ସରକାରୀ ଯୋଜନାଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଭାବଶାଳୀ ଯୋଗାଯୋଗ ଗୁରୁତ୍ବପୂର୍ଣ : ଏଡିଜି ଶ୍ରୀ ଅଖିଳ କୁମାର ମିଶ୍ର

ଭୁବନେଶ୍ୱର, ୨୬/୦୩/୨୦୨୬ : ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଆଜି ଜୟପୁରର ଆକାଶବାଣୀ କେନ୍ଦ୍ର (ଏ. ଆଇ. ଆର୍.) ପରିଦର୍ଶନ କରିଥିଲେ ଏବଂ କେନ୍ଦ୍ରର କାର୍ଯ୍ୟକ୍ରମ ଏବଂ ଇଞ୍ଜିନିୟରିଂ କର୍ମଚାରୀଙ୍କ ସହ ଏକ ସୂଚନା ଭିତ୍ତିକ ଆଲୋଚନା କରିଥିଲେ। ପ୍ରଭାବଶାଳୀ ଯୋଗାଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମିଶ୍ର କହିଥିଲେ ଯେ ବିଶ୍ୱସନୀୟ ଏବଂ ସମୟୋଚିତ ସୂଚନାର ପ୍ରସାର ହେଉଛି ସର୍ବଦା ପ୍ରସାର ଭାରତୀର ବିଶେଷତ୍ୱ। ବିଶେଷକରି ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା ଏବଂ ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସୂଚନା ଆବଶ୍ୟକତାକୁ ପୂରଣ କରିବାରେ ଆକାଶବାଣୀ ଜୟପୁର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ ଆଲୋକପାତ କରିଥିଲେ। ବିଗତ ବର୍ଷଗୁଡ଼ିକରେ ବିଭିନ୍ନ ପ୍ରକାରର ସୂଚନାତ୍ମକ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାରଣରେ ଆକାଶବାଣୀ ଜୟପୁରର ପ୍ରୟାସକୁ ଶ୍ରୀ ମିଶ୍ର ପ୍ରଶଂସା କରି ଉଲ୍ଲେଖ କରିଥିଲେ ଯେ ଏଭଳି କାର୍ଯ୍ୟକ୍ରମଗୁଡ଼ିକ କେବଳ ଜନସାଧାରଣଙ୍କୁ ଶିକ୍ଷିତ କରିନଥାଏ ବରଂ ସାଂସ୍କୃତିକ ବନ୍ଧନକୁ ସୁଦୃଢ଼ କରିଥାଏ, ଜାତୀୟ ଏକତାକୁ ପ୍ରୋତ୍ସାହିତ କରିଥାଏ ଏବଂ ବିବିଧ ସମ୍ପ୍ରଦାୟ ମଧ୍ୟରେ ଅଖଣ୍ଡତାର ଭାବନାକୁ ପ୍ରୋତ୍ସାହିତ କରିଥାଏ।

ଏହି ଗସ୍ତ ସମୟରେ ଶ୍ରୀ ମିଶ୍ର ଅଧିକାରୀ ଏବଂ କର୍ମଚାରୀଙ୍କ ସହ ମତ ବିନିମୟ କରି ଲୋକଙ୍କ ମଧ୍ୟରେ ସରକାରୀ କଲ୍ୟାଣକାରୀ ଯୋଜନାର ସଚେତନତା ଏବଂ ପ୍ରସାର ବୃଦ୍ଧି କରିବା ପାଇଁ ପ୍ରଭାବଶାଳୀ ଯୋଗାଯୋଗ ରଣନୀତିର ଆବଶ୍ୟକତାକୁ ଦୋହରାଇଥିଲେ। ଷ୍ଟେସନ ମୁଖ୍ୟ ଶ୍ରୀ ଆର. ଶ୍ରୀନିବାସନ୍, ସହକାରୀ ନିର୍ଦ୍ଦେଶକ (ଇ), ଶ୍ରୀ ବିଲ୍ବମଙ୍ଗଳ ପ୍ରଧାନ, ସହକାରୀ ନିର୍ଦ୍ଦେଶକ (ଇ), ଶ୍ରୀ ରଞ୍ଜନ କୁମାର ବେହରା, ବରିଷ୍ଠ ଘୋଷକ ଏବଂ ଆକାଶବାଣୀ ଜୟପୁରର ଅନ୍ୟ ଅଧିକାରୀମାନେ ଏହି ଆଲୋଚନା ସମୟରେ ଉପସ୍ଥିତ ଥିଲେ। ତାଙ୍କର ଚାରି ଦିନିଆ ଗସ୍ତର ଅଂଶବିଶେଷ ସ୍ୱରୂପ ଶ୍ରୀ ମିଶ୍ର ଜୟପୁରସ୍ଥିତ କେନ୍ଦ୍ରୀୟ ସଂଚାର ବ୍ୟୁରୋର (ସିବିସି) କ୍ଷେତ୍ର କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ଏବଂ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ଏବଂ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟ ମତ ବିନିମୟ କରିବେ।

Leave a Reply

Your email address will not be published. Required fields are marked *