ସ୍ୱକଳ୍ପ’ କାର୍ଯ୍ୟକ୍ରମ ଅଧୀନରେ ଅସ୍ତରଙ୍ଗ ବ୍ଳକରେ ‘ଉଦ୍ୟୋଗୀ ପରାମର୍ଶ ଶିବିର’

ଅସ୍ତରଙ୍ଗ/ପୁରୀ, ୩ ଅକ୍ଟୋବର ୨୦୨୩: ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ‘ସ୍ୱକଳ୍ପ’ ଅଧୀନରେ ବିଭିନ୍ନ ସ୍ଥାନରେ ‘ଉଦ୍ୟୋଗୀ ପରାମର୍ଶ ଶିବିର’ ଆୟୋଜନ କରାଯାଉଛି। ମଙ୍ଗଳବାର ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର କେନ୍ଦ୍ରାପତିଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଠାରେ ସ୍ୱକଳ୍ପ ଅଧୀନରେ ଉଦ୍ୟୋଗୀ ଦକ୍ଷତା ବିକାଶ ତାଲିମ ନେଇଥିବା ସ୍ଥାନୀୟ ଅଞ୍ଚଳର ପ୍ରାର୍ଥୀମାନଙ୍କୁ ବିଭିନ୍ନ ପ୍ରକାରର ବ୍ୟବସାୟ ସ୍ଥାପନା ଲାଗି ଆବଶ୍ୟକ ସହାୟତା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ‘ସ୍ୱକଳ୍ପ’ ଅଧୀନରେ ଉଦ୍ୟୋଗୀ ଦକ୍ଷତା ବିକାଶ ତାଲିମ ଶେଷ କରିଥିବା ସ୍ଥାନୀୟ ଅଞ୍ଚଳର ପ୍ରାର୍ଥୀମାନେ ଯୋଗ ଦେଇଥିଲେ। ସେଠାରେ ସେମାନଙ୍କୁ ତାଲିମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ତା’ଛଡ଼ା ବ୍ୟବସାୟ ସ୍ଥାପନା ଲାଗି ପ୍ରାର୍ଥୀମାନଙ୍କର ଆବଶ୍ୟକ ହେଉଥିବା ଉଦ୍ୟମ ଆଧାର ମଧ୍ୟ ପଞ୍ଜୀକରଣ କରାଯାଇଥିଲା।‘ଉଦ୍ୟୋଗୀ ପରାମର୍ଶ ଶିବିର’ରେ ବିଭିନ୍ନ ବ୍ୟାଙ୍କ ଅଧିକାରୀଙ୍କ ସହ ବଜାର ବିଶେଷଜ୍ଞ ଏବଂ ପ୍ରମୁଖ ଅଂଶୀଦାରମାନେ ଯୋଗ ଦେଇଥିଲେ। ଏହି ଅବସରରେ ୧୬ରୁ ଅଧିକ ପ୍ରାର୍ଥୀ ନିଜ ନିଜର ବ୍ୟବସାୟ ସ୍ଥାପନା ଲାଗି ଆବଶ୍ୟକ ବ୍ୟାଙ୍କ ୠଣ ପାଇଁ ଆବେଦନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ୟାଙ୍କ ଅଧିକାରୀ ତାହା ଗ୍ରହଣ କରିଥିଲେ।‘ସ୍ୱକଳ୍ପ’ କାର୍ଯ୍ୟକ୍ରମ ଅଧୀନରେ ସଫଳତାର ସହ ତାଲିମ ଶେଷ କରିଥିବା କେତେକ ପ୍ରାର୍ଥୀ ସେମାନଙ୍କ ସ୍ୱପ୍ନ କିପରି ସାକାର ହେଉଛି ସେ ବିଷୟରେ ବର୍ଣ୍ଣନା କରିଥିଲେ।ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧନ ଅଧିକାରୀ ସଞ୍ଜିତ ମହାନ୍ତି, ବିଶ୍ୱ ଦକ୍ଷତା କେନ୍ଦ୍ରର ଜେନେରାଲ ମ୍ୟାନେଜର ଜିତେନ୍ଦ୍ର ମୋହନ ସାହୁ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅସ୍ତରଙ୍ଗ ଶାଖାର ପ୍ରବନ୍ଧକ ସମୀର କୁମାର ନାୟକ, ଅସ୍ତରଙ୍ଗ ବ୍ଲକ ଉପାଧ୍ୟକ୍ଷ ଦୁର୍ଯ୍ୟୟ ମିଶ୍ର, ପାଲାଡିୟମ ଇଣ୍ଡିଆର କମ୍ୟୁନିକେସନ ମ୍ୟାନେଜର ପାରୁଲ ଶର୍ମା, ସହଯୋଗୀ ନିର୍ଦ୍ଦେଶକ ସୌମେନ୍ଦ୍ର ଚୌଧୁରୀ, ପ୍ରକଳ୍ପ ସଂଯୋଜକ ରାଜକୁମାର ନାୟକ, ହମାରା ବଚପନ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅର୍ପିତା ପଟ୍ଟନାୟକ, ଓମଫେଡ୍ ପୁରୀ ଜିଲ୍ଲାର ମାର୍କେଟିଙ୍ଗ ସୁପରିଣ୍ଟେଣ୍ଡେଣ୍ଟ ଜଗଦ୍ଦୀଶ ମଲ୍ଲିକ, ୟୁକୋ ବ୍ୟାଙ୍କ ଅସ୍ତରଙ୍ଗ ଶାଖାର ବ୍ୟାଙ୍କ ମିତ୍ର ସ୍ୱୟମତାରା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ତଥା ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା ‘ସ୍ୱକଳ୍ପ’ର ପରିଚାଳନା କରାଯାଉଛି। ସ୍ୱକଳ୍ପ କାର୍ଯ୍ୟକ୍ରମର ମୁଖ୍ୟ ସହଯୋଗୀ ସଂସ୍ଥା ପାଲାଡିୟମ କନସଲ୍ଟିଂ ତଥା ଏହାସହ ଥିବା ଅନ୍ୟତମ ସହଯୋଗୀ ସଂସ୍ଥା ହମାରା ବଚପନ ଟ୍ରଷ୍ଟ ‘ଉଦ୍ୟୋଗୀ ପରାମର୍ଶ ଶିବିର’ର ପରିଚାଳନା କରୁଛନ୍ତି। ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ବ୍ରହ୍ମଗିରି ବ୍ଲକର ମୁଦିରଥଠାରେ ଆୟୋଜନ କରାଯିବ।ରାଜ୍ୟ ସରକାରଙ୍କ ଅଭିନବ କାର୍ଯ୍ୟକ୍ରମ ‘ସ୍ୱକଳ୍ପ’ ଅଧୀନରେ ପର୍ଯ୍ୟାୟକ୍ରମେ ଓଡ଼ିଶାର ୧୦ ହଜାର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ଦକ୍ଷତା ବିକାଶ ଲାଗି ୧୦୦ ଘଣ୍ଟାର ତାଲିମ ଦିଆଯାଉଛି। ସେମାନଙ୍କ ମଧ୍ୟରୁ ୧ ହଜାର ବ୍ୟକ୍ତି କିପରି ନିଜ ନିଜ ଅଞ୍ଚଳରେ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠା କରିପାରିବେ ସେଥିପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରାଥମିକ ତାଲିମ ଶେଷ ପରେ ପ୍ରାର୍ଥୀମାନଙ୍କୁ ୨୪ ସପ୍ତାହ ଯାଏଁ ବ୍ୟକ୍ତିଗତ ପରାମର୍ଶଭିତ୍ତିକ ବିଶେଷ ସହାୟତା ଦିଆଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତିଟି ପର୍ଯ୍ୟାୟରେ ୨୫ ପ୍ରତିଶତ ମହିଳାଙ୍କ ଅନ୍ତର୍ଭୁକ୍ତିକୁ ପ୍ରାଥମିକତା ଦିଆଯାଉଛି।ଉଦ୍ୟମୀ ଯୁବକ ଯୁବତୀଙ୍କୁ ବ୍ୟବସାୟ ପ୍ରତିଷ୍ଠା ଲାଗି ବିଭିନ୍ନ ପ୍ରକାର ତାଲିମ ମଧ୍ୟରେ କାରବାର ପରିଚାଳନା, ଆର୍ଥିକ ପରିଚାଳନା, ବଜାର ସଂଯୋଗ, ବ୍ୟାଙ୍କ ୠଣ ଏବଂ ନେତୃତ୍ୱ ବିକାଶ ଆଦି ବିଷୟ ରହିଛି। ଏହାସହ ମକ୍ ପିଚ୍ ମାଧ୍ୟମରେ ଭବିଷ୍ୟତର ଉଦ୍ୟୋଗୀମାନଙ୍କୁ ପ୍ରତିଷ୍ଠିତ ଉଦ୍ୟୋଗୀ ଏବଂ ବିଶେଷଜ୍ଞଙ୍କ ସହ ଯୋଡ଼ା ଯାଉଛି।

Leave a Reply

Your email address will not be published. Required fields are marked *