୧୧୧ତମ ବ୍ୟାସଦେବ ଦୋଳ ମେଳଣ ପାଇଁ ବ୍ୟାପକ ପ୍ରସ୍ତୁତି:
ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ପ୍ରସିଦ୍ଧ ଓ ପାରମ୍ପରିକ ବ୍ୟାସଦେବ ଦୋଳ ମେଳଣର ୧୧୧ତମ ବର୍ଷ ପାଳନ ପାଇଁ ଏବେ ଗ୍ରାମ୍ୟ ପରିବେଶ ଉତ୍ସବମୁଖର ହୋଇଉଠିଛି। ବ୍ୟାସଦେବ ମେଳଣ ସମିତିଙ୍କ ଆୟୋଜନରେ ବାଲିପାଟଣା ଓ ବଫାପୁର ଗ୍ରାମର ମିଳିତ ଗ୍ରାମବାସୀଙ୍କ ସକ୍ରିୟ ସହଭାଗୀତାରେ ଏହି ପାରମ୍ପରିକ ମେଳଣ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆୟୋଜିତ ହୋଇଯାଇଛି । ପୁର୍ଣ୍ଣିମା ଦିନ ମହାଧୁମଧାମରେ ମେଳଣର ଶୁଭାରମ୍ଭ ହେବା ସହ ୧ରୁ ୬ ତାରିଖ ପର୍ଯ୍ୟନ୍ତ ଛଅ ଦିନ ଧରି ବିଭିନ୍ନ ପୂଜାପାଠ, ରୀତିନୀତି ଓ ଆନୁଷ୍ଠାନିକ କାର୍ଯ୍ୟ ସମ୍ପନ୍ନ ହେବ। ଏହି ସମୟରେ ଦେବଦେବୀଙ୍କ ଦୋଳଯାତ୍ରା, ମଣ୍ଡପ ସଜାଣା, ପୂଜାର୍ଚ୍ଚନା ସହ ଅଞ୍ଚଳରେ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି ହେବ।ମେଳଣର ପ୍ରଧାନ ଆକର୍ଷଣ ଭାବେ ପାରମ୍ପରିକ ନଉଡ଼ି ଖେଳ, ରାତ୍ରିକାଳୀନ ଯାତ୍ରା ପାଳା, ଏବଂ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖାଯାଉଛି। ସ୍ଥାନୀୟ କଳାକାରମାନଙ୍କ ସହ ବାହାରରୁ ମଧ୍ୟ କିଛି ପ୍ରସିଦ୍ଧ ଯାତ୍ରା ଦଳ ଓ କଳାଦଳଙ୍କୁ ଆମନ୍ତ୍ରଣ ଦିଆଯାଇଥିବା ସୂଚନା ମିଳିଛି।ମେଳଣ ସମୟରେ ଅସ୍ଥାୟୀ ବଜାର, ଖେଳନା ଓ ମିଠା ଦୋକାନ, ଝୁଲା ଓ ବିଭିନ୍ନ ବିନୋଦନ ଉପକରଣ ସ୍ଥାପିତ ହେବାରୁ ଏହା ଏକ ବଡ଼ ମେଳାର ରୂପ ନେବ। ପ୍ରତିଦିନ ସନ୍ଧ୍ୟା ସମୟରେ ଭକ୍ତମାନଙ୍କ ଭିଡ଼ ବଢ଼ିବା ସହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳଣକୁ ଆହୁରି ରଙ୍ଗୀନ କରିଦେବ।ଏହି ବିଶାଳ ଆୟୋଜନକୁ ସୁଚାରୁ ଭାବେ ପରିଚାଳନା ପାଇଁ ସମିତିର ସଭାପତି ବଂଶୀଧର ସ୍ୱାଇଁଙ୍କ ନେତୃତ୍ୱରେ ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି ଓ କୋଷାଧକ୍ଷ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ସହ ଅନ୍ୟ ସଦସ୍ୟମାନେ ଦିନରାତି ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି। ଯାତାୟାତ ବ୍ୟବସ୍ଥା, ପାନୀୟଜଳ, ଆଲୋକ ସଜାଣା, ଭକ୍ତମାନଙ୍କ ସୁବିଧା ଓ ସୁରକ୍ଷା ବ୍ୟବସ୍ଥା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ମଧ୍ୟ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ହୋଇଛି।
