ହେ ମାୟାଧର ଆଉ ମାୟା ନ କର
ହେ ମାୟାଧର ଆଉ ମାୟା ନ କର
( ରାଗ — କଳହଂହ କେଦାର )
🖊️କବିରତ୍ନ ନୂତନ କୁମାର ବେହେରା
ହେ ମାୟାଧର ଆଉ’ ମୟା ନ କର’
ମିଛ ମାୟା ମୋହରେ ‘ ବୁଡ଼େ ସଂସାର’ ଯେ,
କାଚକୁ ଭାବି ମଣି’ ଭବେ ମଣିଷ’
ହରାଇ ବସେ ତାର’ ଆତ୍ମବିଶ୍ଵାସ ଯେ/୧/
ମନରେ ଭରି ରଙ୍ଗ ଦେଖାଏ ଢ଼ଙ୍ଗ
ସେ କ୍ରମରେ ଜୀବନେ ନାଚେ ତରଙ୍ଗ ଯେ,
ବୁଝିବା ଆଗରୁ ତ ବୁଡ଼ାଏ ଢ଼େଉ
ଖୋଜିଲେ ମିଳୁନାହିଁ ଉପାୟ ଆଉ ଯେ/୨/
ତୁମେ ତ ମାୟାଧର ଜୀବ ଜୀବନ
କିମ୍ପାଇଁ କରାଉଛ ଭୁବନେ ଆନ ଯେ ?
ନୟନେ ଭରି ଦିଅ ଅମା ଅନ୍ଧାର
ପଥ ଦିଶଇ ନାହିଁ ହୁଏ ଅଧୀର ଯେ/୩/
ଯିଏ ହେଉଛି ଏଠି ମାୟାରେ ବନ୍ଧା
ବିଷୟା ବିଷକୁ ସେ ଭାବୁଛି ସୁଧା ଯେ,
ମିଛକୁ ସତ କହି କରଇ ଖେଳା
ପରିମାଣେ ତାହାର ବୁଡ଼ଇ ଭେଳା ଯେ/୪/
ତୁମେ ହିଁ ସତ୍ୟ ନିତ୍ୟ ଚିର ଶାଶ୍ଵତ
ଜୀବଙ୍କୁ ଲକ୍ଷ୍ୟ ପଥେ କର ପ୍ରେରିତ ଯେ,
ମୋହେ ମୋହିତ ହୋଇ କରେ ଅନର୍ଥ
ଜୀବନକୁ ତାହାର କରଇ ବ୍ୟର୍ଥ ଯେ/୫/
ତୁମେ ତ ଅନ୍ତର୍ଯ୍ୟାମୀ ଜଗତେ ସ୍ଵାମୀ
ଜଣାଉଛି ତୁମକୁ ନମ୍ରେ ପ୍ରଣମି ଯେ,
ସୃଷ୍ଟିର କର୍ତ୍ତା ତୁମେ ରଖ ସୃଷ୍ଟିକୁ
ମେଲି ଦିଅ ତୁମର ମହାବାହୁକୁ/୬/
ହେ ମାୟାଧର ମାୟା ଘୁଞ୍ଚାଇ ଦିଅ
ସ୍ଵାଭାବିକେ ବହୁ ଏ ଜୀବନ ସୁଅ ଯେ,
ସଦୟେ ହୋଇ ସାହା ଦିଅ ଶରଣ,
ଦୂର ହେଉ ଜୀବର ଯେତେ କଷଣ ଯେ/୭/
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
