ଡ୍ରେନ କାର୍ଯ୍ୟ ନହୋଇ ହୋଇଛି ବିଲ୍, କାର୍ଯ୍ୟାନୁଷ୍ଠାନ ନହେଲେ ଅନଶନ ଧମକ

ଗଣିଆ -ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ ଠାରୁ ମାତ୍ର ୫ ଶହ ମିଟର ଦୂରରେ ହୋଇଛି ବଡ ଦୁର୍ନୀତି । କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସହକାରୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଏ ନେଇ ସମିତି ସଭ୍ୟ ଜିଲ୍ଲାପାଳ, ଉପଜିଲ୍ଲାପାଳ ତଥା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତିି । ଅଭିଯୋଗକୁ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି । ଏପରିକି ଯଦି ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ସେ ବ୍ଳକ ସମ୍ମୁଖରେ ଅନଶନ କରିବେ ବୋଲି ଜଣାଇଛନ୍ତି । ଘଟଣାରୁ ଜଣାପଡିଛି ଗଣିଆ ପଞ୍ଚାୟତ ଅନ୍ତର୍ଗତ ତେଲିସାହି ୫ନ° ଓ୍ବାର୍ଡର ପଛପାଖ ଡ୍ରେନ ନିର୍ମାଣ ନିମନ୍ତେ ୨୦୨୪/୨୫ ଆର୍ଥିକ ବର୍ଷରେ ସିଏଫସି ପାଣ୍ଠିରୁ ୮୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ମାତ୍ର ଆଶ୍ଚର୍ଯ୍ୟର ବିଷୟ ୫ନ° ଓ୍ବାର୍ଡରେ କାର୍ଯ୍ୟ ନହୋଇ କିଛି ଦିନ ପୂର୍ବରୁ ୪ନ° ଓ୍ବାର୍ଡରେ ନିର୍ମାଣ କରାଯାଇଥିବା କାର୍ଯ୍ୟର ଫଟୋକୁ ଦର୍ଶାଇ ବିଲ୍ ପଇଠ କରାଯାଇଥିବା ସମିତି ସଭ୍ୟ ଫକୀର ମୋହନ ଡାକୁଆ ଅଭିଯୋଗ କରିଛନ୍ତିି । ଅଭିଯୋଗ ପତ୍ରରେ ସେ ୫ନ° ଓ୍ବାର୍ଡର ଡ୍ରେନ କାର୍ଯ୍ୟର କାର୍ଯ୍ୟାଦେଶ ସହିତ ବିଲ୍ ଫର୍ମର ନକଲ,ବିଲରେ ବ୍ୟବହାର କରାଯାଇଥିବା ୪ନ° ଓ୍ବାର୍ଡର ଫଟୋ ଆଦି ସଂଯୋଗ କରିଛନ୍ତି । ଏପରିକି ଉକ୍ତ ବିଲ୍ ଫର୍ମରେ ୭୪ ହଜାର ୨୩୬ ଟଙ୍କା ବିଲ୍ ପଇଠ କରାଯାଇଥିବା ଜଣାପଡ଼ିଛି । ଉକ୍ତ ବିଲ୍ ଫର୍ମରେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କ ଦସ୍ତଖତ ମଧ୍ୟ ରହିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ଘଟଣା ବ୍ଳକ ଠାରୁ ମାତ୍ର ୫ ଶହ ମିଟର ଦୂରରେ ଏଭଳି ଦୁର୍ନୀତିକୁ କିଭଳି ପ୍ରଶ୍ରୟ ଦେଇ ଆଖିମୁଜା ଦସ୍ତଖତ କରିଛନ୍ତି ଉପରିସ୍ଥ ଅଧିକାରୀ ମାନେ । ଉକ୍ତ କାର୍ଯ୍ୟାଦେଶଟି ଗଣିଆ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମେନକା ମଲ୍ଲିକଙ୍କ ନାମରେ ଥିବା ଜଣାପଡିଛି । ଯଦି ଗଣିଆରେ ଏଭଳି ହେଉଛି ତେବେ ଆଦିବାସୀ ଅଧ୍ୟୁଷିତ ବଡସିଲିଙ୍ଗା ପଞ୍ଚାୟତର ଅବସ୍ଥା କ’ଣ ତାହା ଅନୁମାନ କରିହେବ ଏଥିରେ ସନ୍ଦେହ ନାହିଁ । ତେବେ ଏ ସମ୍ପର୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ । ଗଣିଆ ସରପଞ୍ଚ ଗିରିଧାରୀ ସେଠୀଙ୍କୁ ପଚାରିବାରୁ ଭୂଲରେ ବିଲ୍ ଫର୍ମ ସରିଛି କିନ୍ତୁ ଅନଲାଇନ୍ ଅର୍ଥ ପଇଠ କରାଯାଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଗଣିଆ ବ୍ଳକ ଅଧ୍ୟକ୍ଷା ଝୁନା ଜେନାଙ୍କୁ ପଚାରିବାରୁ ତଦନ୍ତ ପରେ ଘଟଣାର ସତ୍ୟତା ମିଳିଲେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ସେ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଲଗ୍ନଜିତ ରାଉତ ଘଟଣାକୁ ଗୁରୁତର ସହିତ ନେଇ ତୁରନ୍ତ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି । ତେବେ ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ‌‌‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *