ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଙ୍କ ଘଟଣାକୁ ନେଇ ଦୁଃଖ ପ୍ରକାଶ

ଶ୍ରୀମନ୍ଦିର ଭିତରେ ପ୍ରୋଟୋକଲ ଦର୍ଶନ ବ୍ୟବସ୍ଥାକୁ ନେଇ ରବିବାର ଘଟିଥିବା ବିବାଦୀୟ ଘଟଣା‌କୁ ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗତକାଲିର ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହିତ କ୍ଷମାପ୍ରାର୍ଥନା ମାଗିଥିଲେ। ସମନ୍ବୟ ଅଭାବ ଯୋଗୁଁ ଗତକାଲି ଘଟିଥିଲା ଏଭଳି ଘଟଣା। ଘଟଣାର ତଦନ୍ତ ଦାୟିତ୍ୱ ପୁରୀ ଏସପିଙ୍କୁ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମଧ୍ୟ ଗତକାଲିର ଘଟଣାକୁ ନେଇ ତର୍ଜମା କରିବେ। ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଗାମୀ ଦିନରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ଘଟିବ ସେ ଦିଗରେ ସମସ୍ତଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି। ପାଳିଆ ସେବକଙ୍କ ବ୍ୟତୀତ ଶ୍ରୀମନ୍ଦିର ଭିତରକୁ ଆଉ କେହି ନେଇପାରିବେ ନାହିଁ ମୋବାଇଲ ଫୋନ୍। ଶ୍ରୀମନ୍ଦିର ଭିତରେ କେହି ଖୁଲମଖୁଲା ବ୍ୟବହାର କରିପାରିବେ ନାହିଁ ମୋବାଇଲ୍ ଫୋନ୍। ପ୍ରୋଟୋକଲ ଦର୍ଶନ ଦାୟିତ୍ଵ ଶ୍ରୀମନ୍ଦିର ପ୍ରଶାସନର। ପ୍ରୋଟୋକଲ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ରେକର୍ଡ ରଖାଯିବ। ଖୁବଶୀଘ୍ର ଖାଲି ପଡିଥିବା ଜେଟିପି ଓ ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ ପଦବୀ ପୂରଣ ପାଇଁ ସରକାରଙ୍କୁ ଅନୁରୋଧ କରାଯିବ। ପ୍ରତି ମାସରେ ଶ୍ରୀମନ୍ଦିର ସହିତ ଜଡିତ ସମସ୍ତ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରଖିବା ପାଇଁ ବସିବ ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଙ୍କ ସହିତ ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀର ଅଧିକାରୀ, ଶ୍ରୀମନ୍ଦିର କମାଣ୍ଡର ଓ ଜେଟିପି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଗତକାଲି ପ୍ରୋଟୋଲ ଦର୍ଶନକୁ ନେଇ ଶ୍ରୀମନ୍ଦିର କମାଣ୍ଡରଙ୍କୁ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା | ଘଟଣାରେ ସୁରକ୍ଷାକର୍ମୀ ମାନେ ଶ୍ରୀମନ୍ଦିର କମାଣ୍ଡରଙ୍କୁ ଠେଲାପେଲା କରିବା ପରେ ସେବାୟତ ଓ ଜଗନ୍ନାଥ ଟେମ୍ପଲ ପୋଲିସ ପ୍ରତିବାଦରେ ସାତପାହାଚ ନିକଟରେ ଥିବା କବାଟ ବନ୍ଦ କରିଦେବାରୁ ପ୍ରାୟ ଅଧଘଣ୍ଟା ଦର୍ଶନ ବନ୍ଦ ରହିଥିଲା | ପରେ ଜିଲ୍ଲାପାଳ ଓ ଏସପିଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା |

Leave a Reply

Your email address will not be published. Required fields are marked *