୨୦୨୬ କ୍ୟାଲେଣ୍ଡର ରେ ଶ୍ରୀମନ୍ଦିର ପ୍ରଶାସନ ର ତ୍ରୁଟି !

୨୦୨୬ କ୍ୟାଲେଣ୍ଡରରେ ଶ୍ରୀମନ୍ଦିର ପ୍ରଶାସନର ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି। କ୍ୟାଲେଣ୍ଡରରେ ମହାପ୍ରଭୁଙ୍କର ଯେଉଁ ଚିତ୍ର ସ୍ଥାନିତ କରାଯାଇଛି ସେଥିରେ ଗୁରୁତର ତ୍ରୁଟି ଥିବା ପରିଲକ୍ଷିତ କରାଯାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ବଳଭଦ୍ର ଏବଂ ବଳଭଦ୍ରଙ୍କ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଥିବା ଏକ ଫଟୋକୁ ଶ୍ରୀମନ୍ଦିର ପ୍ରଶାସନ କ୍ୟାଲେଣ୍ଡର ୨୦୨୬ ରେ ସ୍ଥାନ ଦିଆଯାଇଛି। ସେହିପରି ରଥଯାତ୍ରାର ଏକ ଫଟୋ ମଧ୍ୟ କ୍ୟାଲେଣ୍ଡରରେ ରହିଥିବା ବେଳେ ସେଥିରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଛି। ପ୍ରଥମେ ସୁଭଦ୍ରାଙ୍କ ରଥ, ପରେ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣା ଯାଉଥିବାର ସମ୍ପର୍କିତ ଚିତ୍ରର ଏକ ଫଟୋ ମଧ୍ୟ କ୍ୟାଲେଣ୍ଡରରେ ସ୍ଥାନ ପାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ୨୦୨୬ କ୍ୟାଲେଣ୍ଡରରେ ଏଭଳି ତ୍ରୁଟିକୁ ଜଗନ୍ନାଥ ପ୍ରେମୀ ଓ ଶ୍ରୀମନ୍ଦିର ସେବାୟତ ସମାଲୋଚନା କରିଛନ୍ତି। କ୍ୟାଲେଣ୍ଡର ଛପା ହେବା ପୂର୍ବରୁ କାହା ପରାମର୍ଶରେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ତ୍ରୁଟିପୂର୍ଣ୍ଣ ଫଟୋ କ୍ୟାଲେଣ୍ଡରରେ ସ୍ଥାନ ଦେଇଛି ତାକୁ ନେଇ ସେବାୟତ ମାନେ ପ୍ରଶ୍ନ ଉଠାଇଛନ୍ତି। ଜଗନ୍ନାଥ ସଂସ୍କୃତିକୁ ବିକୃତ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବାବେଳେ ଖୋଦ୍ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଉଲ୍ଲଘଂନ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ତୁରନ୍ତ ଏହି ତ୍ରୁଟିପୂର୍ଣ୍ଣ କ୍ୟାଲେଣ୍ଡରକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟାହାର କରିନେବାକୁ ଦାବି ଜୋର ଧରିଛି। କେଉଁ ଅଧିକାରୀଙ୍କ ଦାୟିତ୍ବହୀନତାରେ ଏଭଳି ତ୍ରୁଟି ହୋଇଛି ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜଗନ୍ନାଥ ପ୍ରେମୀ ଓ ସେବାୟତ ଦାବି କରିଛନ୍ତି। ସେପଟେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *