୨୦ ତାରିଖ ସକାଳ ୦୬ଟା ରୁ ଚିଲିକାରେ ଆରମ୍ଭ ହେବ ଡ଼ଲଫିନ ଗଣନା
ଚିଲିକା,୧୯/୦୧ : ଏସିଆ ମହାଦେଶ ତଥା ଆମ ଦେଶ ଭାରତର ବୃହତ୍ତମ ଲୁଣା ହ୍ରଦ ଚିଲିକାରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଡ଼ଲଫିନ ଗଣନା ଆରମ୍ଭ ହେବା ନେଇ ପ୍ରସ୍ତୁତି ଚାଲିଛି। ଆସନ୍ତାକାଲି ଓ ତା ପର ଦୁଇ ଦିନ ଡ଼ଲଫିନ ଗଣନା ହେବ ବୋଲି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି। ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ଟି ରେଂଜ୍ ରେ ହେବ ଡଲଫିନ ଗଣନା। ୨ଟି ରେଂଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି। ୩ଟି ସେକ୍ଟରରେ ୧୮ଟି ଟିମ ନିୟୋଜିତ ଅଛନ୍ତି ଏବଂ ପ୍ରତି ଟିମରେ ୫ ରୁ ୬ ଜଣ ସଦସ୍ୟ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ରହିଛନ୍ତି । ଏ ନେଇ ସୋମବାର ଦିନ ଚନ୍ଦ୍ରାପୁଟ ସ୍ଥିତ ସିଡ଼ିଏ କାର୍ଯ୍ୟାଳୟରେ ଟ୍ରେନିଂ ଶିବିର ଅନୁଷ୍ଠିତ ହୋଇଯାଇଛି।

୨୦ ତାରିଖ ସକାଳ ୬ ରୁ ମଧ୍ୟାହ୍ନ ୧୨ ଟା ଯାଏଁ ସାତପଡ଼ା, ବାଲୁଗାଁ ଅଞ୍ଚଳରେ ଡଲଫିନ ଗଣନା ହେବ। ଆବଶ୍ୟକ ସ୍ଥଳେ ତିନି ଦିନ ଧରି ଡ଼ଲଫିନ ଗଣନା ଜାରିରହିବ।ତେବେ ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ , ସିଡ଼ିଏର କର୍ମଚାରି, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ବୋଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଏବଂ ସ୍ବେଚ୍ଛାସେବୀ ଆଦି ସାମିଲ ହେବେ ବୋଲି ଜଣାପଡିଛି। ଯଦି କୋହଲା ପାଗ ରହିବ ତେବେ ୨୦,୨୧ ଏବଂ ୨୨ତାରିଖ ମଧ୍ୟରେ ଡଲଫିନ ଗଣନା ଶେଷ ହେବ ବୋଲି ଡ଼ିଏଫଓ କହିଛନ୍ତି। ଗଣନା ସରିବା ପରେ ଚୂଡାନ୍ତ ଗଣନା ସୂଚନା ପିସିସିଏଫ ଭୁବନେଶ୍ୱର ପକ୍ଷରୁ ଦିଆଯିବ ବୋଲି କହିଛନ୍ତି ଡ଼ିଏଫଓ ଶ୍ରୀ ଅମ୍ଳାନ ନାୟକ। ତେବେ ଆଜି ସକାଳ ଠାରୁ ଡ଼ଲଫିନ ଗଣତି ପ୍ରକ୍ରିୟା ପାଇଁ ଟ୍ରେନିଂ ପ୍ରୋଗ୍ରାମ କାର୍ଯ୍ୟ ଆରମ୍ଭ ହୋଇ ଯାଇଅଛି।
