ସବୁରି ଭିତରେ ବସିଛ ତୁମେ
ଶୀର୍ଷକ _ସବୁରି ଭିତରେ ବସିଛ ତୁମେ
ରୀତାରାଣୀ ଦାଶ
ବାଲେଶ୍ୱର
ହେ ମହା ଆରାଧ୍ୟ ଜଗତର ନାଥ
ଜାଣେ ନାହିଁ ଆଦି ଅନ୍ତ
କୋଟି ଅନନ୍ତର ଅଧିପତି ତୁମେ
ତୁମେ ଚିରନ୍ତନ ସତ୍ୟ |
କୃପା ବରଷାରେ ଦର୍ଶନ ଦିଅ ହେ
ଜ୍ଞାନ ଭକ୍ତି ଗତି ମୁକ୍ତି
ହେ ମହାନାୟକ ସବୁରି ଆତ୍ମାରେ
ତୁମେ ପରା ମହାସ୍ଥିତି |
ଧନ ଜନ ସବୁ ନିମିତ୍ତ ମାତର
କେବେ ନୁହେଁ ଚିରସ୍ଥାୟୀ
ମାୟା ମୋହ ଏହି ମିଛ ସଂସାରରେ
ଜୀବନର ମାନେ ଏହି |
ଆତ୍ମୀୟ ସ୍ୱଜନ ଶୋକାକୁଳ ମନେ
ବିଦାୟ ଦେବେ ନିଶ୍ଚିତ
କର୍ମ ଜଞ୍ଜାଳରେ ବୁଡି ରହିଦିନେ
ପାଶୋରିବେ ସ୍ଥିରୀକୃତ |
ସକଳ ପରାଣେ ସତ୍ୟ ଶାନ୍ତି ଦୟା
କର୍ତ୍ତବ୍ୟ ବୋଧର ଭାବ
ତୁଣ୍ଡରୁ ସବୁରି ଦିବ୍ୟ ସୁଧା ଝର
ଅନ୍ତରରେ ଭକ୍ତି ଭାବ |
ଆହେ ଅନ୍ତର୍ଯ୍ୟାମୀ ରକ୍ଷାକର ସ୍ୱାମୀ
କଳିର କରାଳ ଗତି
ତୁମେ ନ ରଖିଲେ ନୃଶଂସତା ବ୍ୟାପୀ
ଧ୍ବଂସ ହୋଇବ ଧରିତ୍ରୀ |
