ଧରାକୋଟ ଅଞ୍ଚଳରେ ଧାନ ଓ ପନିପରିବା ଫସଲ ବ୍ୟାପକ କ୍ଷତି
ଧରାକୋଟ,29/10/25ସାମୁଦ୍ରିକ ବାତ୍ୟା ମୋନଥା ଓ ଲଘୁଚାପ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ର ବିକଳ ଚିତ୍ର ଧରାକୋଟ ବ୍ଲକରେ ଦେଖିବାକୁ ମିଳିଛି। ବ୍ଲକର 18 ଗୋଟି ପଞ୍ଚାୟତ ର ଖରିଫ ଧାନ ଫସଲ ବେଶ ପ୍ରଭାବିତ ହୋଇଛି। ଯାହା ଫଳରେ ଫଳ ଧରିଥିବା ଧାନକେଣ୍ଡା ଓ ପାଚିଲା ଧାନ ଫସଲ ପବନ ଓ ଲଗାଣ ବର୍ଷାରେ ଲୋଟି ପଡ଼ି ଧରାଶାୟୀ ହୋଇଛି । ଦୀର୍ଘ ଦୁଇ ଦିନ ଧାନ କେଣ୍ଡା ପାଣିରେ ଭିଜି ରହିଥିବାରୁ ଚାଷୀର ଚିନ୍ତା ବଢ଼ିଛି । ପାଣି ଭର୍ତ୍ତି ଧାନ ବିଲରୁ ଚାଷୀ ଉଜୁଡ଼ା ଫସଲକୁ ଛାଣୁଥିବାର ଦୟନୀୟ ଚିତ୍ର ଅଧିକାଂଶ ପଞ୍ଚାୟତ ରେ ଦେଖିବାକୁ ମିଳିଛି। ଚଳିତ ବର୍ଷ ଭଲ ଫସଲ ହୋଇଥିଲା । ଧାନ ଓ ପନିପରିବା ଚାଷ ପାଇଁ ପାଗ ଆରମ୍ଭରୁ ଅନୁକୂଳ ରହିଥିଲା । ଏଣୁ ଚାଷୀ ମାନେ ହାତ ଉଧାରି ଓ ବ୍ୟାଙ୍କ,ସମବାୟ ସମିତି ରୁ କରଜ କରି ରୁଆ,ବେଉଷଣ,ବିହନ,ପିଡ଼ିଆ, ବଚ୍ଛା ବଛି କରିଥିଲେ । ଆଶା ରହିଥିଲା ଚଳିତ ବର୍ଷ ଉଭୟ ଧାନ ଓ ପନିପରିବା ଫସଲରୁ ଭଲ ଦୁଇ ପଇସା ରୋଜଗାର ହେବ । ହେଲେ ବାତ୍ୟା ଓ ଭାରୀ ବର୍ଷା ସବୁକିଛି ଛାରଖାର କରିଦେଇଛି ।

ମାଣିକପୁର ଅଞ୍ଚଳର ରାଜନ ଛାଟୋଇ,ବସନ୍ତ ବେହେରା, କାଠଗଡା ର ଉଦୟ ପରିଛା, ଡାକିବଜା ର ଦଣ୍ଡପାଣି ଜେନା,ପ୍ରମୋଦ ପାଢ଼ୀ, ଧରାକୋଟ ର ବନବାସ ସ୍ୱାଇଁ ପ୍ରମୁଖ ବର୍ଷକର ଫସଲ ଅଖି ଆଗରେ ନଷ୍ଟ ହୋଇଯାଇଥିବାରୁ କେମିତି କରଜ ସୁଝିବେ ସେଥି ପାଇଁ ଚିନ୍ତାରେ ପଡ଼ିଛନ୍ତି । ସରକାରୀ ସ୍ତରରେ କ୍ଷୟ କ୍ଷତି ଆକଳନ କରାଯାଇ ସରକାରୀ ସହାୟତା ପ୍ରଦାନ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଚଳିତ ବାତ୍ୟା ଓ ବର୍ଷାରେ ପନିପରିବା ଫସଲ ବ୍ୟାପକ ନଷ୍ଟ ହୋଇଯାଇଛି । ଅ ଲଡ଼ି, ବିନ, ମୂଳା, ଫୁଲକୋବି,ବାଇଗଣ,ଜନ୍ନି,ପୋଟଳ,କୁନ୍ଦୁରି, ପତ୍ରକୋବି, କଲରା ଫସଲ ଗଛ ମୂଳରେ ପାଣି ରହିଥିବାରୁ ନଷ୍ଟ ହୋଇଯାଇଛି । ଯାହା ଫଳରେ ବଜାରରେ ପନିପରିବା ଦରରେ ମୂଲ୍ୟ ବୃଦ୍ଧି ହୋଇଛି । ସେପଟେ ଧାନ ଫସଲ ନଷ୍ଟ ହୋଇଯାଇଥିବା ବର୍ଷକର ଆଦାୟ ଉଯୁଡ଼ି ଯାଇଛି । ଏଣୁ ନିଜ ପରିବାର ସଦସ୍ୟ ତୁଣ୍ଡରେ କେମିତି ଅହାର ଯୁଟାଇବ ସେଥିପାଇଁ ଚାଷୀର ଚିନ୍ତା ବଢ଼ିଛି । ସମଗ୍ର ବ୍ଲକ ଅଞ୍ଚଳର ହଜାର ହଜାର ହେକ୍ଟର ଜମି ର ଫସଲ ନଷ୍ଟ ହୋଇଯାଇଥିବା ଯୋଗୁଁ ଚାଷୀ ଚିନ୍ତାରେ ପଡ଼ିଛି ।
