ଅସହ୍ୟ ହେଲେ ବି ସହିବାକୁ ହୁଏ
ଅସହ୍ୟ ହେଲେ ବି ସହିବାକୁ ହୁଏ
🖋️କବିରତ୍ନ ନୂତନ କୁମାର ବେହେରା
ଜୀବନଟା ଏମିତି …
ଏକ ସୀମାରେଖାର ପରିସର ଭୁକ୍ତ
ଶାରୀରିକ ପିଡ଼ା ସହିତ ମାନସିକ ଯନ୍ତ୍ରଣା,
ଆସୁଥାଏ… ନାହିଁ ତାର ନିର୍ଦ୍ଦିଷ୍ଟ ପରିମାଣ କିଛି
ମାପକ ଯନ୍ତ୍ରରେ କରିବାକୁ ତାର ମାପ।
ସେ ପ୍ରତିକୂଳ ପରିବେଶ ପରିସ୍ଥିତିର ଦୁରବସ୍ଥା
ଧୈର୍ଯ୍ୟ ଓ ସହିଷ୍ଣ ଗୁଣକୁ ଟପିଯାଏ,
ତା’ ଅସହ୍ୟ ହେଲେ ବି ସହିବାକୁ ହୁଏ
ଆତ୍ମା ପରମାତ୍ମା ସହିତ ଥାଏ ଅନୁବନ୍ଧିତ
ହୁଏ ନାହିଁ ତାକୁ ଏଡ଼ି ସାମୟିକ ଦିଏ ବିଗାଡ଼ି।
ତାହା ହିଁ ସାଧନାର ଏକକ ପରୀକ୍ଷା
ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମିବ ଯେଉଁ ସନ୍ତାନ
ସେ ହିଁ କଂସକୁ ମାରିବ…ଧର୍ମ ରକ୍ଷା କରି,
ହେବାରୁ ଶୂନ୍ୟବାଣୀ ସଭିଏଁ ହେଲେ ଚକିତ
ବସୁଦେବ ଦେବକୀ ନବ ବିବାହିତା
ପତିପତ୍ନୀ ବହୁ ଭାବେ ପାଇଲେ ଦାରୁଣ ଦୁଃଖ।
କାରବାସେ ତିଳ ତିଳ ଅନ୍ତର୍ଦାହେ ହେଲେ ଦଗ୍ଧିଭୂତ
ନିରୁପାୟେ ଅସହାୟେ ବିତାଇଲେ ବର୍ଷ ବର୍ଷ,
ତାଙ୍କ ଅନ୍ତରାତ୍ମା ବୁଝାଇ ତାଙ୍କୁ କହିଲା
ଜୀବନ ଏମିତି…
ଅସହ୍ୟ ହେଲେ ବି ସହିବାକୁ ହୁଏ।
ସେମିତି ସତ୍ୟ ଯୁଗରେ ପ୍ରହଲ୍ଲାଦ ପିତାଙ୍କ ଦ୍ଵାରା
ଭୋଗିଥିଲେ ବହୁ ଅକଥନୀୟ ନିର୍ଯାତନା,
ତ୍ରେତୟା ଯୁଗରେ ଶ୍ରୀରାମଙ୍କ ବନବାସ
ମାତା ସୀତାଙ୍କ ଅପହରଣ ପରେ ପୁଣି ନିର୍ବାସନ
ଜୀବନର ମହା ମହା ଅଧ୍ୟାୟ ସବୁ ହୃଦୟ ବିଦାରକ।
ଦ୍ଵାପର ଯୁଗରେ ଆହୁରି ମଧ୍ୟ ପାଣ୍ଡବ ପାଞ୍ଚ ଭାଇଙ୍କ ସପରିବାର ସଙ୍ଗେ ମହୀୟସୀ ମାଆ କୁନ୍ତୀ,
ଜତୁଗୃହ ଠାରୁ କୁରୁସଭାରେ ପାଞ୍ଚାଳୀଙ୍କୁ ଅପମାନ
ଅଜ୍ଞାତ ବାସରେ ସୀମା ହୀନ କେତେ ତାଡ଼ନା।
ପ୍ରାଣକୁ ଦେଇ ବହୁ କଷ୍ଟ ରହିଲେ ତାଙ୍କ କର୍ମରେ
ଅସହ୍ୟ ହେଲେ ବି ସହିବାକୁ ହୁଏ,
ଦୃଷ୍ଟାନ୍ତ ରଖି ଶିକ୍ଷା ଦେଲେ ସାରା ଜଗତକୁ
କଳି ଯୁଗରେ ମଧ୍ୟ ଘଟିଛି ଘଟୁଛି ଏମିତି ଦୈନିକ।
ପହଞ୍ଚିବାକୁ ବିଶେଷ ସଫଳତାର ଶୀର୍ଷ ସୀମାକୁ
ଭବ ସଂସାରର ଅମାପ ଚଲା ପଥେ ପଥେ,
ସତ୍କର୍ମ କରୁ କରୁ ମଧ୍ୟ ଆସେ ବହୁତ ବିଡ଼ମ୍ବନା
ଯା’ ଅସହ୍ୟ ହେଲେ ବି ସହିବାକୁ ହୁଏ।
ଜୀବନ ଏକ ସାଧନାର କ୍ଷେତ୍ର ସିଦ୍ଧି ପାଇବାକୁ
ପ୍ରତିବନ୍ଧକ ଆସେ ପ୍ରକୃତିର ନିୟମରେ,
ଧୈର୍ଯ୍ୟହରା ହୋଇ ଅଧାବାଟେ ରହିଲେ ଅଟକି
କେହି ନାହିଁ ଆଗକୁ ନେବ…ଶେଷ ପର୍ଯ୍ୟନ୍ତ।
ନିଜର ଲକ୍ଷ୍ୟ ନିଜର ପଥ ନିଜର ଗତି ପ୍ରଗତି
ସାର୍ଥକତା ପାଇଁ ରଖିବାକୁ ହୁଏ ସତ୍ୟର ସଂକଳ୍ପେ,
ଜୀବନ ଏମିତି…
ଅନେକ ବିଷମ ଜଞ୍ଜାଳ ଯା’ ଦୁର୍ବିଷହ/ଦୁଃସହ
ଅସହ୍ୟ ହେଲେ ବି ସହିବାକୁ ହୁଏ…।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
