ରେଳ ଯାତ୍ରା ସମୟରେ ଦୀପାବଳୀ ଆତସବାଜି ଓ ଫଟକା କିମ୍ବା ଦହନଶୀଳ ପଦାର୍ଥ ପରିବହନ କରିବା ବିରୁଦ୍ଧରେ ପୂର୍ବତଟ ରେଳପଥର ଅଭିଯାନ ଓ ପରାମର୍ଶ

ରେଳ ଯାତ୍ରା ସମୟରେ ଦୀପାବଳୀ ଆତସବାଜି ଓ ଫଟକା କିମ୍ବା ଦହନଶୀଳ ପଦାର୍ଥ ପରିବହନ କରିବା ବିରୁଦ୍ଧରେ ପୂର୍ବତଟ ରେଳପଥର ଅଭିଯାନ ଓ ପରାମର୍ଶ | ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଇତ୍ୟାଦି ଜ୍ୱଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରିବା ରେଳବାଇ ଅଧିନିୟମ, 1989 ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ ଏବଂ ଅପରାଧୀ 3 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ପାଇପାରନ୍ତି। ଟ୍ରେନ୍ ଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ପୂର୍ବ ତଟ ରେଳପଥ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି ଏବଂ ପରିବହନ ନକରିବା ସହ ସେମାନଙ୍କ ସହ-ଯାତ୍ରୀମାନଙ୍କୁ ଜ୍ୱଳନ୍ତ କିମ୍ବା ବିସ୍ଫୋରକ ଜିନିଷ ଟ୍ରେନରେ ବହନ ନ କରିବାକୁ ପରାମର୍ଶ ଦେଇଛି। ଦୀପାବଳୀ ପାଖେଇ ଆସୁଛି, ତେଣୁ ପୂର୍ବ ତଟ ରେଳପଥ ଯାତ୍ରୀ ଏବଂ ମେଲ / ଏକ୍ସପ୍ରେସ ଟ୍ରେନରେ ଫଟକା ଅଥବା ବିସ୍ଫୋରକ ପଦାର୍ଥ ପରିବହନକୁ ବାରଣ ପାଇଁ କଡା ପଦକ୍ଷେପ ଗ୍ରହଣ କରିଛି। ଟ୍ରେନ୍ ଯାତ୍ରା ସମୟରେ ଜ୍ୱଳନ୍ତ ଜିନିଷ ବହନ କରିବା କଠୋର ନିଷେଧ | ଦୀପାବଳୀ ଉତ୍ସବ ସମୟରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଟ୍ରେନରେ ଜ୍ୱଳନ୍ତ ଜିନିଷ ବହନ ନକରିବା ପାଇଁ ଏକ ସ୍ୱତନ୍ତ୍ର ସୁରକ୍ଷା ପ୍ରକ୍ରିୟା ପୂର୍ବତଟ ରେଳପଥ ପକ୍ଷରୁ ଆରମ୍ଭ କରାଯାଇ ଏହାର ସମସ୍ତ ତିନୋଟି ରେଳବାଇ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ୱାଲ୍ଟେୟାରକୁ କଡା ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଛି | ରେଳ ଯାତ୍ରା ସମୟରେ ଯାତ୍ରୀ ମାନଙ୍କ ଚଳପ୍ରଚଳ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପୂର୍ବତଟ ରେଳପଥ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛି | ଉଭୟ ଯାତ୍ରୀ ଓ ରେଳ ନିରାପତ୍ତା ପାଇଁ ଉଭୟ ରେଳବାଇ ସୁରକ୍ଷା ବଳ ଓ ସରକାରୀ ରେଳବାଇ ପୋଲିସକୁ ସଜାଗ ରଖାଯାଇଅଛି | ଏହା ବ୍ୟତୀତ ଯାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଟ୍ରେନ ଟିକେଟ ଯାଞ୍ଚ କର୍ମଚାରୀ, କୋଚ ଆଟେଣ୍ଡଣ୍ଟ, ଟ୍ରେନ ମ୍ୟାନେଜର, ଷ୍ଟେସନ ମ୍ୟାନେଜର ମାନଙ୍କୁ ମଧ୍ୟ ଯାତ୍ରୀମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଅଛି | ଯଦି କୌଣସି ଯାତ୍ରୀ ଜ୍ୱଳନ୍ତ ଜିନିଷ କିମ୍ବା ଆତସବାଜି ନେଉଥିବାର ଦେଖାଯାଏ, ତେବେ ଟ୍ରେନ ଯାତ୍ରୀମାନଙ୍କୁ ବିପଦରୁ ରକ୍ଷା କରିବା ପାଇଁ ସହ-ଯାତ୍ରୀମାନଙ୍କୁ ରେଳ ସୁରକ୍ଷା ବଳ (ଆରପିଏଫ) ଏବଂ ସରକାରୀ ରେଳ ପୋଲିସ (GRP) କର୍ମକର୍ତ୍ତା, ଟିଟିଇ, କୋଚ ଆଟେଣ୍ଡାଣ୍ଟ, ଷ୍ଟେସନ ପରିଚାଳକ, ଟ୍ରେନର ମ୍ୟାନେଜର ମାନଙ୍କୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି | ଯାତ୍ରୀମାନେ ଟ୍ରେନ୍ ଚଳାଚଳ ସମ୍ବନ୍ଧୀୟ କୌଣସି ଘଟଣା ବିଷୟରେ ଜଣାଇବାକୁ ହେଲ୍ପ ଲାଇନ୍ ନମ୍ବର 139 କୁ ଫୋନ କଲ କରିପାରିବେ | ଟ୍ରେନ୍ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ଫଟକା ଏବଂ ବିସ୍ଫୋରକ ପଦାର୍ଥ ପରିବହନ କରିବାର ବିପଦ ବିଷୟରେ ଅବଗତ କରାଇବା ପାଇଁ ପୂର୍ବ ତଟ ରେଳପଥ ସୁରକ୍ଷା ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି। ଫଟକା ପରିବହନ ନେଇ କୌଣସି ସନ୍ଦେହ ହେଲେ ଏହି ପରିପ୍ରେକ୍ଷୀରେ ଯାତ୍ରୀମାନେ ରେଳବାଇ କର୍ମଚାରୀଙ୍କୁ ଜଣାଇବାକୁ କୁହାଯାଇଅଛି ଏବଂ ରେଳବାଇ ପକ୍ଷରୁ ଟ୍ରେନରେ ଏହି ଅନିୟମିତତା ସମ୍ବନ୍ଧରେ କଡାକଡି ଯାଞ୍ଚ କରାଯାଉଛି। ଏହା ବ୍ୟତୀତ ଷ୍ଟେସନରେ ସର୍ବସାଧାରଣ ଘୋଷଣା ବ୍ୟବସ୍ଥା ମାଧ୍ୟମରେ ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ସଚେତନତା ଅଭିଯାନ ମଧ୍ୟ ଗ୍ରହଣ କରାଯାଇଅଛି । ସରକାରୀ ରେଳ ପୋଲିସ (GRP), ରେଳ ସୁରକ୍ଷା ବଳ (ଆରପିଏଫ୍) ଏବଂ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀଙ୍କ ସହ ସମନ୍ୱୟ ରକ୍ଷା କରି ରେଳ କର୍ମଚାରୀଙ୍କୁ ନିୟୋଜିତ କରି ଅନିୟମିତତା ସମ୍ବନ୍ଧରେ ଯାଞ୍ଚ କରାଯିବ ଏବଂ ପାର୍ସଲ୍ ଭ୍ୟାନ୍ ମାନଙ୍କରେ କିମ୍ବା ଲଗେଜ୍ ଲୋଡିଂ ସମୟରେ କଡାକଡି ଯାଞ୍ଚ ପାଇଁ ବିଶେଷ ଧ୍ୟାନ ଦିଆଯାଉଅଛି।ଏଗୁଡିକ ବ୍ୟତୀତ ଟ୍ରେନ୍ ଏବଂ ଷ୍ଟେସନରେ ଜ୍ୱଳନ୍ତ ଜିନିଷ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଟ୍ରେନ୍ ଏସକର୍ଟିଂ ଦଳ ଏବଂ ମେରୀ ସହେଲୀ ଦଳମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି। ଷ୍ଟେସନ୍, ଗୁଡ୍ ଶେଡ୍, ଗାର୍ଡ ତଥା ଗାର୍ଡ ର ବ୍ରେକ୍ ଭ୍ୟାନ୍ ଏବଂ ଏସି କୋଚ୍, ପାନ୍ଟ୍ରି କାର୍ ଏବଂ ଲୋକୋମୋଟିଭରେ ପୃଥକ ପୃଥକ ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ଅଗ୍ନି ନିର୍ବାପକ ଉପକରଣ ଯୋଗାଇ ଦିଆଯାଉଛି |

Leave a Reply

Your email address will not be published. Required fields are marked *