ଉଦଘାଟନ ହେବ ଇକୋ ରିଟ୍ରିଟ

ଉଦଘାଟନ ହେବ ଇକୋ ରିଟ୍ରିଟ କୋଣାର୍କ ଓ ଜଳ ଦକ୍ଷତା ତାଲିମ କେନ୍ଦ୍ର।କୋଣାର୍କ,୧୧.୧୨- ଆଜିଠାରୁ କୋଣାର୍କ ଇକୋ ରିଟ୍ରିଟ ଆରମ୍ଭ ହେବ। ସନ୍ଧ୍ୟାରେ ଉଦଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ରାମଚଣ୍ଡୀ କୁଶଭଦ୍ରା ନଦୀ ମୁହାଣରେ ଇକୋ ରିଟ୍ରିଟ କୋଣାର୍କ ଶୁଭାରମ୍ଭ ହେବ। ରହିବା ପାଇଁ ପର୍ଯ୍ୟଟକଙ୍କ ବୁକିଂ ରେ ଭିଡ଼ ଜମିଲାଣି। ସମୁଦ୍ର ବେଳାଭୂମି ମଧ୍ୟ ଚଳଚଞ୍ଚଳ ହୋଇଉଠିଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ କୋଣାର୍କ ଇକୋ ରିଟ୍ରିଟ ସପ୍ତମ ସଂସ୍କରଣ ଆରମ୍ଭ ହେବ। ଏଥି ନିମନ୍ତେ ପ୍ରବେଶ ତୋରଣ, ସେଲ୍ଫି ପଏଣ୍ଟ,କନଫରେନ୍ସ ଓ ରିସେପସନ ପାଇଁ ଦୁଇଟି ବଡ଼ ହଲ ନିର୍ମାଣ, ପାନୀୟ ଜଳ ବ୍ୟବସ୍ତା, ବିଦ୍ୟୁତ ସଂଯୋଗ ଆଦି କାର୍ଯ୍ୟ ଶେଷ ହୋଇଛି।ସ୍ବର୍ଣ୍ଣାଭ ସମୁଦ୍ର ବେଳାଭୂମିରେ ୭୦ ଅତ୍ୟାଧୁନିକ ତମ୍ବୁଘର ଓ ବିଚ ବାର ନିର୍ମାଣ ଓ ସୁସଜ୍ଜିତ ହୋଇଛି। ପର୍ଯ୍ୟଟକ ମାନଙ୍କ ପାଇଁ ତମ୍ବୁ ଘରେ ତାରକା ହୋଟେଲ ଭଳି ସମସ୍ତ ସୁବିଧା ରହିବ। ଏହା ସହିତ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦିଆଯାଇଛି। ପର୍ଯ୍ୟଟକମାନେ ବେଳାଭୂମିରେ ରହି ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବେ I

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ବର୍ଣ୍ଣାଭ ବେଳାଭୂମିରେ ଜଳକ୍ରୀଡା,ପାରାସେଲିଙ୍ଗ,ସାଇକେଲ ଚାଳନା, ସଂଗୀତ ଓ ଯୋଗ ଭିତ୍ତିକ କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ସଂଧ୍ୟାରେ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଅନ୍ୟାନ୍ୟ ନେତା ମନ୍ତ୍ରୀ ଓ ଅଧିକାରୀ ମାନେ ଯୋଗଦେବେ। ଏହା ପୂର୍ବରୁ ରାମଚଣ୍ଡୀ ନଦୀ ନିକଟରେ ଥିବା ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନ ରକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ମଧ୍ୟ ଉଦଘାଟିତ କରିବେ ମାନ୍ୟବର ମୂଖ୍ୟମନ୍ତ୍ରୀ। ଯାହାକୁ ନେଇ ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଡିଆଇଜି ଉମା ଶଙ୍କର ଦାଶ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ, ଉପ ଜିଲ୍ଲାପାଳ ରାଜକିଶୋର ଜେନା ପ୍ରମୁଖ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା ତଦାରଖ କରିଛନ୍ତି ।

Leave a Reply

Your email address will not be published. Required fields are marked *