ସପନ

ଗୋଲୋକବିହାରୀ ବେହେରା

ରୁପା କାତି ଲଗା ମାଛ ପରି ଦିଶେ
ଚକ ଚକ ତା’ର ଚେହେରା,
କାକଜ୍ୟୋତ୍ସ୍ନାର କମନୀୟ କଳା
ଅୟୁତ ଲାବଣ୍ୟ ଭରା।

ସୁଗଠିତ ସୁଶ୍ରୀ ହିମାନୀ ବକ୍ଷୋଜ
ନାଭିପଦ୍ମ ଗଭୀର ବି,
ପ୍ରଗଳଭ ପବନ ଉଡ଼ାଏ ପଣତ
ସିଂହକଟୀ ଅନୁଭବି।

ତା’ର ଦରଶନେ ମନ ବନସ୍ପତି
ଶାଖାରେ ଫୁଟଇ ଫୁଲ,
ହଳଦୀ ବସନ୍ତ ବସା ବାନ୍ଧିବାକୁ
କରୁଥାଏ ଯେତେ ଖେଳ।

ତା’ର ହୃଦୟର ବନ୍ଧ୍ୟା ମାଟିରେ
ପ୍ରୀତି ତୃଣ ରୋପିଦେଲେ,
ଅତର କାଗଜେ ପତର ଲେଖି ମୁଁ
ହଜେ ସପନର କୋଳେ।

ବ୍ୟାକୁଳ ଭାଷାରେ ଯନ୍ତ୍ରଣା କାତରେ
ଉତ୍ତର ଯା’ ପାଇଥିଲି,
ଭିନ୍ନ ବର୍ଣ୍ଣରେ ଅରାଜି ପିତାଙ୍କୁ
ନାନା ରଙ୍ଗେ ତୋଷ କଲି।

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ: ୯୯୩୮୩୦୩୦୪୬

Leave a Reply

Your email address will not be published. Required fields are marked *