରଦର୍ଶନୀ ଶେଷରେ ଅଂଶଗ୍ରହଣକାରୀଙ୍କୁ ସମ୍ମାନୀତ କରାଯାଇଥିଲା । ପରିଶେଷରେ ମତ୍ସ୍ୟ ଏବଂ ପ୍ରାଣିସମ୍ପଦ ବିକାଶ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଡମ୍ବରୁଧର ତରାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *